Home Judiciary ଖଣି ନିଲାମ ଦେଖି ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ

ଖଣି ନିଲାମ ଦେଖି ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ

ଭୁବନେଶ୍ୱର : ବିନା ଟେଣ୍ଡରରେ ଓଡିଶାରେ କିଭଳି ଖଣି ନିଲାମ ହୁଏ ସେଥିଘେନି ଏକ ମାମଲାରେ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟପ୍ରକଟ କରିବା ସହ ଏହି ନିଲାମକୁ ବାତିଲକରି ସରକାର ଚାହିଁଲେ ନୂଆ ବିଜ୍ଞାପନ ଆଧାରରେ ଆଇନାନୁଯାୟୀ ପୁର୍ନବାର ଖଣି ନିଲାମ କରିବାକୁ ଆଦେଶ ଦେଇଛନ୍ତି । ଏଥି ସହ ପୂର୍ବରୁ ଯେଉଁମାନେ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଅମାନତରାଶି ଜମା କରିଥିଲେ ସେମାନଙ୍କୁ ଏହି ଅର୍ଥ ୬ସପ୍ତାହ ମଧ୍ୟରେ ଫେରାଇ ଦେବାପାଇଁ ସୁପ୍ରିମ୍‍କୋର୍ଟ ଗତ ଜୁଲାଇ ମାସରେ କହିଥିଲେ ମଧ୍ୟ ଏଯାବତ୍‍ ଏହି ଅର୍ଥ ଫେରାଯାଇ ନାହିଁ ବୋଲି କେତେକ ଜମାକାରୀ ଅଭିଯୋଗ କରିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ନିହାଲ ପ୍ରସାଦରେ ଏକ ମୋରମ ଖଣି ନିଲାମ ପାଇଁ ୨୦୨୦ ଜୁନ୍‍ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଅମିତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ସର୍ବାଧିକ ଅର୍ଥ ଦେବାପାଇଁ ଉଲ୍ଲେଖ କରିଥିବାବେଳେ ତାଙ୍କ ଟେଣ୍ଡର ଦରଖାସ୍ତକୁ ଅସମ୍ପୂର୍ଣ୍ଣ ଦର୍ଶାଇ ବାତିଲ କରିଦିଆଯାଇଥିଲା ଏବଂ ଦ୍ୱିତୀୟ ସ୍ଥାନରେ ଥିବା ସଂସ୍ଥାକୁ ନିଲାମ ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାର ପ୍ରତିବାଦ କରି ଅମିତ କୁମାର ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ୨୦୨୨ ସେପ୍ଟେମ୍ବର ୨୭ରେ ହାଇକୋର୍ଟ ପୁର୍ନବାର ବିଜ୍ଞପ୍ତି ପ୍ରକାଶ କରି ସାନି ଟେଣ୍ଡର ଡାକିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।

ତେବେ ପ୍ରଥମ ଥରର ଟେଣ୍ଡର ତୁଳନାରେ ଦ୍ୱିତୀୟଥର ଟେଣ୍ଡରରେ ଅଂଶଗ୍ରହଣ କରିଥିବା ସଂସ୍ଥାମାନେ ଢେର କମ୍‍ ଦର ଦର୍ଶାଇଥିଲେ । ପ୍ରଥମ ଥରର ଟେଣ୍ଡର ବାତିଲ ହୋଇଯାଇଥିଲେ ମଧ୍ୟ ୨୦୨୨ ନଭେମ୍ବର ୩୦ତାରିଖରେ ଡକାଯାଇଥିବା ଦ୍ୱିତୀୟ ଟେଣ୍ଡରକୁ ଗ୍ରହଣ ନକରି ପ୍ରଥମ ଟେଣ୍ଡରର ଦ୍ୱିତୀୟ ସ୍ଥାନରେ ଥିବା ବ୍ୟକ୍ତିଙ୍କୁ ମୋରମ ଖଣି ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାର ବିରୋଧକରି ଅଜିତ କୁମାର ସାହୁ ନାମକ ଜଣେ ଟେଣ୍ଡର ଆବେଦନକାରୀ ପୁଣି ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସୁପ୍ରିମ୍‍କୋର୍ଟର ଅନ୍ୟତମ ବିଚାରପତି ସଞ୍ଜୀବ ଖାନ୍ନା ଓ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମାମଲାର ଶୁଣାଣିକରି ଯେଭଳି ଭାବେ ବାତିଲ ହୋଇଥିବା ଟେଣ୍ଡରର ଆବେଦନକାରୀଙ୍କୁ ଖଣି ଲିଜ୍‍୍‍ ପାଇଁ ବଛାଗଲା ସେଥିଘେନି ଉଦବେଗ ପ୍ରକାଶ କରିବା ସହ ୬ସପ୍ତାହ ମଧ୍ୟରେ ପୂର୍ବରୁ ଯେତେସବୁ ଆବେଦନକାରୀ ଖଣି ନିଲାମ ପାଇଁ ଟେଣ୍ଡର ଦରଖାସ୍ତ ମାଧ୍ୟମରେ ଅମାନତ ଜମା ଦେଇଥିଲେ ସେମାନଙ୍କୁ ସେହି ଅର୍ଥ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାବତ୍‍ ଏହା ଫେରସ୍ତ ହୋଇନଥିବା ଘେନି କେତେକ ଜମାକାରୀ ଖୋଲା ଅଭିଯୋଗ କରୁଛନ୍ତି ।

ଏଭଳି ସ୍ଥିତିରେ ପୂର୍ବରୁ ଖଣି ନିଲାମ ପ୍ରକ୍ରିୟାରେ କିଭଳି ବ୍ୟାପକ ତ୍ରୁଟି ବିଚ୍ୟୁତି ହେଉଥିଲା ସେ ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳୁଛି । ତେବେ ଖଣି ନିଲାମ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବାଲାଗି ଏବେ ଜୋରଦାର ପ୍ରସ୍ତୁତି ଚାଲିଛି । ଇତି ମଧ୍ୟରେ ରାଜ୍ୟ ସରକାର ବାଲି, ମୋରମ, ପଥର ଭଳି ଲଘୁ ଖଣିଜ ପଦାର୍ଥର ପରିଚାଳନା ଓ ନିଲାମ ଦାୟିତ୍ୱ ରାଜସ୍ୱ ପ୍ରଶାସନରୁ କାଢିନେଇ ଖଣି ବିଭାଗ ହାତରେ ନ୍ୟସ୍ତ କରିଛନ୍ତି । ତେବେ ଏଥିଯୋଗୁଁ ଅଧିକ ସମସ୍ୟା ଉପୁଜୁଥିବା ପରିପ୍ରେକ୍ଷୀରେ ଲଘୁ ଖଣିଜ ପଦାର୍ଥର ନିଲାମ ସଂକ୍ରାନ୍ତୀୟ ଦାୟିତ୍ୱ ପୁଣିଥରେ ରାଜସ୍ୱ ପ୍ରଶାସନ ହାତକୁ ଫେରାଇଦେବା ଉଚିତ୍‍ ହେବବୋଲି ମତପ୍ରକାଶ ପାଉଛି ।(ତଥ୍ୟ)