ଭୁବନେଶ୍ୱର : ଦେଶରେ ଥିବା ହାଇକୋର୍ଟଗୁଡିକରେ ମୋଟ୍ ୩୬୫ଟି ବିଚାରପତି ଖାଲି ପଡିଥିବାବେଳେ ଏଥି ମଧ୍ୟରେ ଓଡିଶା ହାଇକୋର୍ଟରେ ୧୫ଟି ବିଚାରପତି ପଦବୀ ରହିଛି । କେନ୍ଦ୍ର ଆଇନ୍ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅରୁଣ ରାମ ମେଘୱାଲ ରାଜ୍ୟସଭାରେ ଦେଇଥିବା ଏକ ଉତ୍ତରରୁ ଏହି ସୂଚନା ମିଳିଛି ।
କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସୁପ୍ରିମ୍କୋର୍ଟ ପାଇଁ ୩୪ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଏଥିରୁ ୨ଟି ପଦବୀ ଖାଲି ପଡିଛି । ସେହିଭଳି ୨୪ଟି ହାଇକୋର୍ଟ ପାଇଁ ୧୦୮୦ଟି ବିଚାରପତି ପଦବୀ ଥିବାବେଳେ ଏଥିରୁ ୩୬୫ଟି ଖାଲି ଅଛନ୍ତି । ଓଡିଶା ହାଇକୋର୍ଟ ପାଇଁ ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ଖାଲି ଥିବାବେଳେ ଏଥିରୁ ୧୫ଟି ବିଚାରପତି ପଦବୀ ଖାଲି ରହିଛି ।
ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ପାଇର୍ ସର୍ବାଧିକ ୧୬୦ଟି ବିଚାରପତି ପଦବୀ ଥିବାବେଳେ ଏଥିରୁ ଅଧାରୁ ଅଧିକ ଅର୍ଥାତ୍ ୮୧ଟି ପଦବୀ ଖାଲି ରହିଛି । ବମ୍ବେ ହାଇକୋର୍ଟ ପାଇଁ ୯୪ଟି ବିଚାରପତି ପଦବୀ ଖାଲିଥିବାବେଳେ ସେଥି ମଧ୍ୟରୁ ୨୬ଟି ପଦବୀ ଖାଲି ଅଛି । ପଡୋଶୀ ଛତିଶଗଡ ହାଇକୋର୍ଟ ପାଇଁ ୨୨ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୬ଟି ଖାଲି ରହିଛି ଏବଂ ଝାଡଖଣ୍ଡ ହାଇକୋର୍ଟ ପାଇଁ ୨୫ଟି ପଦବୀ ଥିବାବେଳେ ଏଥିରୁ ୯ଟି ବିଚାରପତି ପଦବୀ ଖାଲି ରହିଥିବା ଜଣାଯାଇଛି । କୋଲକତା ହାଇକୋର୍ଟ ପାଇଁ ୭୨ଟି ବିଚାରପତି ପଦବୀ ମଞ୍ଜୁର ହୋଇଥିବାବେଳେ ଏଥିରୁ ୨୯ଟି ବିଚାରପତି ପଦବୀ ଖାଲି ପଡିଛି ।
ସେହିଭଳି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୫,୭୮୬ଟି ମଞ୍ଜୁରୀପ୍ରାପ୍ତ ଜୁଡିସିଆଲ ଅଫିସର ପଦବୀ ଥିବାବେଳେ ଏଥିରୁ ୫୩୨୦ଟି ପଦବୀ ଖାଲି ରହିଛି । ଓଡିଶା ପାଇଁ ୧୦୪୧ଟି ଜୁଡିସିଆଲ ଅଫିସର ମଞ୍ଜୁର ହୋଇଥିବାବେଳେ କାର୍ଯ୍ୟରତ ଅଛନ୍ତି ମାତ୍ର ୮୪୦ ଜଣ । ଅର୍ଥାତ୍ ରାଜ୍ୟରେ ୨୦୧ଟି ଜୁଡିସିଆଲ ପଦବୀ ଖାଲି ରହିଛି । ଉ୍ତରପ୍ରଦେଶ ପାଇଁ ସର୍ବାଧିକ ୩୭୦୦ଟି ଜୁଡିସିଆଲ ଅଫିସର ପଦବୀ ମଞ୍ଜୁର ଥିବାବେଳେ ଏଥି ମଧ୍ୟରୁ ୧୦୦୨ ଟି ପଦବୀ ଖାଲି ପଡିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ବିଚାରପତି ନିଯୁକ୍ତି ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ହାଇକୋର୍ଟଗୁଡିକରେ ବିଚାରପତିଙ୍କ ଅବସର ନେବା ସହିତ କିଛି ବିଚାରପତି କାର୍ଯ୍ୟ ଛାଡୁଥିବାରୁ ପଦବୀଗୁଡିକ ଖାଲି ପଡିଯାଉଛି । ୨୦୧୪ ମସଇ ମାସରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ହାଇକୋର୍ଟଗୁଡିକରେ ବିଚାରପତି ସଂଖ୍ୟା ୯୦୬ରୁ ୧୧୨୨କୁ ବୃଦ୍ଧି କରିଛନ୍ତି । ସେହିଭଳି ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ହାଇକୋର୍ଟରେ ୧୦୧୩ଜଣ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । (ତଥ୍ୟ)