Home Agriculture ଶୀଘ୍ର ପୂରଣ ହେବ ଖାଲି ପଦବୀ

ଶୀଘ୍ର ପୂରଣ ହେବ ଖାଲି ପଦବୀ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଖାଲିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ କରି ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟରେ ବିଭିନ୍ନ ପଦବୀଗୁଡ଼ିକର କ୍ୟାଡର ପୁନର୍ଗଠନ ଏବଂ ଖାଲିଥିବା ମୂଳପଦବୀରେ ନିଯୁକ୍ତି ସଂପର୍କିତ ଏକ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ନିର୍ଦ୍ଦେଶାଳୟରେ ଖାଲିଥିବା ମୂଳପଦବୀ ଯଥା-ସହକାରୀ କୃଷି ଅଧିକାରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ, ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମଚାରୀ, ଉଦ୍ୟାନ କୃଷି ସଂପ୍ରସାରଣ କର୍ମଚାରୀ, ସହକାରୀ କୃଷି ଯନ୍ତ୍ରୀ ଇତ୍ୟାଦିରେ ଶୀଘ୍ର ନିଯୁକ୍ତି ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗର ସଚିବ, ଓଡ଼ିଶା ଷ୍ଟାଫ ସିଲେକ୍‌ସନ୍‌ କମିଶନର ସଚିବ ଏବଂ ଓଡ଼ିଶା ସବ୍‌ଅର୍ଡ଼ିନେଟ୍‌ ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନର ସଚିବଙ୍କ ସହ ଆଲୋଚନା କରାଯାଇଛି ।

ସମସ୍ତ ନୂତନ ନିଯୁକ୍ତି ପ୍ର୍ରକି୍ରୟାକୁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଅଦ୍ୟାବଧି ଖାଲିଥିବା ସମସ୍ତ ପଦବୀ ପୂରଣ ନିମନ୍ତେ ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖ ସୁଦ୍ଧା ଅର୍ଥ ବିଭାଗର ଅଧିକାରପ୍ରାପ୍ତ କମିଟିର ମଞ୍ଜୁର ପାଇଁ ପଠାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ଓଡ଼ିଶା କୃଷି ସେବା ସଂଘର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ପଦବୀର କ୍ୟାଡର ପୁନର୍ଗଠନ ନିମନ୍ତେ ସଂଘଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଏବଂ କୃଷକମାନଙ୍କ ନିକଟରେ ସେସବୁକୁ ସଠିକ୍‌ ଭାବରେ ପହଞ୍ଚାଇବା ନିମନ୍ତେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଧିକ ଯନିବାନ ହେବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ବୈଠକରେ ଓଡ଼ିଶା ଉଦ୍ୟାନ କୃଷି ଅଧିକାରୀ ସଂଘ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲୁ୍ୟ) ଏବଂ ଓଭରସିଅର ସଂଘର କର୍ମକର୍ତ୍ତାମାନେ ଯୋଗଦେବା ସହ କ୍ୟାଡର ପୁନର୍ଗଠନ ନିିମନ୍ତେ ବିଭିନ୍ନ ପ୍ରସ୍ତାବ ରଖିଥିଲେ ।

ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଓଡ଼ିଶା ଲୋକସେବା ଆୟୋଗର ସଚିବ, ଓଡ଼ିଶା ଷ୍ଟାଫ ସିଲେକ୍‌ସନ୍‌ କମିଶନର ସଚିବ ଏବଂ ଓଡ଼ିଶା ସବ୍‌ଅର୍ଡ଼ିନେଟ୍‌ ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନର ସଚିବ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସମେତ ବିଭିନ୍ନ ସଂଘର ସଭାପତି, ସଂପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।