ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଦୈନିକ ନୂଆ ନୂଆ ସଂସ୍ଥା ବିଭିନ୍ନ ଖାଦ୍ୟ ସାମଗ୍ରୀ ବିଶେଷକରି କ୍ଷୀର, ଅଟା, ମସଲାଗୁଣ୍ଡ ଆଦିକୁ ପ୍ୟାକେଟରେ ବିକ୍ରି କରୁଥିବାବେଳେ ଏହାର ମାନ ଜାଣିବାପାଇଁ ହେଉଥିବା ଯାଞ୍ଚ ସଂଖ୍ୟା ଢେର କମ୍ ରହିଛି । ବର୍ଷକ ମଧ୍ୟରେ ସରକାରୀ ସ୍ତରରେ ଦେଢ ହଜାର ଖାଦ୍ୟ ନମୂନା ବି ପରୀକ୍ଷା ହେଉନାହିଁ ।
ଖାଦ୍ୟ ସାମଗ୍ରୀ ବିଶେଷକରି ଦୁଗ୍ଧ, ଖାଇବା ତେଲ, ଗୁଡ, ମସଲାଗୁଣ୍ଡ ଆଦିର ନିୟମିତ ଯାଞ୍ଚ ରାଜ୍ୟ ସରକାର କରିଥାନ୍ତି । ଏଥି ସହିତ ମାଛ, ମାଂସ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ନମୂନା ପରୀକ୍ଷା ହୋଇଥାଏ । ଖାଦ୍ୟ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ବିଭିନ୍ନ ସ୍ଥାନରୁ ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଥାନ୍ତି ଓ ସେଠାରୁ ରିପୋର୍ଟ ମିଳିବାପରେ ଅପମିଶ୍ରଣକାରୀ ଓ ନିମ୍ନମାନ ଖାଦ୍ୟ ପ୍ରସ୍ତୁତକାରୀ ଓ ବିକ୍ରେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।
ତେବେ ମିଳିଥିବା ସୂଚନାରୁ ଜଣାଯାଇଛି ଯ ଓଡିଶାରେ ୨୦୧୮-୧୯ ବର୍ଷରେ ୩୨୭ଟି ଖାଦ୍ୟ ନମୂନା ପରୀକ୍ଷା ହୋଇଥିବାବେଳେ ୨୦୧୯-୨୦ ବର୍ଷରେଏହା ୭୦୨କୁ ବୃଦ୍ଧି ପାଇଥିଲା । ୨୦୨୦-୨୧ ବର୍ଷରେ ଏହି ସଂଖ୍ୟା ୧୦୩୭ରେ ପହଞ୍ଚିଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୧୧୬୮ ହୋଇଥିଲା । ସେହିବର୍ଷ ନମୂନା ପରୀକ୍ଷା ପରେ ୪୩ଟି ଫୌଜଦାରୀ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।
ବର୍ତ୍ତମାନ ଲୋକଙ୍କ ମଧ୍ୟରେ ପ୍ୟାକିଂ ହୋଇଥିବା ଖାଦ୍ୟ ସାମଗ୍ରୀ ପ୍ରତି ଆଗ୍ରହ ଦେଖି ଅନେକ କମ୍ପାନୀ ଓ ସଂସ୍ଥା ସେମାନଙ୍କ ଖାଦ୍ୟକୁ ଜରି ମୁଣାରେ ପୂରାଇ ବିକ୍ରି କରୁଛନ୍ତି । ଏପରିକି କ୍ଷୀର ବ୍ୟବସାୟୀମାନେ ମଧ୍ୟରେ କ୍ଷୀରକୁ ପ୍ୟାକେଟରେ ପୂରାଇ ଘରେ ଘରେ ଦେଉଛନ୍ତି । ଏଥି ସହିତ ବିଭିନ୍ନ ପ୍ରକାର ମସଲାଗୁଣ୍ଡ, ଛତୁଆ ଠାରୁ ଆରମ୍ଭକରି ଚିନାବାଦାମ, ଖଜୁରୀ ଓ ଚଣା ଆଦି ବି ପ୍ୟାକେଟ୍ ପଶି ବିକ୍ରି ହେଉଛି ।
ଖାଦ୍ୟ ସାମଗ୍ରୀକୁ ପ୍ୟାକେଟ୍ରେ ପୂରାଇ ବିକ୍ରି କରିବା ଲାଗି ବଡ ବଡ କମ୍ପାନୀ ସହିତ ଏବେ ସ୍ଥାନୀୟ ଛୋଟ ଛୋଟ କମ୍ପାନୀ ଏକ ପ୍ରକାର ପତିଦ୍ୱନ୍ଦିତା ଚଳାଇଛନ୍ତି । ତେବେ ଏହିସବୁ ଛୋଟ ଛୋଟ ସଂସ୍ଥାର ଖାଦ୍ୟ ମାନ ପରୀକ୍ଷାପାଇଁ କି ପ୍ରକାର ବ୍ୟବସ୍ଥା ରହିଛି ତାହାର ଯାଞ୍ଚ ହେଉନାହିଁ । ଅବଶ୍ୟ ମଝିରେ ମଝିରେ ପୁଲିସ ଓ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଚଢାଉ କରି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଓ ନିମ୍ନମାନର ଖାଦ୍ୟ ସାମଗ୍ରୀ ଜବତ କରୁଛନ୍ତି ।
ହେଲେ ବଜାରରେ ଉପଲବ୍ଧ ସାମଗ୍ରୀର ଯେଭଳି ନମୂନା ଯାଞ୍ଚ ହେବାକଥା ତାହା ହେଉନଥିବା ଖାଉଟିମାନେ ମତ ଦେଉଛନ୍ତି । ବିଶେଷକରି ସ୍ଥାନୀୟ ବ୍ୟବସାୟୀମାନେ ଯୋଗାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ, ମସଲା, ଘିଅ ଆଦିର ନିମୟିତ ଯାଞ୍ଚ ଏବଂ ଅଧିକ ସଂଖ୍ୟାରେ ନମୂନା ପରୀକ୍ଷା କରାଗଲେ ବ୍ୟବସାୟୀମାନେ ଏହାର ଗୁଣମାନ ପ୍ରତି ଅଧିକ ଧ୍ୟାନ ଦିଅନ୍ତେ ବୋଲି ଖାଉଟିମାନେ ମତ ଦେଉଛନ୍ତି । ତେବେ ବଜାରରେ ଖୋଲା ମେଲାରେ ବିକ୍ରି ହେଉଥିବା ଏକାଧିକ ଖାଦ୍ୟ ସାମଗ୍ରୀର ନମୂନା ସଂଗ୍ରହ ପାଇଁ ପର୍ଯ୍ୟାପ୍ତ ପରିମାଣର ଅଧିକାରୀ ଓ କର୍ମଚାରୀ ନଥିବା ଏ କ୍ଷେତ୍ରରେ ବାଧକ ସୃଷ୍ଟି କରୁଛି । (ତଥ୍ୟ)