Home Administration ଖାଉଟି କମିଶନ ପାଇଁ ବଢ଼ୁଛି ଆଶାୟୀଙ୍କ ତାଲିକା

ଖାଉଟି କମିଶନ ପାଇଁ ବଢ଼ୁଛି ଆଶାୟୀଙ୍କ ତାଲିକା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନରେ ଖାଲି ପଡିଥିବା ୫ଟି ସଦସ୍ୟ ପଦବୀ ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତବର୍ଷ ଶେଷ ପୂର୍ବରୁ ଖାଦ୍ୟ କମିଶନର ଏହି ପଦବୀ ସବୁ ପୂରଣ କରାଯାଇପାରେ ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଆଧାରରେ ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ ଅଧିନିୟମ ପ୍ରସ୍ତୁତ କରାଯାଇଛି । ଏଥିରେ ରାଜ୍ୟ ଖାଦ୍ୟ କମିଶନ ପାଇଁ ଜଣେ ଅଧ୍ୟକ୍ଷ ଓ ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତି ଲାଗି ବ୍ୟବସ୍ଥା ରହିଛି । ଖାଦ୍ୟ କମିଶନରେ ଖାଲି ପଡିଥିବା ଏହିସବୁ ପଦବୀରେ ଅଭିଷିକ୍ତ ହେବା ପାଇଁ ସରକାରୀ ଚାକିରିରେ ଅବସର ଗ୍ରହଣ କରିଥିବା ଓ ନିକଟ ଭବିଷ୍ୟତରେ ଅବସର ଗ୍ରହଣ କରିବାକୁ ଯାଉଥିବା କେତେକ ପଦସ୍ଥ ସରକାରୀ ଅଧିକାରୀ ବିଶେଷ ଭାବେ ଆଗ୍ରହୀ । ଏମାନଙ୍କ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଆଉ କେତେକ ରାଜନୈତିକ ନେତା ଓ ସାମାଜିକ କର୍ମୀ ମଧ୍ୟ ଖାଦ୍ୟ କମିଶନରେ ଥଇଥାନ ହେବା ଲାଗି ନଜର ରଖିଛନ୍ତି ।

ତେବେ ଏହିସବୁ ପଦବୀ ପାଇଁ ରାଜନୈତିକ ସ୍ତରରେ ମନୋନୟନ କରାନଯାଇ ଖୋଲା ବିଜ୍ଞାପନ ଆଧାରରେ ଇଚ୍ଛୁକ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଗ୍ରହଣ କରାଯାଇ ଏକ ଉଚ୍ଚସ୍ତରୀୟ କମିଟି ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏଥିଲାଗି ଚଳିତ ଅକ୍ଟୋବର ମାସ ଶେଷ ସୁଦ୍ଧା ଆଗ୍ରହୀ ପ୍ରାର୍ଥୀମାନେ ଲୋକସେବା ଭବନରେ ଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜାତୀୟ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ଶାସନ ସଚିବଙ୍କ ନିକଟରେ ଆବେଦନ କରିପାରିବେ ।

ଓଡ଼ିଶାରେ ଔଷଧଠାରୁ ଆରମ୍ଭକରି ଖାଦ୍ୟ ଦ୍ରବ୍ୟରେ ଯେଭଳି ବ୍ୟାପକ ଅପମିଶ୍ରଣ ଚାଲିଛି ଏବଂ ଖାଦ୍ୟ ନିରାପତ୍ତା ଆଇନ ଆଧାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେତେସବୁ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେଥିରେ ହେଉଥିବା ଅନିୟମିତତାଗୁଡିକ ରୋକିବା ଦିଗରେ ରାଜ୍ୟ ଖାଦ୍ୟ କମିଶନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଏହି କମିଶନଙ୍କ ନିକଟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିବାରୁ କମିଶନ ଯେତେଦୂର ସକ୍ରିୟ ହେବା କଥା ତାହା ହୋଇପାରୁ ନାହାନ୍ତି ବୋଲି ଖାଉଟି ସୁରକ୍ଷା ଆନ୍ଦୋଳନ ସହ ଜଡିତ ନେତାମାନେ ଅଭିଯୋଗ କରୁଛନ୍ତି ।

ଜିଲ୍ଲା ଓ ରାଜ୍ୟସ୍ତରରେ ଥିବା ଖାଉଟି ଅଦାଲତଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ରାଜ୍ୟ ସରକାର ଅଁଧିକ ତତ୍ପରତା ପ୍ରକାଶ କରିବା ଲାଗି ବିଭିନ୍ନ ଖାଉଟି ସୁରକ୍ଷା ମଞ୍ଚ ବାରମ୍ବାର ଦାବି ଉଠାଇ ଆସୁଛନ୍ତି । ଖାଦ୍ୟ କମିଶନ ଓ ଖାଉଟି ସୁରକ୍ଷା ଅଦାଲତଗୁଡିକରେ ଖାଲି ପଡିଥିବା ସମସ୍ତ ପଦପଦବୀ ପୂରଣ ସହିତ ଆବଶ୍ୟକତାକୁ ଆଖିଆଗରେ ରଖି ଅଧିକ ନୂତନ ପଦବୀ ସୃଷ୍ଟି ଉପରେ ସରକାରୀ ଓ ବେସରକାରୀ ମହଲରେ ଗୁରୁତ୍ୱାରୋପ କରାଯାଉଛି । ଏ ପ୍ରସଙ୍ଗ ବିଧାନସଭାରେ ମଧ୍ୟ ବାରମ୍ବାର ଉଠୁଛି । ଏସବୁ ସତ୍ତ୍ୱେ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ରାଜ୍ୟ ଖାଦ୍ୟ କମିଶନ ଯେତେ କ୍ରିୟାଶୀଳ ହେବା କଥା ତାହା ହୋଇପାରୁ ନାହାନ୍ତି । (ତଥ୍ୟ)