Home General ଖଦି ଉତ୍ପାଦନ ବୁଡିଲାଣି

ଖଦି ଉତ୍ପାଦନ ବୁଡିଲାଣି

ଭୁବନେଶ୍ୱର : ଜତୀୟ ସ୍ତରରେ ଖଦି ସାମଗ୍ରୀର ଉତ୍ପାଦନ ଓ ବିକ୍ରୟ ଚାଲିଥିବାବେଳେ ଓଡିଶାରେ କିନ୍ତୁ ଖଦିର ଉତ୍ପାଦନ ନାହିଁ କହିଲେ ଚଳେ । ଅନ୍ୟ ରାଜ୍ୟରୁ ଆସୁଥିବା ଖଦି କପଡା ଓ ଅନ୍ୟାନ୍ୟ ସାମଗ୍ରୀରେ ଓଡିଶାର ଖଦି ବିକ୍ରିୟକେନ୍ଦ୍ରଗୁଡିକ ଚାଲୁଛି । ଓଡିଶାର ଖଦି ସାମଗ୍ରି ଏବେ କେବଳ ସୋରିଷ ତେଲ, ମହୁ ଓ ହଳଦୀ ଭଳି କିଛି ସାମଗ୍ରୀରେ ସୀମିତ ହୋଇ ରହିଗଲାଣି ।

ଖଦି ସାମଗ୍ରୀର ଉତ୍ପାଦନ ଜରିଆରେ ଗାଁ ଗହଳର ଲୋକଙ୍କ ହାତକୁ କାମ ଯୋଗାଇବା ଦେବା ସହିତ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ବ୍ୟବସ୍ଥା ପାଇଁ ରାଜ୍ୟରେ ରହିଛି ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ । ହେଲେ ଏହି ବୋର୍ଡ ଜରିଆରେ ରାଜ୍ୟରେ ଖଦି କପଡା ଉତ୍ପାଦନ ଅତ୍ୟନ୍ତ ନୈରାଶ୍ୟଜନକ । କା ଭାଁ କେତୋଟି ସ୍ଥାନରେ ଏହା ଖଦି ଗାମୁଛା, ଲୁଙ୍ଗି ଓ ରୁମାଲ ଉତ୍ପାଦନରେ ସୀମିତ । ଖଦି ବିକ୍ରୟ କେନ୍ଦ୍ରରେ ମିଳୁଥିବା କପଡା ଅନ୍ୟ ରାଜ୍ୟରୁ ଆସି ଏଠାରେ ବିକ୍ରି ହେଉଛି ।

ସେହିଭଳି ଖଦି ବିକ୍ରୟ କେନ୍ଦ୍ରରେ ମିଳୁଥିବା ଖଦି ଉତ୍ପାଦିତ ସାବୁନ, ସାମ୍ପୋ ଓ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ମଧ୍ୟ ରାଜ୍ୟ ବାହାରୁ ଆସୁଛି । ଓଡିଶାରେ ଉତ୍ପାଦିତ ହେଉଥିବା ସୋରିଷତେଲ, ମହୁ, ହଳଦୀ ଆଦି ଏଠାରେ ବିକ୍ରି ହେଉଛି । ତେବେ ଏହାର ଦର ବଜାରରେ ମିଳୁଥିବା ସାମଗ୍ରୀ ଠାରୁ ଅଧିକ ରହୁଥିବାରୁ ଲୋକେ ଏଥିପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଓଡିଶାରେ ଖଦିର ଏଭଳି ଅବସ୍ଥା ଥିବାବେଳେ ଜାତୀୟ ସ୍ତରରେ କିନ୍ତୁ ଖଦିର ଉତ୍ପାଦନ ସହିତ ବିକ୍ରିବଟା ବଢୁଥିବା ଲକ୍ଷ୍ୟ କରାଯାଉଛି । ୨୦୨୦-୨୧ ବର୍ଷରେ ପ୍ରାୟ ୩୫୨୮ କୋଟି ଟଙ୍କାର ଖଦି ସାମଗ୍ରୀ କାରବାର ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ତାହା ୫୪୯୩ କୋଟି ଟଙ୍କା ରହିଛି । ବ୍ୟବସାୟ ଭଳି ଖଦି ସାମଗ୍ରୀର ଉତ୍ପାଦନ ମଧ୍ୟ ବଢିବାରେ ଲାଗିଛି ।

ଓଡିଶାରେ ଖଦି ସାମଗ୍ରୀ ପ୍ରତି ଲୋକଙ୍କର ବେଶ୍‍ ଚାହିଦା ଥିଲେ ମଧ୍ୟ ଏଠାରେ ଉତ୍ପାଦନ ଏକ ପ୍ରକାର ନଗଣ୍ୟ । ଏକଦା ଖଦି ବୋର୍ଡ ଅଧିନରେ ୫୦ରୁଅଧିକ ସମିତି ଖଦି ବସ୍ତ୍ର ଉତ୍ପାଦନ କରୁଥିବାବେଳେ ଏବେ ସେମାନଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି । ବଜାରରେ ମିଳୁଥିବା ଉନ୍ନତମାନର ଖଦି କପଡା ଲକ୍ଷ୍ନୌ, ଦିଲ୍ଲୀ ଆଦି ସହରରୁ ଆସି ଏଠାରେ ବିକ୍ରି ହେଉଥିବାବେଳେ ପ୍ରସାଧନ ସାମଗ୍ରୀ ମଧ୍ୟ ରାଜ୍ୟ ବାହାରୁ ଆସୁଛି । ଓଡିଶାର ଖଦି ବୋର୍ଡ ବର୍ତ୍ତମାନ କେବଳ ସୋରିଷ ତେଲ, ହଳଦୀ, ମହୁ ଓ ଫିନାଇଲ୍‍ ବିକ୍ରିରେ ସୀମିତ ଅଛି । ପୂର୍ବରୁ ରାଜ୍ୟ ଖଦିବୋର୍ଡ ଖଦି କପଡା ଆଣି ସେଥିରେ ପୋଷାକ ପ୍ରସ୍ତୁତ କରି ବିକ୍ରି କରୁଥିବାବେଳେ ଏବେ ତାହା ମଧ୍ୟ ବନ୍ଦହୋଇ ଯାଇଛି ।

ଖଦିର ଚାହିଦାକୁ ଦୃ୍‍ଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ଗୁଣାତ୍ମକ ଉତ୍ପାଦନ ପାଇଁ ଗବେଷଣା ଉପରେ ଜୋର ଦେଉଛନ୍ତି । ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଖଦି ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ଜାତୀୟ ଫେସନ ଟେକ୍ନୋଲୋଜି ସଂସ୍ଥାଗୁଡିକ ଉନ୍ନତମାନର ସୂତା ପ୍ରସ୍ତୁତ ସହିତ ପୋଷାକ ତିଆରି ଉପରେ କାର୍ଯ୍ୟ କରୁଛନ୍ତି । ଯାହା ଫଳରେ ଭାରତର ଖଦି ଉତ୍ପାଦିତ ପୋଷାକ ଏବେ ବିଶ୍ୱବଜାରରେ ପାଦ ରଖିବାରେ ଲାଗିଛି । ହେଲେ ଏଭଳି ସ୍ଥିତିରେ ଓଡିଶାରେ କିନ୍ତୁ ଖଦି ବସ୍ତ୍ର ଉତ୍ପାଦନ ତାହାର ଅସ୍ତିତ୍ୱ ହରାଇବାରେ ଲାଗିଛି । (ତଥ୍ୟ)