Home Health ଖାଦ୍ୟ ଯାଞ୍ଚ ପାଇଁ ନାହାନ୍ତି ଅଧିକାରୀ

ଖାଦ୍ୟ ଯାଞ୍ଚ ପାଇଁ ନାହାନ୍ତି ଅଧିକାରୀ

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଖାଦ୍ୟ ଗୁଣବତ୍ତା ଯାଞ୍ଚ କରିବାକୁ ନାହାନ୍ତି ଆବଶ୍ୟକ ସଂଖ୍ୟକ ଅଧିକାରୀ । ପାଞ୍ଚଟି ମହାନଗର ନିଗମ ସହିତ ୧୧୩ଟି ପୌରାଞ୍ଚଳରେ ଖାଦ୍ୟ ଯାଞ୍ଚ ପାଇଁ ମାତ୍ର ୬୧ଜଣ ଖାଦ୍ୟନିରାପତ୍ତା ଅଧିକାରୀ ଥିବାବେଳେ ସେମାନଙ୍କ କାର୍ଯ୍ୟ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି ।

ରାଜ୍ୟବାସୀ କିଭଳି ଶୁଦ୍ଧ ଓ ଉଚ୍ଚ ଗୁଣମାନର ଖାଦ୍ୟ ଖାଇବେ ତାହାର ଦାୟିତ୍ୱ ରହିଛି ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଉପରେ । ଚାଉଳ, ଡାଲି ଠାରୁ ଆରମ୍ଭକରି ତେଲ ଓ ମାଛ, ମାଂସ ପର୍ଯ୍ୟନ୍ତ ପ୍ରତ୍ୟେକ ଖାଦ୍ୟର ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇବା ସେମାନଙ୍କର ଦାୟିତ୍ୱ । ପରୀକ୍ଷା ସମୟରେ ଯଦି କୌଣସି ଖାଦ୍ୟ ନିମ୍ନମାନର ବୋଲି ଜଣାପଡେ ତେବେ ଖାଦ୍ୟ ନିରାପତ୍ତା ଆଇନ୍‍ ୨୦୦୬ ଅନୁଯାୟୀ ଦଣ୍ଡ ବିଧାନ ଓ କାର୍ଯ୍ୟାନୁଷ୍ଠାନ ହେବାର ବ୍ୟବସ୍ଥା ରହିଛି ।

ହେଲେ ରାଜ୍ୟର ପ୍ରତ୍ୟେକ ପୌରାଞ୍ଚଳରେ ଜଣେ କରି ବି ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି । ୬୧ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ମଧ୍ୟରୁ ଭୁବନେଶ୍ୱର ମହାନଗରରେ କେବଳ ଛଅ ଜଣ ରହିଛନ୍ତି । ସେହିଭଳି ଖାଦ୍ୟ ନିରାପତ୍ତା ଅଧିକାରୀଙ୍କର ଛୁଟି ଓ ଅନ୍ୟାନ୍ୟ କାର୍ଯ୍ୟ ବି ରହିଛି । ତେଣୁ ପ୍ରତ୍ୟେକ ସହରାଞ୍ଚଳରୁ ଖାଦ୍ୟ ନମୂନା ସଂଗ୍ରହ କରିବା ଏତେଟା ସହଜ ନୁହେଁ ।

ରାଜ୍ୟର ସହରାଞ୍ଚଳରେ ନିୟମିତ ଖାଦ୍ୟ ସାମଗ୍ରୀ ସହିତ ଚଟ୍‍ପଟି ଖାଦ୍ୟର ବ୍ୟବସାୟ ବଢିବାରେ ଲାଗିଛି । ସଞ୍ଜ ନଇଁଲେ ସହରର ରାସ୍ତାକଡରେ ବ୍ୟବସାୟୀମାନେ ପସରା ଖୋଲୁଛନ୍ତି । ଖୋଲା ଆକାଶ ତଳେ ଆମିଷ, ନିରାମିଷ ଖାଦ୍ୟର ପସରା ଖୋଲୁଛନ୍ତି । ଏହିସବୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ପାଇଁ ଅତ୍ୟନ୍ତ ନିମ୍ନମାନର ଟମାଟୋ, ଚିଲି ସସ୍‍ ସମେତ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର ହେଉଥିବାର ଅଭିଯୋଗ ବି ବିଭିନ୍ନ ସମୟରେ ଆସୁଛି । ହେଲେ ଏଗୁଡିକର ଯାଞ୍ଚ ପାଇଁ ଆବଶ୍ୟକ ଅଧିକାରୀ ନଥିବାରୁ ବ୍ୟବସାୟୀମାନେ ବେଧଡକ ଭାବେ ନିମ୍ନମାନର ସାମଗ୍ରୀ ବିକ୍ରି କରିବାରେ ଲାଗିଛନ୍ତି ।

ସେହିଭଳି ରାଜଧାନୀ ସମେତ ପ୍ରତ୍ୟେକ ସହରାଞ୍ଚଳରେ ଖୋଲାରେ ମାଂସ, ମାଛ ଆଦି ଆମିଷ ସାମଗ୍ରୀ ବିକ୍ରି ହେଉଥିବାବେଳେ ଏହାର ବି ନିୟମିତ ଯାଞ୍ଚ ହେଉନାହିଁ । ଯେତେବେଳେ କୌଣସି ସ୍ଥାନରୁ ଅଭିଯୋଗ ଆସୁଛି ଧର୍ମକୁ ଆଖିଠାର ମାରିଲା ଭଳି ଯାଞ୍ଚ ହେଉଛି । ନାଳ ନର୍ଦ୍ଦମା ଉପରେ ମାଂସ ଓ ମାଛ ବିକ୍ରି ହେଉଥିଲେ ମଧ୍ୟ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ଏଥି ପ୍ରତି ଦୃଷ୍ଟି ପଡୁନାହିଁ । ଫଳରେ ସହରାଞ୍ଚଳର ଲୋକେ ଅତ୍ୟନ୍ତ ନିମ୍ନମାନର ମାଛ, ମାଂସ ଖାଉଥିବାର ଅଭିଯୋଗ ଆସୁଛି ।

ବର୍ତ୍ତମାନ ରାଜ୍ୟର ସହରାଞ୍ଚଳରେ ଫାଷ୍ଟଫୁଡ୍‍ ଖାଦ୍ୟର ଚାହିଦା ବଢୁଥିବାବେଳେ ଏଥିରେ ବିଭିନ୍ନ ପ୍ରକାର ପ୍ରକ୍ରିୟାକୃତ ସାମଗ୍ରୀ ବ୍ୟବହାର ହେଉଛି । ତେଣୁ ଏଭଳି ଖାଦ୍ୟର କଡାକଡି ଯାଞ୍ଚ ନହେଲେ ଆଗାମୀ ଦିନରେ ରାଜ୍ୟରେ ପେଟରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି । ତେଣୁ ରାଜ୍ୟର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଆବଶ୍ୟକ ଖାଦ୍ୟ ନିରାପତ୍ତା ଅଧିକାର ନିଯୁକ୍ତ ସହିତ ଖାଦ୍ୟ ସାମଗ୍ରୀର ଯାଞ୍ଚ କଡାକଡି କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)