ଭୁବନେଶ୍ୱର : ଚାଉଳକୁ ବାଦ୍ ଦେଲେ ଅଧିକାଂଶ ଖାଦ୍ୟ ଶସ୍ୟ ଅନ୍ୟ ରାଜ୍ୟକୁ ଆମଦାନୀ ହେଉଛି । ରାଜ୍ୟରେ ବିଭିନ୍ନ ପ୍ରକାରର ଖାଦ୍ୟ ଶସ୍ୟର ଆବଶ୍ୟକତା ଓ ଆମଦାନୀ ସଂକ୍ରାନ୍ତରେ ବିଜେପି ବିଧାୟକ ମୋହନ ଚରଣ ମାଝି ପଚାରିଥିବା ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟରେ ବାର୍ଷିକ ୭୧.୨୩ ଲକ୍ଷ ମେଟ୍ରିକ ଟନ୍ ଚାଉଳର ଆବଶ୍ୟକତା ଥିବାବେଳେ ୨.୯୫ଲକ୍ଷ ଟନ୍ ଡାଲି, ୫.୪୯ଲକ୍ଷ ଟନ୍ ଗହମ, ୨.୫୯ଲକ୍ଷ ଟନ୍ ଖାଇବା ତେଲ, ୧୩.୨୫ଲକ୍ଷ ଟନ୍ ଆଳୁ, ୩.୫୫ଲକ୍ଷ ଟନ୍ ପିଆଜ, ୨.୨୪ଲକ୍ଷ ଟନ୍ ଚିନି ଓ ୧.୯୪ଲକ୍ଷ ଟନ୍ ଆଳୁର ଆବଶ୍ୟକତା ରହିଛି । ରାଜ୍ୟର ଆଭ୍ୟନ୍ତରୀଣ ଉତ୍ପାଦନ ସହ ଖୋଲା ବଜାରର ଚାହିଦା ମୁତାବକ ଖାଉଟି ସାମଗ୍ରୀ ଅନ୍ୟ ରାଜ୍ୟମାନଙ୍କରୁ ଆମଦାନୀ କରାଯାଇଥାଏ ।
ଉତ୍ତରପ୍ରଦେଶ, ଛତିଶଗଡ ଓ ବିହାରରୁ ଗହମ ଆଦାନୀ ହେଉଥିବାବେଳେ ଡାଲି ଓ ଡାଲିଜାତୀୟ ଶସ୍ୟ ମହାରାଷ୍ଟ୍ର, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରୁ ଆସିଥାଏ । ସେହିଭଳି ଖାଇବା ତେଲ ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆମଦାନୀ ହେଉଥିବାବେଳେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ ଓ ପଶ୍ଚିମବଙ୍ଗରୁ ପିଆଜ ଏବଂ ଗୁଜୁରାଟ, ତାମିଲନାଡୁ ଓ ଆନ୍ଧପ୍ରଦେଶରୁ ଲୁଣ ଆମଦାନୀ ହେଉଥିବା ମନ୍ତ୍ରୀ କହିଛନ୍ତି । (ତଥ୍ୟ)