Home General ଖତ କଲେ ପଛେ ପିଲାଙ୍କୁ ଦେଲେନାହିଁ

ଖତ କଲେ ପଛେ ପିଲାଙ୍କୁ ଦେଲେନାହିଁ

ଭୁବନେଶ୍ୱର : ସରକାର କିଣିଥିବା ସାଇକେଲଗୁଡିକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ତାହାକୁ ଗରିବ ପିଲାଙ୍କୁ ଦେଲେ ନାହିଁ । ଏବେ ସେହିସବୁ ସାଇକେଲକୁ ଖତ ହେବାପାଇଁ ଛାଡି ଦେଇଛନ୍ତି ।

୨୦୧୮ ମସିହାରେ ରାଜ୍ୟ ସରକାର ମୋ ସାଇକେଲ ଯୋଜନାରେ କିଣିଥିବା ସାଇକେଲ ସବୁ ରାଜଧାନୀର ରାସ୍ତାକଡରେ ଖତ ହେବାରେ ଲାଗିଛି । ଅଧିକାଂଶ ସାଇକେଲ ଆଉ ଚଳନକ୍ଷମ ଅବସ୍ଥାରେ ନାହିଁ । କାହାର ସିଟ୍‍ ନାହିଁ ତ ଆଉ କାହାର ହ୍ୟାଣ୍ଡେଲ ଭାଙ୍ଗି ଗଲାଣି । କେତେକ ସାଇକେଲର ଟାୟାର ବି ଫାଟିଲାଣି ।

ତେବେ ଏହିସବୁ ସାଇକେଲକୁ ସହରର ଗରିବ ପିଲାଙ୍କ ମଧ୍ୟରେ ବାଣ୍ଟି ଦେବାକୁ ପ୍ରସ୍ତାବ ଥିଲା । କିନ୍ତୁ ସରକାର ସେଭଳି କିଛି କଲେ ନାହିଁ । ଓଲଟା ଭଙ୍ଗାରୁଜା ସାଇକେଲକୁ ମରାମତି ନାରେ ଲକ୍ଷ ଲକ୍ଷ ଟଙ୍କା ଗଣିଲେ । ଏବେ ମରାମତି ହୋଇଥିବା ସାଇକେଲ ମଧ୍ୟ ଭାଙ୍ଗିରୁଜି ଗଲାଣି । ଖରା, ବର୍ଷାରେ ରାସ୍ତାକଡରେ ପଡି ପଡି ଖତ ହେବାରେ ଲାଗିଛି ।

ଉଲ୍ଲେଖନୀୟ ଯେ ରାଜଧାନୀରେ ପରିବେଶ ଅନୁକୂଳ ପରିବହନ ଉପରେ ଗୁରୁତ୍ୱ ଦେବାପାଇଁ ରାଜ୍ୟ ସରକାର ମୋ ସାଇକେଲ ଯୋଜନା ଆରମ୍ଭ କରିଥିଲେ । ଲକ୍ଷ୍ୟଥିଲା ସହରବାସୀ ସ୍ୱଳ୍ପ ବ୍ୟୟରେ ଏହି ସାଇକେଲ ବ୍ୟବହାର କରିବେ । ୨୦୧୮ ହକି ବିଶ୍ୱକପ୍‍ ସମୟରେ ଏହା ଖରିଦ ହୋଇଥିଲା । ପ୍ରଥମେ ପ୍ରଥମେ ଲୋକେ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ପଇସା ଦେଇ ଏହି ସାଇକେଲକୁ ଚଳାଇଥିଲେ ।

ହେଲେ ପରବର୍ତ୍ତୀ ସମୟରେ ଏଥିପ୍ରତି ଲୋକଙ୍କର ଆଉ ଆଗ୍ରହ ରହିଲା ନାହିଁ । ଏହାର କାରଣ ଥିଲା ସରକାର ତିନିଟି କମ୍ପାନୀ ଠାରୁ ସାଇକେଲ ଖରିଦ କରିଥିବାବେଳେ ସେହିସବୁ କମ୍ପାନୀର ସାଇକେଲ ବ୍ୟବହାର ପାଇଁ ଭିନ୍ନ ଭିନ୍ନ ଆପ୍‍ ପ୍ରସ୍ତୁତ କରିଥିଲେ । ଏହାକୁ ସହରବାସୀ ପାନସନ୍ଦ କରିବା ସହିତ ଯେଉଁ କମ୍ପାନୀର ଆପ୍‍ ଡାଉନ୍‍ଲୋଡ୍‍ କଲେ ତାହାକୁ ଚଳାଇଲେ । ଅନ୍ୟ କମ୍ପାନୀର ସାଇକେଲ ପଡି ରହିଲା ।

ପଡି ପଡି ଖତ ହେବା ପରେ କିଛି ସାଇକେଲକୁ କବାଡିଆଙ୍କୁ ବିକିଦଲେ । ଏହାକୁ ନେଇ ତୁମ୍ବିତୋଫାନ ହେବା ସହିତ ମାମଲା ଥାନାରେ ପହଞ୍ଚିଥିଲା । ପରବର୍ତ୍ତୀ ସ୍ଥିତିରେ ରାସ୍ତାକଡରେ ପଡି ଖତ ଖାଉଥିବା ମୋ ସାଇକେଲକୁ ଗରିବ ପିଲାଙ୍କ ମଧ୍ୟରେ ବାଣ୍ଟିଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ଯାହା ଫଳରେ ସାଇକେଲ କିଣିପାରୁନଥିବା ପିଲା ଏହି ସାଇକେଲରେ ପାଠପଢିବାକୁ ଯାଇପାରିଥାନ୍ତେ ।

ହେଲେ ସରକାର ସେଭଳି କିଛି କଲେ ନାହିଁ । ଖତ କରିଦେଲେ ପଛେ କାମରେ ଲଗାଇଲେ ନାହିଁ । ଗୋଟିଏ ସାଇକେଲକୁ ୨୫,୦୦୦ ଟଙ୍କା ଦରରେ କିଣିଥିବା ୨୦୦୦ ସାଇକେଲର ଆୟୁଷ ଖୁବ୍‍ କମ୍‍ ଦିନ ଭିତରେ ପୂରିଯିବ । ରାସ୍ତାକଡରୁ ଲୁହା ଏହା ସିଧା କବାଡିଆ ଦୋକାନକୁ ଯିବା ଜଳ ଜଳ ହୋଇ ଦିଶିଲାଣି । ତେଣୁ ନୂଆ ସରକାର ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେବା ସହିତ ଗରିବ ମେଧାବୀ ପିଲାଙ୍କୁ ଏହା ମାଗଣାରେ ଦେବାପାଇଁ ଯେଉଁ ପ୍ରସ୍ତାବ ଥିଲା ତାହାକୁ କାର୍ଯ୍ୟକାରୀ ଲାଗି ମତପ୍ରକାଶ ପାଉଛି । (ତଥ୍ୟ)