Home News in Odia ଖାଲି ପଡିଛି କ୍ରୀଡା ପ୍ରଶିକ୍ଷକ ପଦବୀ

ଖାଲି ପଡିଛି କ୍ରୀଡା ପ୍ରଶିକ୍ଷକ ପଦବୀ

ଭୁବନେଶ୍ୱର : ରାଜ୍ୟକୁ କ୍ରୀଡା କ୍ଷେତ୍ରରେ ଏକ ନମ୍ବର କରିବାକୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ କ୍ରୀଡା ପ୍ରଶିକ୍ଷକଙ୍କ ଅଭାବ ଏ କ୍ଷେତ୍ରରେ ବାଧକ ସାଜିଛି । ରାଜ୍ୟରେ ଯେତିକି ସଂଖ୍ୟକ କ୍ରୀଡା ପ୍ରଶିକ୍ଷକ ପଦବୀ ରହିଛି ତାହାର ଅଧାରୁ ଅଧିକ ଖାଲି ପଡିଛି ।

ରାଜ୍ୟରେ ଏବେ ୧୬ଟି କ୍ରୀଡା ଛାତ୍ରାବାସ, ୧୧ଟି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର, ୧୦୬ଟି ଇଣ୍ଡୋର ହଲ୍‍, ୩ଟି ଫୁଟ୍‍ବଲ ପ୍ରଶିକ୍ଷଣ କେନ୍ଦ୍ର, ୧୩ଟି ସନ୍ତରଣାଗାର ଓ ୨୩ଟି ହକି ପ୍ରଶିକ୍ଷଣ କେନ୍ଦ୍ର ରହିଛି । ସେହିଭଳି ୧୬ଟି କ୍ରୀଡା ଛାତ୍ରାବାସରେ ୧୧୬୬ଜଣ ଓ ୧୧ଟି ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ୫୭୯ଜଣ କ୍ରୀଡାବିତ୍‍ଙ୍କୁ ତାଲିମ ଦିଆଯାଉଛି ।

ତେବେ କ୍ରୀଡାବିତ୍‍ମାନଙ୍କୁ ତାଲିମ ଦେବାପାଇଁ ରାଜ୍ୟରେ ୯ଟି ବରିଷ୍ଠ ପ୍ରଶିକ୍ଷକ ପଦବୀ ଥିବାବେଳେ ଏଥିରୁ ୫ଟି ଖାଲି ପଡିଛି । ସେହିଭଳି କନିଷ୍ଠ ଶିକ୍ଷକ ପଦବୀ ସଂଖ୍ୟା ୬୧ଟି ରହିଥିବାବେଳେ ଏଥିରୁ ୩୮ଟି ପଦବୀ ଖାଲି ପଡିଛି । ପ୍ରଶିକ୍ଷକ ପଦବୀ ଖାଲି ପଡିଥିବାରୁ ରାଜ୍ୟର କ୍ରୀଡାବିତ୍‍ମାନଙ୍କୁ ଯେଭଳି ପ୍ରଶିକ୍ଷଣ ଦିଆଯିବା କଥା ତାହା ହୋଇପାରୁ ନାହିଁ । ଉଲ୍ଲେଖନୀୟ ଯେ କ୍ରୀଡା ଛାତ୍ରାବାସରେ ବାଳିକା କ୍ରୀଡାବିତ୍‍ମାନଙ୍କ ପାଇଁ ୮୦୦ ଟଙ୍କା ଏବଂ ବାଳକ କ୍ରୀଡାବିତ୍‍ମାନଙ୍କ ପାଇଁ ୬୦୦ ଟଙ୍କାର ଶୌଚାଳୟ ଖର୍ଚ୍ଚ ଦିଆଯାଉଛି । ଏହାଛଡା ଖାଦ୍ୟଖର୍ଚ୍ଚ ବାବଦୁ ମୁଣ୍ଡପିଛା ଦୈନିକ ୨୭୫ଟଙ୍କା କରି ଯୋଗାଇ ଦିଆଯାଉଛି ।

ଭୁବନେଶ୍ୱରର ଦୁଇଟି କ୍ରୀଡା ଛାତ୍ରାବାସକୁ ମିଶାଇ ରାଜ୍ୟରେ ମୋଟ୍‍ ୧୬ଟି ଜିଲ୍ଲାରେ ଥିବା କ୍ରୀଡା ଛାତ୍ରାବାସରେ ୩୦୧୨ଟି ଆସନ ଥିବାବେଳେ ଏଥିରେ ୧୧ରୁ ସାମାନ୍ୟ ଅଧିକ କ୍ରୀଡାବିତ୍‍ ପ୍ରଶିକ୍ଷଣ ନେଉଛନ୍ତି । ମାଲକାନଗିରିରେ ଥିବା କ୍ରୀଡା ଛାତ୍ରାବାସରେ ୧୨୪ଟି ଆସନ ଥିବାବେଳେ ଏଠାରେ ଜଣେ ହେଲେ କ୍ରୀଡାବିତ୍‍ ନଥିବା ସରକାର ଉଳ୍ଲେଖ କରିଛନ୍ତି । ସେହିଭଳି ସୁନ୍ଦରଗଡର ୨୩୦ଟି ଆସନରେ ୭୦ଜଣ ଥିବାବେଳେ ରାଉରକେଲାର ପାନପୋଷ ଠାରେ ଥିବା ୮୦୦ ସିଟ୍‍ ବିଶିଷ୍ଟ କ୍ରୀଡା ଛାତ୍ରାବାସରେ ମାତ୍ର ୧୭୩ଜଣ ଛାତ୍ରଛାତ୍ରୀ ଅଛନ୍ତି । ବରହମପୁର କ୍ରୀଡାଛାତ୍ରାବାସରେ୨୬୪ ଆସନରେ ୨୮ଜଣ ଛାତ୍ରଛାତ୍ରୀ ଥିବାବେଳେ କେନ୍ଦୁଝର ଛାତ୍ରାବାସରେ ଥିବା ୨୦୦ଆସନରେ ମାତ୍ର ୭୫ଜଣ ରହିଛନ୍ତି । ଖୋଦ୍‍ ରାଜଧାନୀରେ ଥିବା ଦୁଇଟି ଛାତ୍ରାବାସରେ ୬୦୦ଆସନ ଥିବାବେଳେ ଏଠାରେ ସର୍ବାଧିକ ୩୭୦ ଜଣ ଛାତ୍ରଛାତ୍ରୀ ତାଲିମ ନେଉଛନ୍ତି ।

ରାଜ୍ୟର ଥିବା ଉଚ୍ଚ ପ୍ରଦର୍ଶନ କେନ୍ଦ୍ରଗୁଡିକରେ ଭାରତ୍ତୋଳନ, ଖୋ ଖୋ, ଫିକା ଏକାଡେମୀ, ସନ୍ତରଣ ଆଦି ପ୍ରତି ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ତୀରନ୍ଦାଜୀ, ଜିମନାଷ୍ଟିକ, ଆଥଲେଟିକ ଆଦି ପ୍ରତି ସେଭଳି ଆଗ୍ରହ ପ୍ରଦର୍ଶନ କରୁନାହାନ୍ତି । ତେବେ ପ୍ରଶିକ୍ଷକଙ୍କ ସଙ୍କଟ ଏ କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ ସାଜିଥିବା କୁହାଯାଉଛି । ରାଜ୍ୟ ସରକାର ତୁରନ୍ତ ପ୍ରଶିକ୍ଷକ ପଦବୀ ପୂରଣ ନକଲେ କେବଳ ବିଭିନ୍ନ କ୍ରୀଡାକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବ ନାହିଁ ଓଡିଶାରେ କ୍ରୀଡାର ମାନ ବି କମିବ ବୋଲି କ୍ରୀଡା ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)