Home General ଖାଦ୍ୟ ସୁରକ୍ଷାର ଚିତ୍ର ବଦଳାଇଛି ଆହାର

ଖାଦ୍ୟ ସୁରକ୍ଷାର ଚିତ୍ର ବଦଳାଇଛି ଆହାର

ଭୁବନେଶ୍ୱର : ସହରାଞ୍ଚଳରେ ଖାଦ୍ୟ ସୁରକ୍ଷାର ଚିତ୍ର ବଦଳି ଯାଇଛି । ଏଠାରେ କାର୍ଯ୍ୟରତ ଶ୍ରମଜୀବି, ଆର୍ଥିକ ଅନଗ୍ରସର ବର୍ଗର ଜନସାଧାରଣ, ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ହିତାଧିକାରୀଙ୍କ ନିକଟରେ ସୁଲଭ ମୂଲ୍ୟରେ ଗରମ ରନ୍ଧା ଖାଦ୍ୟ ଉପଲବ୍ଧ କରାଯାଉଛି । ଏହି ସଫଳତା ପଛରେ ରହିଛି ‘ଆହାର’ ଯୋଜନାର ସଫଳତା ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ଦିଗଦର୍ଶନରେ ୨୦୧୫ ଓଡ଼ିଶା ଦିବସ ପାଳନ ଅବସରରେ ‘ଆହାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପ୍ରାୟ ସାଢେ ସାତବର୍ଷ ବା ୯୦ ମାସ ଧରି ସଫଳତାର ସହ ଚାଲି ଆସିଥିବା ଏହି ସର୍ବଜନାଦୃତ କାର୍ଯ୍ୟକ୍ରମ ଏବେ ସହରାଞ୍ଚଳ ଖାଦ୍ୟ ସୁରକ୍ଷାର ନୂତନ ମାନଚିତ୍ର ପ୍ରସ୍ତୁତ କରିବା ସହ ଲକ୍ଷାଧିକ ଲୋକଙ୍କ ଜୀବନ ଧାରାରେ ଖୁସିର ଲହର ଖେଳାଇ ପାରିଛି । ତେବେ ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ ମିଶନ୍ ଶକ୍ତି ଗୋଷ୍ଠୀଙ୍କ ହାତରେ ଏହି ଆହାର କେନ୍ଦ୍ର ତଥା ରନ୍ଧନ ଶାଳା ମାନଙ୍କର ପରିଚାଳନା ନ୍ୟସ୍ତ କରି ସରକାର ମହିଳା ସଶକ୍ତୀକରଣର ବାର୍ତ୍ତାକୁ ସୁଦୂରପ୍ରସାରୀ କରି ପାରିଛନ୍ତି ।

ଏହି ସଫଳ ଯୋଜନାର ଦାୟିତ୍ୱ ରହିଛି ରାଜ୍ୟ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ଅଧିନରେ ଥିବା ସହରାଞ୍ଚଳ ବିକାଶ ସଂସ୍ଥା ବା ସୁଡା ହାତରେ । ସୁଡାର ନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀ ଶାରଦା ପ୍ରସାଦ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୫-ଟି ମାର୍ଗଦର୍ଶିକା ଯୋଜନାଟି ସଫଳତାର ସହ ଆଗକୁ ବଢିବାରେ ଲାଗିଛି । ଏବେ ସମଗ୍ର ରାଜ୍ୟରେ ୧୬୭ ଟି ଆହାର କେନ୍ଦ୍ର ଚାଲୁଛି ଯାହାର ପରିଚାଳନା ଦାୟିତ୍ୱରେ ୧୮୫ଟି ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ନିଯୋଜିତ ରହିଛନ୍ତି । ମାତ୍ର ୫ ଟଙ୍କାରେ ସୁସ୍ୱାଦୁ ପୁଷ୍ଟିକର ଭାତ ଡାଲମା ସହିତ ଆଚାର ପ୍ରସ୍ତୁତ ତଥା ପରିବେଷଣ କରିବା ପାଇଁ ୩୮ଟି କେନ୍ଦ୍ରୀୟ ରନ୍ଧନଶାଳା ଓ ବ୍ରହ୍ମପୁର , ଢେଙ୍କାନାଳ ତଥା ବାରିପଦା ସହରରେ ମିଶନ୍ ଶକ୍ତି ଗୋଷ୍ଠୀଙ୍କ ଉଦ୍ୟମରେ ୩ ଟି ଆଚାର ତିଆରି କେନ୍ଦ୍ର ସ୍ଥାପନ କରାଯାଇଛି ।

ଅତ୍ୟାଧୁନିକ ଷ୍ଟେନଲେସ୍ ଷ୍ଟିଲ୍ ରନ୍ଧନ ଉପକରଣ ଓ ପରଷିବା ପାତ୍ର ସହ ୮୬ଟି ପରିଷ୍କାର ଓ ବିଶୋଧିତ ପରିବହନ ଯାନରେ ଏହି ରନ୍ଧା ଖାଦ୍ୟ ବିଭିନ୍ନ ଆହାର କେନ୍ଦ୍ର ମାନଙ୍କରେ ସୁସଂଯୋଜିତ ଉପାଯରେ ପହଞ୍ଚାଯାଉଛି । ରାଜ୍ୟ ସରକାର ଏବେ ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ୫୫ଟି ନୂତନ କେନ୍ଦ୍ରୀୟ ରନ୍ଧନଶାଳା ର୍ନିମାଣ ସହିତ ମିଶନ୍ ଶକ୍ତି ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ୱ ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ପୂର୍ବରୁ ସହରାଞ୍ଚଳରେ କାମ କରୁଥିବା ଶ୍ରମଜୀବି ମହିଳା ପିଲାଙ୍କ ଦାୟିତ୍ୱ ନେବା ସହ ଖାଦ୍ୟ ପ୍ରସ୍ତୁତ କରି ର୍ନିମାଣ ସ୍ଥଳକୁ ଆସିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେୟ ଏବେ ସୁଲଭ ମୂଲ୍ୟରେ ଭୋଜନ ମିଳିବା ଫଳରେ ସେମାନଙ୍କ ଅସୁବିଧା ଦୂର ହେବା ସହ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଲମ୍ବା ରହଣି ମଧ୍ୟରେ ଦିନ ଓ ରାତିରେ ଖାଦ୍ୟ ପାଇଁ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇପାରୁଛନ୍ତି । ଏଯାବତ ଆହାର କେନ୍ଦ୍ର ମାନଙ୍କରେ ୧୩ କୋଟି ଭୋଜନ ପରିବେଷିତ ହୋଇଥିବା ସ୍ଥଳେ, କୋଭିଡ଼ ମହାମାରୀର ଭୟାବହତା କାଳରେ ୧ କୋଟିରୁ ଅଧିକ ଭୋଜନ ଲୋକଙ୍କ ପାଖରେ ପହଞ୍ଚାଯାଇପାରିଛି । ଏହି “ଆହାର କେନ୍ଦ୍ର’ ମାନଙ୍କର ପରିଚାଳନା ନିମନ୍ତେ କୌଣସି ଯୋଜନା ପାଇଁ ଉଦ୍ଦିଷ୍ଟ ଅନୁଦାନ ଉପରେ ର୍ନିଭର ନ କରି ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷ ଭଳି ସ୍ୱତନ୍ତ୍ର ପାଣ୍ଠିର ଉପଯୋଗ କରାଯାଉଛି ।

ମିଶନ୍ ଶକ୍ତି ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା) ଜରିଅ ।ରେ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମହୀଶୂର ସ୍ଥିତ କେନ୍ଦ୍ରୀୟ ଖାଦ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନକୁ ପରିଦର୍ଶନ କରି ଜ୍ଞାନ ଆହରଣ କରିବାକୁ ଓଡ଼ିଶାର ମିଶନ୍ ଶକ୍ତି ଗୋଷ୍ଠୀଙ୍କୁ ସୁଯୋଗ ଦିଆଯାଇ ଖାଦ୍ୟର ମାନ ଓ ଗୁଣବତ୍ତା ସୁନିଶ୍ଚିତ କରାଯାଇଛି । ସହରାଞ୍ଚଳର ବିଭିନ୍ନ ବର୍ଗର ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ତ୍ୱରାନ୍ୱିତ କରି ” ବିଶ୍ୱର ଏକ ଅନନ୍ୟ ଲୋକାଭିମୁଖୀ ଯୋଜନା ରୂପେ ମାନ୍ୟତା ପାଇବା ସହ ପ୍ରଶଂସିତ ହୋଇପାରିଛି । “ପାଞ୍ଚ ଟଙ୍କାରେ ଭୋଜନ, ଆନନ୍ଦ ସଭିଙ୍କର ମନ’ ବାର୍ତ୍ତା ଏବେ ସଫଳ ରୂପାୟିତ ହୋଇ ପାରିଛି ।