Home General ଖାଦ୍ୟ ନିରାପତ୍ତା ପାଇଁ ମାତ୍ର ୬୧ ଅଧିକାରୀ

ଖାଦ୍ୟ ନିରାପତ୍ତା ପାଇଁ ମାତ୍ର ୬୧ ଅଧିକାରୀ

ଭୁବନେଶ୍ୱର : ରାଜ୍ୟରେ ଖାଦ୍ୟ ଗୁଣବତ୍ତା ଯାଞ୍ଚ ପାଇଁ ରହିଛନ୍ତି ମାତ୍ର ୬୧ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ । ଏମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଅଧିକାରୀ ସହରାଞ୍ଚଳରେ ମୁତୟନ ହେଉଥିବାବେଳେ ଗାଁ ଗହଳରେ ଏମାନଙ୍କ ଉପସ୍ଥିତି କେହି ଅନୁଭବ କରିପାରୁ ନାହାନ୍ତି ।

ସାଢେ ଚାରି କୋଟି ଲୋକଙ୍କ ପାଇଁ ମାତ୍ର ୬୧ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ ଥିବାରୁ ଖାଦ୍ୟ ଅପମିଶ୍ରଣକାରୀମାନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସହର ଠାରୁ ଗାଁ ପର୍ଯ୍ୟନ୍ତ ନକଲି ମସଲାଗୁଣ୍ଡ, ଅପମିଶ୍ରିତ ତେଲ, ଘିଅ ଆଦି ବାରମ୍ବାର ଜବତ ହେବାରେ ଲାଗିଛି । ଖୋଦ୍‍ ରାଜଧାନୀରେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ନକଲି ଟମାଟୋ ଓ ଲଙ୍କା ସସ୍‍ ତିଆରି ହେଉଥିବାବେଳେ ଧରାପଡିଥିଲା । ଅଳ୍ପଦିନ ତଳେ ଗଞ୍ଜାମ ଜିଲ୍ଲାରୁ ନକଲି ଖାଇବାତେଲ କାରଖାନା ଧରାପଡିଥିବାବେଳେ କଟକରୁ ନକଲି ଦୁଗ୍ଧ ପ୍ରସ୍ତୁତ କାରଖାନା ଜବତ ହୋଇଛି ।

ଖାଦ୍ୟ ସୁରକ୍ଷା ଅଧିକାରୀମାନେ ବିଭିନ୍ନ ସମୟରେ ଲୋକଙ୍କୁ ସଚେତନ କରାଇବା ସହିତ ଯଦି କିଛି ଖାଦ୍ୟ ସାମଗ୍ରୀ ଉପରେ ସନ୍ଦେହ ଉପୁଜଜେ ତେବେ ତାହାର ମାନ ପରୀକ୍ଷାପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷା ପ୍ରୟୋଗଶାଳାକୁ ନିୟମିତ ବ୍ୟବଧାନରେ ପଠାଇଥାନ୍ତି । ମାନ ପରୀକ୍ଷାରେ ଅପମିଶ୍ରତ ହୋଇଥିବାର ନଜରକୁ ଆସିଲେ ଖାଦ୍ୟ ନିରାପତ୍ତା ଆଇନ୍‍ ୨୦୦୬ ଅନୁଯାୟୀ ଦଣ୍ଡବିଧାନ ଓ କାର୍ଯ୍ୟାନୁଷ୍ଠାନ ହେବାର ବ୍ୟବସ୍ଥା ଅଛି ।

ତେବେ କମ୍‍ ସଂଖ୍ୟକ ଖାଦ୍ୟ ନିରାପତ୍ତା ଅଧିକାରୀ ଥିବାରୁ ଯେଉଁ ହାରରେ ଖାଦ୍ୟ ମାନ ଯାଞ୍ଚ କରାଯିବା କଥା ତାହା ହୋଇପାରୁ ନାହିଁ । ରାଜଧାନୀ ସମେତ ବିଭିନ୍ନ ସହରାଞ୍ଚଳରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ମାଛ, ମାଂସ ଆଦି ବିକ୍ରି ହେଉଥିବାବେଳେ ରାସ୍ତକଡରେ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ବିକ୍ରି ହେଉଛି । ବିଶେଷକରି ରାସ୍ତାକଡ ଖାଦ୍ୟରେ ଅତ୍ୟନ୍ତ ନିମ୍ନମାନର ସସ୍‍, ରଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର ହେଉଛି । ଏହାକୁ ଯାଞ୍ଚ କରିବାପାଇଁ ଖୋଦ୍‍ ରାଜଧାନୀରେ ଆବଶ୍ୟକ ସଂଖ୍ୟକ ଖାଦ୍ୟ ସୁରକ୍ଷା ଅଧିକାରୀ ନାହାନ୍ତି ।

ରାଜଧାନୀରେ ଏବେ ଖୋଲା ମେଳାରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି ହେଉଥିବାବେଳେ ଏହାର ଯାଞ୍ଚ କରାଯାଉ ନାହିଁ । ରାଜଧାନୀର ଆଖପାଖରୁ ଆସୁଥିବା ଏହି ଦୁଗ୍ଧ କେତେ ପ୍ରତିଶତ ବିଶୁଦ୍ଧ ତାହା ଲୋକେ ଜାଣିପାରୁ ନାହାନ୍ତି । ସେହିଭଳି ରାଜଧାନୀର ବିଭିନ୍ନ ହୋଟେଲ ସମେତ ମନ୍ଦିରଗୁଡିକରେ ଦୈନିକ ବ୍ୟାପକ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବାବେଳେ ଏହାର ବି ଯାଞ୍ଚ ହେଉନାହିଁ । ତିରୁପତି ମନ୍ଦିରରେ ଅପମିଶ୍ରିତ ଘିଅ ଘଟଣାପରେ ସହରରେ ଥିବା ମନ୍ଦିରଗୁଡିକରେ ଯାଞ୍ଚ ପାଇଁ ମତପ୍ରକାଶ ପାଉଥିବାବେଳେ ଏଥିପାଇଁ କିନ୍ତୁ ଆବଶ୍ୟକ ସଂଖ୍ୟକ ଅଧିକାରୀ ନାହାନ୍ତି ।

ଖାଦ୍ୟ ଅପମିଶ୍ରଣକାରୀମାନେ ଏବେ ଧିରେ ଧିରେ ଗାଁ ଗହଳକୁ ସେମାନଙ୍କର ସାମଗ୍ରୀ ପଠାଇବାରେ ଲାଗିଥିବାବେଳେ ସହରାଞ୍ଚଳ ଭଳି ଗାଁରୁ ଖାଦ୍ୟ ସାମଗ୍ରୀର ନମୂନା ସଂଗ୍ରହ ଉପରେ ଗୁରୁତ୍ୱପ୍ରକାଶ କରାଯାଉଛି । ଗାଁ ଗହଳରେ ଯାଞ୍ଚ ବୃଦ୍ଧି ପାଇଲେ ଅଧିକରୁ ଅଧିକ ସଂଖ୍ୟକ ଅପମିଶ୍ରଣକାରୀ ଧରାପଡିବୋଲି କୁହାଯାଇଛି । (ତଥ୍ୟ)