Home Assembly ଖାଲି ପଡିଛି ୬୭ ଆଇଏଏସ୍‍ ପଦବୀ

ଖାଲି ପଡିଛି ୬୭ ଆଇଏଏସ୍‍ ପଦବୀ

ଭୁବନେଶ୍ୱର : ରାଜ୍ୟରେ ୬୭ଟି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‍) ପଦବୀ ଖାଲି ପଡିଥିବାବେଳେ ୬୯ଟି ଭାରତୀୟ ପୁଲିସ୍‍ ସେବା (ଆଇପିଏସ୍‍) ପଦବୀ ଖାଲି ପଡିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟ ପାଇଁ ୨୪୮ ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‍ ପଦବୀ ଥିବାବେଳେ ଏଥିରେ ୧୮୧ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି ଏବଂ ୬୭ଟି ଆସନ ଖାଲି ପଡିଛି । ସେହିଭଳି ୧୯୫ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍‍ ପଦବୀରେ ୧୨୬ଜଣ କାର୍ଯ୍ୟରତ ଅଛନ୍ତି । ଭାରତୀୟ ବନ ସେବା (ଆଇଏଫ୍‍ଏସ୍‍) ରେ ଥିବା ୧୪୧ଟି ମଞ୍ଜୁରୀପ୍ରାପ୍ତ ପଦବମଧ୍ୟରୁ ୭୨ଟିରେ ଅଧିକାରୀ କାର୍ଯ୍ୟରତ ଥିବାବେଳେ ୬୯ଟି ଖାଲି ପଡିଛି ।

ସେହିଭଳି ରାଜ୍ୟରେ ଥିବା ୨୨୪୮ଟି ମଞ୍ଜୁରୀପ୍ରାପ୍ତ ଓଏଏସ୍‍ ପଦବୀରେ ୧୯୯୫ ଜଣ କାର୍ଯ୍ୟରତ ଥିବାବେଳେ ୨୫୩ଟି ଖାଲି ପଡିଛି । ଓଡିଶା ପୁଲିସ୍‍ ସେବାରେ ଥିବା ୮୨୯ ପଦବୀ ମଧ୍ୟରୁ ୨୫୩ଟି ଖାଲି ପଡିଥିବାବେଳେ ଓଡିଶା ଅର୍ଥସେବାରେ ଥିବା ୧୧୭୨ ପଦବୀ ମଧ୍ୟରୁ ୨୭୪ଟି ଖାଲି ପଡିଛି । ଓଡିଶା ବନ ସେବାରେ ଥିବା ୧୦୫୮ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୬୧୧ଟି ଖାଲି ପଡିଥିବାବେଳେ ଓଡିଶା ରାଜସ୍ୱ ସେବାରେ ଥିବା ୧୨୯୦ଟି ପଦବୀ ମଧ୍ୟରୁ ୨୬୩ଟି ଖାଲି ପଡିଛି ।

ସିଧାସଳଖ ନିଯୁକ୍ତି ମାଧ୍ୟମରେ ଏବଂ ପଦୋନ୍ନତି ମାଧ୍ୟମରେ ଏହି ଖାଲି ପଡିଥିବା ପଦବୀଗୁଡିକୁ ପୂରଣ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।