ଭୁବନେଶ୍ୱର : ରାଜ୍ୟରୁ ବାର୍ଷିକ ପ୍ରାୟ ୫୫ହଜାର କୋଟି ଟଙ୍କାର ଧାନ, ଡାଲି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉତ୍ପାଦନ ହେଉଥିବାବେଳେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ତେବେ ଏହି ବିପୁଳ ଖାଦ୍ୟ ସାମଗ୍ରୀ ମଧ୍ୟରୁ ମାତ୍ର ୧୦ ପ୍ରତିଶତର ପ୍ରକ୍ରିୟାକରଣ ହେଉଥିବାବେଳେ ଅବଶିଷ୍ଟ ୯୦ ପ୍ରତିଶତ ପାଇଁ ଏମ୍ଏସ୍ଏମଇ କ୍ଷେତ୍ରରେ ପ୍ରକ୍ରିୟାକରଣର ସୁଯୋଗ ଅଛି ।
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜିନିବେଶ ସୁଯୋଗ ସଂକ୍ରାନ୍ତୀୟ ଆଲୋଚନାଚକ୍ରରେ ଏହିମତ ପ୍ରକାଶ ପାଇଛି । ଶିଳ୍ପ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ବରିଷ୍ଠ ଆଇଏଏସ୍ ଅଫିସର ସଞ୍ଜିବ କୁମାର ମିଶ୍ର, ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।
ଓଡ଼ିଶାର ଜଳବାୟୁ ଖାଦ୍ୟ ସାମଗ୍ରୀ ଉତ୍ପାଦନ ପାଇଁ ଅତ୍ୟନ୍ତ ଅନୁକୂଳ । ଏଠାରେ ଦଶଟି ଆଗ୍ରୋ-କ୍ଲାଏମେଟିକ୍ ଜୋନ୍ ଥିବା ବେଳେ ୮କିସମର ମୃତ୍ତିକା ରହିଛି ଯାହାକି ବିଭିନ୍ନ ପ୍ରକାରର ଶସ୍ୟ, ପନିପରିବା, ଫଳ ଓ ମସଲା ଉତ୍ପାଦନ ପାଇଁ ବେଶ୍ ଅନୁକୂଳ । ରାଜ୍ୟରେ ୩,୬୩,୦୦୦ ହେକ୍ଟର ଜମିରେ କୃଷି ଓ ଉଦ୍ୟାନ କୃଷି ହେଉଥିବା ବେଳେ ବର୍ଷକୁ ବର୍ଷ ଏହା ବଢ଼ିବାରେ ଲାଗିଛି । ପନିପରିବା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ଚତୁର୍ଥ ବୃହତ୍ତମ ରାଜ୍ୟ ।
ଏଠାରେ ୪୮୦ କିମି ଦୈର୍ଘ୍ୟର ଉପକୂଳ ଥିବା ବେଳେ ଚିଲିକା ଭଳି ହ୍ରଦକୁ ମିଶାଇ ୪,୧୮,୦୦୦ ହେକ୍ଟରର ପରିମିତ ହ୍ରଦ ରହିଛି । ତେଣୁ ଓଡ଼ିଶା ମଧୁର ମାଛ, ସାମୁଦ୍ରିକ ମାଛ ଉତ୍ପାଦନ କ୍ଷେତ୍ରରେ ସମଗ୍ର ଦେଶରେ ପ୍ରମୁଖ ସ୍ଥାନ ହାସଲ କରିଛି । ରାଜ୍ୟର ଚାହିଦା ମେଣ୍ଟାଇବା ସହିତ ଥାଇଲାଣ୍ଡ, ଇଣ୍ଡୋନେସିଆ, ଭିଏତ୍ନାମ ଭଳି ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରକୁ ଭାରତ ବ୍ୟାପକ ମାଛ ଓ ମତ୍ସ୍ୟଜାତ ସାମଗ୍ରୀ ରପ୍ତାନି କରୁଛି ।
ସେହିଭଳି ଓଡ଼ିଶା ସମଗ୍ର ଦେଶରେ କାଜୁ ଉତ୍ପାଦନ କ୍ଷେତ୍ରରେ ତୃତୀୟ ସ୍ଥାନରେ ଥିବା ବେଳେ ନଡ଼ିଆ ଉତ୍ପାଦନରେ ଚତୁର୍ଥ, ଚାଉଳରେ ଷଷ୍ଠ, ମାଛରେ ନବମ, ଚିଙ୍ଗୁଡ଼ି ଉତ୍ପାଦନରେ ଚତୁର୍ଥ ସ୍ଥାନରେ ରହିଛି । ଏଥିସହିତ ଦେଶରେ ଯେତେ ଫୁଲ ଉତ୍ପାଦନ ହେଉଛି ତାହାର ତିନି ପ୍ରତିଶତ ଓଡ଼ିଶାରେ ମିଳୁଥିବା ବେଳେ ମସଲାର ୫ ପ୍ରତିଶତ ମଧ୍ୟ ଏଠାରେ ଉତ୍ପାଦିତ ହେଉଛି । କେବଳ ଫୁଲ, ମାଛ କିମ୍ବା କାଜୁ ନୁହେଁ ଧାନ, ତୈଳବୀଜ, ମକା, ଆଳୁ, ଲଙ୍କା, ଅଦା, ହଳଦୀ ଓ ଆଖୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ରାଜ୍ୟ ।
ରାଜ୍ୟରେ ବାର୍ଷିକ ପ୍ରାୟ ୧୧ନିୟୁତ ଟନ୍ ଧାନ ଓ ଡାଲି ଜାତୀୟ ଶସ୍ୟ, ଦେଢ଼ଲକ୍ଷ ଟନ୍ ଫଳ, ୮.୭୦ ନିୟୁତ ଟନ୍ ପନିପରିବା ଉତ୍ପାଦନ ହେଉଛି । ମିଠା ଆଳୁ, ବାଇଗଣ, ବନ୍ଧାକୋବି, ଫୁଲକୋବି ଓ ଭେଣ୍ଡି ଉତ୍ପାଦନରେ ଓଡ଼ିଶା ଦେଶରେ ଅନ୍ୟତମ ଅଗ୍ରଣୀ ରାଜ୍ୟ । ପନିପରିବା ସହିତ ରାଜ୍ୟରେ ପଶୁ ସମ୍ପଦର ବିଶାଳ ଭଣ୍ଡାର ଥିବାରୁ ଏଠାରେ ୨ ନିୟୁତ ଟନ୍ରୁ ଅଧିକ ଦୁଧ, ୨ କୋଟି ଅଣ୍ଡା, ୬ ଲକ୍ଷ ଟନ୍ରୁ ଅଧିକ ମାଛ ଓ ୧ଲକ୍ଷ ୭୬ ହଜାର ଟନ୍ ମାଂସ ଉତ୍ପାଦନ ହେଉଛି ।
ଏହିସବୁ ଖାଦ୍ୟ ସାମଗ୍ରୀରୁ ଖୁବ୍ କମ୍ ପରିମାଣର ପ୍ରକ୍ରିୟାକରଣ ହେଉଥିବା ବେଳେ ଏମ୍ଏସ୍ଏମ୍ଇ ଜରିଆରେ ଅଧିକରୁ ଅଧିକ ଉତ୍ପାଦିତ ଖାଦ୍ୟ ସାମଗ୍ରୀର ପ୍ରକ୍ରିୟାକରଣ କରାଯାଇପାରିଲେ ତାହା କେବଳ ଚାଷୀ ନୁହେଁ ବ୍ୟାପକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ରାଜ୍ୟ ଅର୍ଥନୀତି କ୍ଷେତ୍ରରେ ବଡ଼ ଯୋଗଦାନ ହୋଇପାରିବ । ଏଥି ସହିତ ପୁଞ୍ଜି ଆକର୍ଷଣର ଏହା ପ୍ରମୁଖ ଉତ୍ସ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି । (ତଥ୍ୟ)