Home General ଖର୍ଚ୍ଚକୁ ନେଇ କର୍ତ୍ତୃପକ୍ଷ ଚିନ୍ତିତ

ଖର୍ଚ୍ଚକୁ ନେଇ କର୍ତ୍ତୃପକ୍ଷ ଚିନ୍ତିତ

ଭୁବନେଶ୍ୱର : ଗୋଟିଏ ପଟେ ଆର୍ଥିକ ବର୍ଷ ସରି ସରି ଆସୁଥିବାବେଳେ ଅନ୍ୟ ପଟେ ଠିକା କର୍ମଚାରୀମାନଙ୍କ ନିଯୁକ୍ତି ନବୀକରଣ ଉପରେ ନିଷ୍ପତ୍ତି ହୋଇପାରୁନଥିବାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବଜେଟ୍‍ ଅର୍ଥ କିଭଳି ଖର୍ଚ୍ଚ ହେବ ତାହା କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ନଭେମ୍ବର ଶେଷ ସୁଦ୍ଧା ଧାର୍ଯ୍ୟ ଅର୍ଥର ୪୦ ପ୍ରତିଶତ ବି ବ୍ୟୟ ହୋଇପାରି ନାହିଁ ।

ବିଭାଗର ବଜେଟ୍‍ ଅର୍ଥ ବ୍ୟୟ ସଂକ୍ରାନ୍ତରେ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷ ସୁଦ୍ଧା ବରାଦ ଅର୍ଥର ୬୦ ପ୍ରତିଶତ ଅର୍ଥାତ୍‍ ୩୦୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ହେଲେ ଖର୍ଚ୍ଚ ହୋଇଛି ମାତ୍ର ୨୦୦୧ କୋଟି ଟଙ୍କା । କେତେ ସଂସ୍ଥା ତ ଆଦୌ ଅର୍ଥ ଖର୍ଚ୍ଚ କରିପାରି ନାହାନ୍ତି ।

ଜଳ ଯୋଗାଣ ଦାୟିତ୍ୱରେ ଥିବା ୱାଟ୍‍କୋ ଓ ନିୟୁ ସିଟି ଡେଭଲପମେଣ୍ଟକୁ ବାଦ୍‍ ଦେଲେ ଅନ୍ୟ କୌଣସି ଠାରେ ଆଖିଦୃଶିଆ ଅର୍ଥ ଖର୍ଚ୍ଚ ହୋଇପାରି ନାହିଁ । ମେଟ୍ରୋ ରେଳ କର୍ତ୍ତୃପକ୍ଷ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୮ ପ୍ରତିଶତଖର୍ଚ୍ଚ କରିଥିବାବେଳେ ବର୍ଷାଜଳ ଅମଳ ପାଇଁ ପୌରସଂସ୍ଥାଗୁଡିକୁ ମିଳିଥିବା ଅର୍ଥର ମାତ୍ର ୨୫ ପ୍ରତିଶତ ବ୍ୟୟ ହୋଇଛି । ସେହିଭଳି କଠିନ ବର୍ଜ୍ୟ ପରିଚାଳନା ପାଇଁ ଦିଆଯାଇଥିବା ଅର୍ଥରୁ କର୍ତ୍ତୃପକ୍ଷ ୨୫ ପ୍ରତିଶତ ଖର୍ଚ୍ଚରେ ସଫଳ ହୋଇଥିବାବେଳେ ମୁକ୍ତା ଭଳି କର୍ମଯୋଗାଣ ଯୋଜନାରେ ମାତ୍ର ୫୪ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି । ଦକ୍ଷତା ବିକାଶ ପାଇଁ ସୁଡାକୁ ମିଳିଥିବା ଅର୍ଥରୁ ଟଙ୍କାଟିଏ ଖର୍ଚ୍ଚହୋଇ ପାରିନାହିଁ ।

କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରେ ସ୍ୱଚ୍ଛଭାରତ ମିଶନରେ ମାତ୍ର ୮ ପ୍ରତିଶତ ଅର୍ଥ ବ୍ୟୟ ହୋଇଥିବାବେଳେ ପିଏମଏୱାଇରେ ୧୧ପ୍ରତିଶତ, ଅମୃତରେ ୨୧ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି । ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନଏଲୟୁଏମ) ରେ ଟଙ୍କାଟିଏ ହେଲେ ଖର୍ଚ୍ଚ ହୋଇପାରି ନାହିଁ ।

ଅନେକ କ୍ଷେତ୍ରରେ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଧାର୍ଯ୍ୟ ଅର୍ଥର ମାତ୍ର ୩୯.୭୦ ପ୍ରତିଶତ ବ୍ୟୟରେ ସଫଳ ହୋଇଛନ୍ତି । ଏଭଳି ସ୍ଥିତିରେ ଆଉ ଚାରିମାସ ମଧ୍ୟରେ କିଭଳି ବଜେଟ୍‍ ଅର୍ଥ ଖର୍ଚ୍ଚ ହେବ ତାହାକୁ ନେଇ କର୍ତ୍ତୃପକ୍ଷଙ୍କ ଅଡୁଆ ବଢିବାରେ ଲାଗିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଅର୍ଥ ବ୍ୟୟ କ୍ଷେତ୍ରରେ ବଡ ବାଧକ ସାଜିଛି ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀମାନଙ୍କ ନିଯୁକ୍ତିର ନବୀକରଣ ନହେବା । ମୁକ୍ତା ଠାରୁ ଆରମ୍ଭ କରି ଆହାର ପର୍ଯ୍ୟନ୍ତ କେତେ ପ୍ରକଳ୍ପରେ କାର୍ଯ୍ୟରତ ପ୍ରାୟ ୪ଶହ କର୍ମଚାରୀ ଅକ୍ଟୋବର ମାସରୁ ପାଉଣା ପାଉନାହାନ୍ତି । ବିଭିନ୍ନ ଆଉଟିସୋର୍ସିଂ ସଂସ୍ଥା ଦ୍ୱାରା ନିଯୁକ୍ତ ଏହି କର୍ମଚାରୀମାନଙ୍କର ଚାକିରି ନବୀକରଣ ନେଇ ବିଭାଗ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ପାରୁନଥିବାବେଳେ କର୍ମଚାରୀମାନେ ବିନା ପାଉଣାରେ ଆସି କାମ କରୁଛନ୍ତି ।

ଦୁଇମାସଧରି ପାଉଣା ପାଇନଥିବା କର୍ମଚାରୀମାନେ କିଭଳି କାର୍ଯ୍ୟ କରିବେ ତାହା ଜାଣିପାରୁନଥିବାବେଳେ ଉପରିସ୍ଥ ଅଧିକାରୀମାନେ ବି ସେମାନଙ୍କୁ କାମ କରିବାକୁ ନିର୍ଦ୍ଦେଶ ଦେଇାପାରୁ ନାହାନ୍ତି । ଯଦି ତୁରନ୍ତ ଏହିକର୍ମଚାରୀଙ୍କ ସଂକ୍ରାନ୍ତରେ ବିଭାଗ କିଛି ନିଷ୍ପତ୍ତି ଗ୍ରହଣ ନକରେ ତେବେ ବଜେଟ୍‍ ଅର୍ଥ ବ୍ୟୟରେ ବିଭାଗ କେବଳ ଫେଲ୍‍ ମାରିବନାହିଁ ଅନେକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଯିବ ବୋଲି କୁହାଯାଉଛି । (ତଥ୍ୟ)