Home General ଖାଲି ପଡିଛି ସରକାରୀ ଚାକିରି

ଖାଲି ପଡିଛି ସରକାରୀ ଚାକିରି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଏକ ତୃତୀୟାଂଶରୁ ଅଧିକ ସରକାରୀ ପଦପଦବୀ ଖାଲି ପଡିଥିବାବେଳେ ନିଯୁକ୍ତି ପ୍ରକ୍ରିୟା ଯେଉଁଭଳି ଚାଲିଛି ତାହା ଅବ୍ୟାହତ ରହିଲେ ୨୦୩୦ ମସିହା ବେଳକୁ ଖାଲି ପଦବୀ ସଂଖ୍ୟା କମିବା ପରିବର୍ତ୍ତେ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।

୨୦୨୪ ସେପ୍ଟେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥ ବିଭାଗର ତଥ୍ୟ ଆଧାରରେ ଯେଉଁ ପରିସଂଖ୍ୟାନ ପ୍ରଦାନ କରିଥିଲେ ସେଥିରୁ ଜଣାଯାଇଛି ଯେ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସଂଖ୍ୟା ୫,୯୬,୬୪୭ ଥିବାବେଳେ ସେଥିରୁ ୨,୦୫,୨୨୮ଟି ପଦବୀ ଖାଲି ପଡିଥିଲା । ସେହି ସମୟ ସୁଦ୍ଧା ଖାଲି ପଡିଥିବା ପଦବୀ ମଧ୍ୟରୁ ‘ଏ’ ବର୍ଗର ୧୯,୨୯୯ଟି ପଦବୀ ଥିବା ବେଳେ ‘ବି’ ବର୍ଗର ୪୪,୮୮୬, ‘ସି’ ବର୍ଗର ସର୍ବାଧିକ ୧,୦୪,୦୪୨ ଓ ‘ଡି’ ବର୍ଗର ୩୭,୦୦୧ଟି ।

୨୦୨୪ର ପ୍ରଥମ ଭାଗରେ ରାଜ୍ୟରେ ସାଧାରଣ ନିର୍ବାଚନ ଦୃଷ୍ଟିରୁ ନୂତନ ନିଯୁକ୍ତି ଉପରେ କଟକଣା ରହିଥିବା ପରିପ୍ରେକ୍ଷୀରେ ୨୦୨୪ ଶେଷ ସୁଦ୍ଧା ଖାଲି ପଦବୀ ସଂଖ୍ୟା ଢେର ବଢ଼ିଥିଲା । ସରକାରୀ କର୍ମଚାରୀଙ୍କ ଅବସର, ଚାକିରିରେ ଥାଇ ମୃତ୍ୟୁ, ଇସ୍ତଫା, ଚାକିରିରୁ ବରଖାସ୍ତ ଆଦି ବିଭିନ୍ନ କାରଣରୁ ପ୍ରତି ମାସରେ କିଛି କିଛି ସରକାରୀ ପଦପଦବୀ ଖାଲି ହୋଇଥାଏ । କିନ୍ତୁ ଯେତେ ସଂଖ୍ୟକ ପଦବୀ ଖାଲି ହୁଏ ତାହା ତୁଳନାରେ ଗତ ୨୦ବର୍ଷ ଭିତରେ ନିଯୁକ୍ତି ସଂଖ୍ୟା ତୁଳନାତ୍ମକ ଭାବେ ଢେର କମ୍‍ ରହିଥାଏ ।

୨୦୨୩ ଶେଷ ସୁଦ୍ଧା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୬୩,୪୮୫ଟି ପଦବୀ ଖାଲି ପଡିଥିବାବେଳେ ଗୃହ ବିଭାଗରେ ୧୯,୮୮୯; ରାଜସ୍ୱ ବିଭାଗରେ ୧୧,୮୮୦; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୯,୧୨୭; ପଞ୍ଚାୟତିରାଜ ବିଭାଗରେ ୭୪୬୫; ଜଳ ସଂପଦ ବିଭାଗରେ ୭୫୬୭; କୃଷି ବିଭାଗରେ ୭୨୯୬; ମତ୍ସ୍ୟ ଓ ପଶୁ ସଂପଦ ବିଭାଗରେ ୬୦୭୨ଟି ପଦବୀ ଖାଲି ପଡ଼ିଥିଲା । ଅନ୍ୟ ବିଭାଗଗୁଡ଼ିକରେ ବି ବିଭିନ୍ନ ପାହ୍ୟାର ଢେର ସଂଖ୍ୟକ ପଦବୀ ଖାଲି ରହିଥିଲା ।

ଚଳିତବର୍ଷ ଜୁନ୍‍ ମାସରେ ହୋଇଥିôବା ନିଯୁକ୍ତି ମେଳାରେ ଦିଆଯାଇଥିବା ସୂଚନା ମୁତାବକ ଓଡ଼ିଶାରେ ବିଜେପି ସରକାର ଗଢ଼ାଯିବାର ପ୍ରଥମ ବର୍ଷରେ ୨୭,୪୨୮ଟି ପଦବୀ ପୂରଣ ହୋଇଥିବାବେଳେ ଦ୍ୱିତୀୟ ବର୍ଷରେ ଆଉ ପ୍ରାୟ ୩୮ ହଜାର ପଦବୀ ପୂରଣ ହେବାର ଅଛି । ଅର୍ଥାତ୍‍ ପ୍ରଥମ ଦୁଇବର୍ଷରେ ରାଜ୍ୟ ସରକାର ବିଭିନ୍ନ ଦପ୍ତରରେ ୬୫ ହଜାର ଖାଲି ପଦବୀ ପୂରଣ କରିବାକୁ ଯାଉଛନ୍ତି । ମୋଟାମୋଟି ଭାବେ ୫ବର୍ଷରେ ଅର୍ଥାତ୍‍ ୨୦୨୯ ଜୁନ୍‍ ସୁଦ୍ଧା ଓଡ଼ିଶା ସରକାର ଦେଢ଼ ଲକ୍ଷ ସରକାରୀ ଚାକିରିରେ ନିଯୁକ୍ତି ଦେବେ ବୋଲି କହୁଛନ୍ତି ।

୫ବର୍ଷ ଭିତରେ ଦେଢ଼ଲକ୍ଷରୁ ଅଧିକ ପଦପଦବୀ ଖାଲି ହେଉଥିବାବେଳେ ୨୦୩୦ ବେଳକୁ ମୋଟ ଖାଲି ପଦବୀ ସଂଖ୍ୟା ୨୦୨୪ ତୁଳନାରେ ଅଧିକ ହୋଇପାରେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୦୨୩ ଶେଷ ସୁଦ୍ଧା ୬୩ ହଜାରରୁ ଅଧିକ ପଦବୀ ଖାଲି ପଡିଥିବାବେଳେ ୩ବର୍ଷରେ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାଛଡ଼ା ୪୦ ହଜାର ନୂଆ ଶିକ୍ଷକ ପଦବୀ ସୃଷ୍ଟି କରାଯିବ ବୋଲି କୁହାଯାଇଛି । ଶିକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଚଳିତ ଶିକ୍ଷାବର୍ଷ ଭିତରେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଖାଲି ପଡିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କରିବା ଉପରେ ଶିକ୍ଷାବିତ୍‍ମାନେ ଗୁରୁତ୍ୱାରୋପ କରୁଛନ୍ତି । ଏହାଛଡ଼ା ବଢ଼ି ଚାଲିଥିବା ବେକାରୀ ସମସ୍ୟାର ସମାଧାନ ପାଇଁ ରାଜ୍ୟର ସମସ୍ତ ବିଭାଗରେ ଖାଲି ପଡିଥିବା ପଦପଦବୀ ସବୁ ୬ମାସ ଭିତରେ ପୂରଣ କରିବାକୁ ସରକାର ପଦକ୍ଷେପ ନେବା ସହିତ ପ୍ରତି ବର୍ଷ ଖାଲି ହେଉଥିବା ପଦବୀଗୁଡ଼ିକୁ ପୂରଣ କରାଯିବାର ଆବଶ୍ୟକତା ରହିଛି ବୋଲି ସେମାନେ କହୁଛନ୍ତି । (ତଥ୍ୟ)