Home Mining ଖଣି ରାଜସ୍ୱ ବୃଦ୍ଧି

ଖଣି ରାଜସ୍ୱ ବୃଦ୍ଧି

ଭୁବନେଶ୍ୱର : ଖଣି ଓ ଖଣିଜ ଉନ୍ନୟନ ଓ ନିୟନ୍ତ୍ରଣ ଆଇନ (ଏମଏମଡିଆର ଆକ୍ଟ)ରେ ସଂଶୋଧନ ଯୋଗୁଁ ଓଡ଼ିଶାରେ ଖଣି ରାଜସ୍ୱ ବୃଦ୍ଧି ପାଇଛି । ଏମଏମଡିଆର ସଂଶୋଧନ ଆଇନ, ୨୦୧୫ ମାଧ୍ୟମରେ ଏମଏମଡିଆର ଆଇନରେ ୧୨ ଜାନୁଆରୀ ୨୦୧୫ରେ ସଂଶୋଧନ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ଆଇନର ଧାରା ୮କ(୬) ଅନୁଯାୟୀ ୨୦୨୦ ମାର୍ଚ୍ଚରେ ବହୁ ସଂଖ୍ୟକ ଖଣି ଲିଜ୍ ଅବଧି ଶେଷ ହେଉଥିବାରୁ ଦେଶରେ ଖଣିଜ ପଦାର୍ଥର ସ୍ଥାୟୀ ଉତ୍ପାଦନ ଜାରି ରଖିବା ପାଇଁ କେନ୍ଦ୍ର ସରକାର ୧୦ ଜାନୁଆରୀ ୨୦୨୦ରୁ ଖଣିଜ ଆଇନ (ସଂଶୋଧନ) ଆଇନ, ୨୦୨୦ ମାଧ୍ୟମରେ ଏମଏମଡିଆର ଆଇନରେ ସଂଶୋଧନ କରିଛନ୍ତି ।

ଏମଏମଡିଆର ଆଇନରେ ସଂଶୋଧନ ଓଡ଼ିଶା ସରକାର ଏବଂ ଅନ୍ୟ ଖଣିଜ ସମ୍ପନ୍ନ ରାଜ୍ୟଗୁଡ଼ିକୁ ଗତ ସାତ ବର୍ଷ ମଧ୍ୟରେ ଏହାର ଖଣି ରାଜସ୍ୱ ବୃଦ୍ଧି କରିବାରେ ସାହାଯ୍ୟ କରିଛି । ୨୦୧୬-୧୭ରେ ଓଡ଼ିଶାର ଖଣି ରାଜସ୍ୱ ୪୯୦୦ କୋଟି ଟଙ୍କା ଥିବା ବେଳେ ୨୦୨୧-୨୨ରେ ଏହା ୫ ବର୍ଷରେ ୧୦ ଗୁଣ ବୃଦ୍ଧି ପାଇ ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଖଣି ରାଜସ୍ୱ ଆଦାୟ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ଅକ୍ଟୋବର ଶେଷ ସୁଦ୍ଧା ୭.୦୪ ପ୍ରତିଶତ ବୃଦ୍ଧି ପାଇଛି ।

୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ରାଜ୍ୟର ଆର୍ଥିକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ୨୨,୬୭୦.୮୧ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଅଣଲୌହ ଖଣି ଓ ଧାତବ ଶିଳ୍ପରୁ ରାଜ୍ୟ ୨୪,୨୬୭.୫୫ କୋଟି ଟଙ୍କା ଆଦାୟ କରିଛି । ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ କର୍ଣ୍ଣାଟକର ୪ଟି ପ୍ରମୁଖ ଖଣିଜ ରାଜ୍ୟର ଖଣି ରାଜସ୍ୱ ଆଦାୟ ୨୦୧୬-୧୭ରେ ୫୬୦୬ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୬୧,୧୫୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ତେବେ ଗତ ଆର୍ଥିକ ବର୍ଷରେ ଓଡ଼ିଶାରେ ଖଣି ରାଜସ୍ୱ ଆଦାୟ ହ୍ରାସ ପାଇଥିଲା, ଯାହା କି ମୋଟ ୪ଟି ରାଜ୍ୟରେ ମୋଟ ଖଣିଜ ରାଜସ୍ୱ ଆଦାୟ ହ୍ରାସକୁ ପ୍ରତିଫଳିତ କରିଥିଲା । ୨୦୨୨-୨୩ ରେ ରାଜ୍ୟ ୩୭,୬୪୨ କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ କରିଥିବା ବେଳେ ଗତ ବର୍ଷରେ ୪ଟି ରାଜ୍ୟର ମୋଟ ଆଦାୟ ମଧ୍ୟ ୪୭,୧୮୭ କୋଟି ଟଙ୍କାକୁ ହ୍ରାସ ପାଇଛି ।

ଦେଶର ସାମଗ୍ରିକ ଖଣି ରାଜସ୍ୱ ଆଦାୟରେ ଓଡ଼ିଶାର ପ୍ରମୁଖ ଯୋଗଦାନ ରହିଛି ବୋଲି ଏହି ତଥ୍ୟରୁ ଜଣାପଡିଛି । ଚଳିତ ବର୍ଷ ରାଜ୍ୟ ସରକାର ୪୫୨୫୧ କୋଟି ଟଙ୍କାର ଖଣିଜ ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । (ତଥ୍ୟ)