Home Education ଖସିଲା ନାକ୍‍ ମାନ୍ୟତା

ଖସିଲା ନାକ୍‍ ମାନ୍ୟତା

ଭୁବନେଶ୍ୱର : ମା’ରମାଦେବୀଙ୍କ ନାମରେ ନାମିତ ଓଡ଼ିଶାର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ନାକ୍‍ ଗ୍ରେଡିଂରେ ଦୟନୀୟ ସ୍ଥିତିରେ ରହିଛି । ରମାଦେବୀ ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ପୂର୍ବରୁ ନାକ୍‍ର ‘ଏ’ ଗ୍ରେଡ ମିଳିଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କିନ୍ତୁ ‘ବି’++ ଗ୍ରେଡ ପାଇଛି । ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ଉନ୍ନିତ ହେବା ପରେ ଏହି ଗୌରବାବହ ଶିକ୍ଷାନୁଷ୍ଠାନଟି ଗ୍ରେଡ ବଢ଼ିବା ପରିବର୍ତ୍ତେ କମିବା ରାଜ୍ୟର ଶିକ୍ଷାବିତ୍‍, ବୁଦ୍ଧିଜୀବୀ ଏବଂ ବିଶେଷକରି ଏହି ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ନିରାଶ କରିଛି ।

ପ୍ରାୟ ୬୦ବର୍ଷ ତଳେ ଭୁବନେଶ୍ୱର ମହିଳା କଲେଜ୍‍ ନାମରେ ଆରମ୍ଭ ହୋଇଥିବା ଶିକ୍ଷାନୁଷ୍ଠାନଟି ଗାନ୍ଧୀ ଶତବାର୍ଷିକୀ ବର୍ଷରେ ମା’ରମାଦେବୀଙ୍କ ନାମରେ ନାମିତ ହେବା ସହ ରୁପାଲିଛକ ନିକଟରେ ଥିବା ତାହାର ସ୍ଥାୟୀ କ୍ୟାମ୍ପସ୍‍କୁ ଉଠି ଆସିଥିଲା । ୨୪ ଏକରରୁ କମ୍‍ ପରିମିତ ଅଞ୍ଚଳରେ ରମାଦେବୀ ମହିଳା କଲେଜ୍‍, ତାହାର ଛାତ୍ରୀ ନିବାସ, ଖେଳ ପଡ଼ିଆ, ସଭାଗୃହ ଆଦି ରହିଥିଲା । ବିଶ୍ୱବିଦ୍ୟାଳୟ ହେବା ପରେ ଏହି କ୍ୟାମ୍ପସ୍‍ରେ ପ୍ରଶାସନିକ ଭବନ, କୁଳପତିଙ୍କ ଦପ୍ତର ଆଦି ନିର୍ମିତ ହେବା ଫଳରେ ଏହାର ଖେଳ ପଡ଼ିଆ ଆଦି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଏମିତିକି ଛାତ୍ରୀମାନଙ୍କ ପାଇଁ କ୍ୟାଣ୍ଟିନ୍‍ଟିଏ ନାହିଁ କିମ୍ବା ଛାତ୍ରୀ ନିବାସରେ ୱାଇ-ଫାଇ ବ୍ୟବସ୍ଥା ବି ନାହିଁ । ବିଶ୍ୱବିଦ୍ୟାଳୟ ପରିସରରେ ଏନ୍‍ସିସି ଛାତ୍ରୀଙ୍କ ପରେଡ୍‍ ଅଭ୍ୟାସ ଲାଗି ଜାଗା ନଥିବା ବେଳେ ପିଲାମାନେ ଖେଳ ସୁଯୋଗରୁ ବି ବଞ୍ôଚତ ହେଉଛନ୍ତି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ଦ୍ୱିତୀୟ କ୍ୟାମ୍ପସ୍‍ ନିର୍ମାଣ କରାଯିବ ବୋଲି ମୂଳରୁ କୁହାଯାଉଛି । କିନ୍ତୁ ଏଯାବତ୍‍ ପ୍ରାୟ ୮ବର୍ଷ ଧରି ଜମି ମିଳିନାହିଁ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଲାଗି ୧୩୭ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୭୭ଟି ଖାଲି ପଡ଼ିଛି । ଏହି ବିଶ୍ୱବିଦ୍ୟାଳୟ ଲାଗି ଥିବା ୧୩ଟି ପ୍ରଫେସର ପଦବୀ ମଧ୍ୟରୁ ୮ ଖାଲି ପଡିଥିବା ବେଳେ ୩୮ଟି ସହଯୋଗୀ ପ୍ରଫେସର ପଦବୀ ମଧ୍ୟରୁ ବି ୨୩ଟି ଖାଲି । ଏଠାରେ ୮୬ଜଣ ସହକାରୀ ପ୍ରଫେସର ନିଯୁକ୍ତ ହେବାକଥା । କିନ୍ତୁ ଏଠି ଏବେ ମାତ୍ର ୪୬ଜଣ ସହକାରୀ ପ୍ରଫେସର ରହିଛନ୍ତି । ସେହିଭଳି ଉକ୍ତ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ୧୦୧ଟି ମଞ୍ଜୁରୀପ୍ରାପ୍ତ ଅଣ ଶିକ୍ଷକ ପଦବୀ ଥିବା ବେଳେ ମାତ୍ର ୧୩ଜଣରେ କାମ ଚଳାଯାଉଛି । ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତା ଦୁର୍ଘଟଣାପ୍ରବଣ ହୋଇଥିବାରୁ ସେଠାରେ ଏକ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ୨୦୧୧ ମସିହାରେ ୧୨ଜଣ ନେତା ଶିଳାନ୍ୟାସ କରିଥିବା ଫଳକଟି ରାସ୍ତାରେ ମଝିରେ ପରିତ୍ୟକ୍ତ ଭାବରେ ପଡ଼ିଥିବା ବେଳେ ଫୁଟ୍‍ ଓଭରବ୍ରିଜ୍‍ ପାଇଁ ଫୁଟେ ବି କାମ ଆରମ୍ଭ ନହେବା ଏହି ମହିଳା ବିଶ୍ୱବିଦ୍ୟାଳୟ ପାଇଁ ବ୍ୟବସ୍ଥାର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନଥିବାରୁ ଏହି ମହିଳା ବିଶ୍ୱବିଦ୍ୟାଳୟର ଗବେଷଣା କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ତେଣୁ ଏଠାରୁ ଯେତେ ସଂଖ୍ୟକ ଗବେଷଣା ସନ୍ଦର୍ଭ ପ୍ରକାଶ ପାଇବା କଥା ତାହା ହୋଇପାରୁ ନାହିଁ । ଏହାବ୍ୟତୀତ ଦୀର୍ଘବର୍ଷ ଧରି ଏଠାରେ ଛାତ୍ରୀ ସଂସଦ ନିର୍ବାଚନ ହେଉନଥିବାରୁ ଛାତ୍ରୀମାନଙ୍କ ସମସ୍ୟା ଉପସ୍ଥାପନ ଲାଗି କୌଣସି ଫୋରମ୍‍ ବି ନାହିଁ । ସବୁଠାରୁ ଉଦ୍‍ବେଗର କଥା ହେଉଛି ଏହି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ପୁରିବାକୁ ଯାଉଥିବା ବେଳେ ନୂଆ କୁଳପତି ନିଯୁକ୍ତି ଲାଗି ଏଯାବତ୍‍ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନ୍ୟାକ୍‍ ମାନ୍ୟତା ଗ୍ରେଡ୍‍ ଯେଉଁସବୁ କାରଣରୁ କମିଛି ତାହା ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ୧୭ଟି ଯାକ ବିଶ୍ୱବିଦ୍ୟାଳୟରେ ବି ଅନୁଭୂତ ହେଉଛି । ଆଜିର ଦିନରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିଥିବା ବେଳେ ଅନ୍ୟୁନ ୬୦ ପ୍ରତିଶତ ଶିକ୍ଷକ ଓ ୭୦ ପ୍ରତିଶତରୁ ଅଧିକ ଅଣ ଶିକ୍ଷକ ପଦବୀ ଖାଲି ରହିଛି । ଏ ପରିପ୍ରେକ୍ଷୀରେ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ପାଇଁ ବାରମ୍ବାର ଯେଉଁ ଆହ୍ୱାନ ଦିଆଯାଉଛି ତାହା ପଛରେ କେତେ ଆନ୍ତରିକତା ରହିଛି ସେଥିଘେନି ବହୁ ସଂଖ୍ୟକ ଅବସରପ୍ରାପ୍ତ କୁଳପତି ଓ ଶିକ୍ଷକମାନେ ପ୍ରଶ୍ନ ଉଠାଉଛନ୍ତି । (ତଥ୍ୟ)