ଭୁବନେଶ୍ୱର : ବ୍ୟାପକ ଯୋଜନା ସତ୍ତ୍ୱେ ଏବେ ବି ଓଡ଼ିଶା ଡାଲି, ତେଲ, ଗହମ, ଆଳୁ, ପିଆଜ ଓ ଲୁଣ ଇତ୍ୟାଦି ପାଇଁ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରୁଛି । ସଂରକ୍ଷଣ ଓ ବିପଣନ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଆଗାମୀ ବର୍ଷରେ ଏଭଳି ନିର୍ଭରଶୀଳତା ଅଧିକ ବଢ଼ିପାରେ ।
ଏବେ ନିଜର ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟରୁ ବାର୍ଷିକ ହାରାହାରି ୩ ଲକ୍ଷ ମେଟ୍ରିକ୍ ଟନ୍ ଡାଲି, ୨ଲକ୍ଷ ୭୫ହଜାର ମେଟ୍ରିକ୍ ଟନ୍ ଖାଇବା ତେଲ, ୬ ଲକ୍ଷ ମେଟ୍ରିକ୍ ଟନ୍ ଗହମ, ୧୦ଲକ୍ଷ ମେଟ୍ରିକ୍ ଟନ୍ ଆଳୁ, ୩ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଓ ୬ ଲକ୍ଷ ମେଟ୍ରିକ୍ ଟନ୍ରୁ ଊର୍ଦ୍ଧ୍ୱ ଲୁଣ ଆମଦାନୀ କରୁଛି । ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ସହ ୧୧୦୦ ବର୍ଗକିଲୋମିଟର ଅଞ୍ଚଳ ପରିମିତ ଚିଲିକା ହ୍ରଦ ରହିଛି ।
ତେବେ ଏଭଳି ବିପୁଳ ପ୍ରାକୃତିକ ସମ୍ପଦ ଉପଲବ୍ଧ ଥିବା ସତ୍ତ୍ୱେ ଓଡ଼ିଶା ବର୍ଷକୁ ୧୦ହଜାର ମେଟ୍ରିକ୍ ଟନ୍ ଲୁଣ ବି ଉତ୍ପାଦନ କରିପାରୁନାହିଁ । ବିଶେଷଜ୍ଞମାନେ କହୁଛନ୍ତି ଯେ ଓଡ଼ିଶାର ଯେଭଳି ପ୍ରାକୃତିକ ଭିତ୍ତିଭୂମି ରହିଛି ସେଥିରୁ ବାର୍ଷିକ ଅନ୍ୟୁନ ୬୦ ଲକ୍ଷ ମେଟ୍ରିକ୍ ଟନ୍ ଲୁଣ ଉତ୍ପାଦନ କରାଯାଇପାରିବ ଏବଂ ଏହା ହୋଇପାରିଲେ ଓଡ଼ିଶା ଅନ୍ୟତ୍ର ଲୁଣ ରପ୍ତାନି ସହିତ ବ୍ୟାପକ କର୍ମନିଯୁକ୍ତି ଓ ଆର୍ଥିକ ସମୃଦ୍ଧିର ସୁବିଧା ସୃଷ୍ଟି କରିପାରିବ ।
ଓଡ଼ିଶାରେ ଆଳୁ, ପିଆଜ, ତୈଳବୀଜ ଓ ଡାଲି ଉତ୍ପାଦନ ପାଇଁ ଅନୁକୂଳ ମୃତ୍ତିକା ଓ ଜଳବାୟୁ ରହିଛି । ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ ସରକାର ଆଳୁ ମିଶନ୍ ଆରମ୍ଭ କରିଥିଲେ ଏବଂ ୨୦୧୮-୧୯ ବେଳକୁ ଏ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହେବାର ଲକ୍ଷ୍ୟ ରଖାଯାଇଥିଲା । ଏବେ ବାର୍ଷିକ ୧୩ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଆଳୁ ରାଜ୍ୟ ପାଇଁ ଆବଶ୍ୟକ ପଡ଼ୁଥିବା ବେଳେ ଉତ୍ପାଦନ ୪ ଲକ୍ଷ ଟନ୍କୁ ଟପୁନାହିଁ । ଫଳରେ ଓଡ଼ିଶାକୁ ମୁଖ୍ୟତଃ ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି ।
ପିଆଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ହେଲାଣି ବୋଲି କୁହାଯାଉଥିଲେ ମଧ୍ୟ ସଂରକ୍ଷଣ ଅଭାବରୁ ଉତ୍ପାଦନ ସମୟରେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ନାମମାତ୍ର ଦରରେ ପିଆଜ କିଣିନେଇ ୧୦ଗୁଣରୁ ଅଧିକ ଦାମ୍ରେ ପରବର୍ତ୍ତୀ ସମୟରେ ଖାଉଟିଙ୍କୁ ବିକୁଛନ୍ତି । ଚାଷ, ଉତ୍ପାଦନ, ସଂରକ୍ଷଣ ଓ ବିପଣନ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିଲେ ଓଡ଼ିଆଙ୍କ ପଖାଳ କଂସା ପାଇଁ ନାସିକ୍ ପିଆଜ ଲୋଡ଼ା ପଡ଼ନ୍ତା ନାହିଁ ।
ସେହିପରି ଚିନାବାଦାମ, ସୋରିଷ, ଅଳସି, ନଡ଼ିଆ ଆଦି ଓଡ଼ିଶାରେ ଯେତିକି ଉତ୍ପାଦିତ ହେଉଛି ସମନ୍ୱୟ ରକ୍ଷା କରାଯାଇପାରିଲେ ତାହା ୧୦ଗୁଣ ବଢ଼ିପାରନ୍ତା ବୋଲି କୃଷି ବିଶେଷଜ୍ଞମାନେ କହୁଛନ୍ତି । ତେବେ ରାଜ୍ୟରେ ଯେତିକି ନଡ଼ିଆ ଓ ଅନ୍ୟ ତୈଳବୀଜ ଉତ୍ପାଦିତ ହେଉଛି ତାହାର ମୁଖ୍ୟାଂଶ ଅନ୍ୟ ରାଜ୍ୟକୁ ଚାଲି ଯାଉଥିବା ଏବଂ ଓଡ଼ିଶାରେ ତେଲ ପ୍ରସ୍ତୁତି ଲାଗି ସେଭଳି ବ୍ୟବସ୍ଥା ନ ଥିବାରୁ ପୁଞ୍ଜିପତିମାନଙ୍କ କମ୍ପାନୀ ତିଆରି ତେଲ ଉପରେ ନିର୍ଭର କରିବାକୁ ପଡ଼ୁଛି ।
ଡାଲି ଉତ୍ପାଦନ ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ଡାଲି ପ୍ରକ୍ରିୟାକରଣ ଶିଳ୍ପ ଚାହିଦା ମୁତାବକ ନାହିଁ । ତେଣୁ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ତାମିଲନାଡ଼ୁ ଆଦି ଉପରେ ଆମକୁ ଡାଲି ପାଇଁ ବି ନିର୍ଭରଶୀଳ ହେବାକୁ ପଡ଼ୁଛି । କୃଷି କ୍ଷେତରୁ ହାଣ୍ଡିଶାଳ ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥାରେ ସମନ୍ୱୟ ରକ୍ଷାକରାଯାଇପାରିଲେ ଓଡ଼ିଶା ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କେବଳ ସ୍ୱାବଲମ୍ବୀ ନୁହେଁ ବଳକା ରାଜ୍ୟରେ ପରିଣତ ହୋଇପାରିବ ବୋଲି କୃଷି ବିଶେଷଜ୍ଞମାନେ ବେଶ୍ ଆଶାବାଦୀ ।