ଜଗତସିଂହପୁର : ରାଜ୍ୟ ସରକାର ଆଜି ରବି ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ସକାଶେ ବିଜ୍ଞାପନ ଦେଇଥିବାବେଳେ ଜିଲ୍ଲାରେ ଚାଷୀମାନେ ଅମଳ ଅମଳ କରିଥିବା ଖରିଫ ଧାନକୁ ବିକ୍ରି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ମିଲରମାନେ ଅଧିକାଂଶ ମଣ୍ଡିରୁ ଧାନ ନଉଠାଇବା ଓ ଚାଷୀଙ୍କ ପଞ୍ଜିକରଣ ନମ୍ବରରେ ବିଭ୍ରାଟ ଦେଖାଦେବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଧାନ ମଣ୍ଡିରେ ପଡିଥିବା ଧାନ ନଉଠିବାରୁ ପଞ୍ଜିକୃତ ଚାଷୀଙ୍କ ନିକଟକୁ ବାରମ୍ବାର ପରିବର୍ତ୍ତିତ ତାରିଖର ମେସେଜ ଆସିବାରେ ଲାଗିଛି । ଧାନ କିଣା ଦାୟିତ୍ୱରେ ଥିବା ସମବାୟ ସମିତିଗୁଡିକ ଧାନ ଖରିଦ କରୁଥିଲେ ମଧ୍ୟ ଜିଲ୍ଲା ଭିତରେ ଓ ବାହାରେ ଥିବା ମିଲର୍ସମାନେ ଗାଡି ପଠାଉ ନାହାନ୍ତି । ଅଦିନିଆ ବର୍ଷା ଯୋଗୁଁ ଧାନର ମାନ କମିଥିବା ଆଳକରି ମିଲର୍ସମାନେ ଧାନ ଉଠାଉନଥିବାବେଳେ ଜିଲ୍ଲା ପ୍ରଶାସନ ବି ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।
ଇତି ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳୁଛି । ନିକଟରେ ଜିଲ୍ଲାପାଳ ନାଉଗାଁ ଗସ୍ତରେ ଥିବାବେଳେ କେତେକ ଚାଷୀ ତାଙ୍କୁ ଅଟକାଇ ଧାନ ଉଠିବାରେ ବିଳମ୍ବ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ଯଦିଓ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଚାଷୀଙ୍କର ସମସ୍ତ ଧାନ ଖରିଦ କରାଯିବ ବୋଲି ଆଶ୍ୱାସନା ଦେଉଛନ୍ତି, କିନ୍ତୁ ଯେଉଁଭଳି ଗତିରେ ମଣ୍ଡିରୁ ଧାନ ଉଠୁଛି ଓ ଚାଷୀମାନେ ବାରମ୍ବାର ସେଠାକୁ ଦଉଡୁଛନ୍ତି ସେଥିରୁ ଅନେକ ଚାଷୀ ସେମାନଙ୍କ ଧାନ ଦେଇପାରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ କଲେଣି ।
ଗୋଟିଏ ପଟେ ମଣ୍ଡିରୁ ଧାନ ଉଠୁନଥିବାବେଳେ ଅନ୍ୟ ପଟେ ସମବାୟ ସମିତିଗୁଡିକରେ ପଞ୍ଜିକରଣରେ ଅବ୍ୟବସ୍ଥା ଏବେ ଚାଷୀଙ୍କ ସମସ୍ୟାକୁ ବହୁଗୁଣିତ କରିଛି । ଜିଲ୍ଲା ସଦର ମହୁକୁମା ଠାରୁ ଅଳ୍ପ ଦୂରରେ ଓଡିଶୋ ଠାରେ ଥିବା ଗୋପବନ୍ଧୁ ସେବା ସମବାୟ ସମିତି ବିରୁଦ୍ଧରେ ଚାଷୀମାନେ ଏଭଳି ଅଭିଯୋଗ ଆଣିଛନ୍ତି । ସେଠାରେ ଯେଉଁ ଚାଷୀମାନେ ପଞ୍ଜିକରଣ ସମୟରେ ଫର୍ମ ତାଲିକାରେ ୧୦୦ ରୁ ୧୫୦ ମଧ୍ୟରେ ଥିଲେ ସେମାନେ ଏବେ ପାଉଥିବା ମେସେଜ୍ରେ ନିଜର କ୍ରମିକ ନମ୍ବର ୩୫୦ ଉପରେ ଦେଖି ଆଶ୍ଚର୍ଯ୍ୟ ଚକିତ ହେଉଛି । ଚାଷୀଙ୍କ ପଞ୍ଜିକରଣ ସମୟରେ ଆଇ ସ୍କାନର ଦ୍ୱାରା ଚିହ୍ନଟ ଓ ସିଧାସଳଖ କମ୍ପ୍ୟୁଟରରେ ଏଣ୍ଟ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ବି ଅଧିକାଂଶ ସ୍ଥାନରେ ତାହା ହେଉନାହିଁ ।
ବର୍ତ୍ତମାନ ପଞ୍ଜିକରଣ ନମ୍ବରରେ ଏଭଳି ବିଭ୍ରାଟ ପାଇଁ ସେବା ସମବାୟ ସମିତି ଭୁବନେଶ୍ୱରରେ ଥିବା ପଞ୍ଜିକରଣ କେନ୍ଦ୍ର ଉପରେ ଦୋଷ ଲଦୁଥିବାବେଳେ ଚାଷୀ କିନ୍ତୁ ନିଜର ଅମଳ ଧାନକୁ ଘରେ ରଖି ଚିନ୍ତାରେ ଅଛି । ମଣ୍ଡିରେ ପଡିଥିବା ଧାନକୁ କିଭଳି ମିଲର୍ସମାନେ ତୁରନ୍ତ ଉଠାଇବେ ଓ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀମାନେ ଅମଳ କରିଥିବା ଧାନକୁ ନେଇ ମଣ୍ଡିରେ ଦେବେ ତାହା ଉପରେ ଉଭୟ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଗୁରୁତ୍ୱ ନଦେଲେ ଜିଲ୍ଲାର ଅନେକ ଚାଷୀଙ୍କ ଘରେ ବସ୍ତା ବସ୍ତା ଧାନ ରହିଯିବ । ଫଳରେ ଚାଷୀମାନେ ବାଧ୍ୟହୋଇ ବେପାରୀଙ୍କ ହାତରେ ନିଜର ଉତ୍ପାଦିତ ଧାନକୁ କମ୍ ଦରରେ ବିକିବାକୁ ବାଧ୍ୟ ହେବେ ବୋଲି କ୍ଷୋଭର ସହ କହୁଛନ୍ତି । (ତଥ୍ୟ)