ଭୁବନେଶ୍ୱର : ଖଣି ଖନନ ଓ ଶିଳ୍ପ ପ୍ରତିଷ୍ଠାକୁ ନେଇ ବିଭିନ୍ନ ଜିଲ୍ଲାରେ ଜନଆନ୍ଦୋଳନ ମୁଣ୍ଡ ଟେକୁଛି । ଏଥିଯୋଗୁ ବ୍ୟାପକ ଜଙ୍ଗଲ ସଫେଇ ସହିତ ପରିବେଶ ବିପନ୍ନ ହେବା ଏବଂ ହଜାର ହଜାର ପରିବାର ବାସ୍ତୁହରା ହେବା ଆଶଙ୍କା କରି ଆନ୍ଦୋଳନ ଦାନା ବାନ୍ଧୁଛି ।
ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରେ ଇତିମଧ୍ୟରେ କେତେକ କୋଇଲା ଖଣି ନିଲାମ କରାଯାଇଛି । ଯେଉଁ ସଂସ୍ଥାଗୁଡ଼ିକ ହାତରେ କୋଇଲା ଖଣି ଅଞ୍ଚଳକୁ ଟେକିଦିଆଯାଇଛି ସେମାନେ ତୁରନ୍ତ ପରିବେଶ ମଞ୍ଜୁରୀ ଆଣି ଗଛକଟା କାମରେ ଲାଗିଛନ୍ତି । ଏବେ ତାଳଚେର ଅଞ୍ଚଳରୁ ଯେତିକି କୋଇଲା ଖଣି ପଡିଛି ସେଥିଯୋଗୁ ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷିତ ହୋଇ ସାଧାରଣ ଲୋକଙ୍କ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଲାଣି । ନୂଆ କୋଇଲା ଖଣି ପାଇଁ ବହୁ ପରିବାରକୁ ଭିଟାମାଟି ଛାଡ଼ିବାକୁ ପଡିବ । ଏହାଛଡ଼ା କୋଇଲା ଖଣି ଖନନର ପ୍ରତିକୂଳ ପ୍ରଭାବ ବି ରହିଛି । ଏ ପ୍ରସଂଗକୁ ନେଇ ନୂଆ ଖଣି ଖାଦାନ ଅଞ୍ଚଳରେ ଅନୁଗୁଳ ଜିଲ୍ଲାରେ ପ୍ରତିବାଦର ସ୍ୱର ଉଠୁଛି ।
ସେହିଭଳି ରାୟଗଡ଼ା ଜିଲ୍ଲାରେ ଖଣି ଖନନ ଓ ଶିଳ୍ପ ପ୍ରତିଷ୍ଠା ପ୍ରସଂଗକୁ ବର୍ଷବର୍ଷ ଧରି ସ୍ଥାନୀୟ ଲୋକେ ବିରୋଧ କରିଆସୁଛନ୍ତି । ନିକଟରେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ସଂପୃକ୍ତ ଅଞ୍ଚଳର ଗସ୍ତରେ ଯାଉଥିବା ବେଳେ ପ୍ରଶାସନ ଓ ପୁଲିସ ତାଙ୍କୁ ବାଧା ଦେଇ ରାୟଗଡ଼ା ଜିଲ୍ଲାରୁ ଏକ ପ୍ରକାର ବାହାର କରିଦେଇଥିଲେ । ଏହି ଘଟଣାରେ ଖଣି ଓ କାରଖାନା ବିରୋଧୀ ଲୋକେ ଅଧିକ ଉତ୍ତେଜିତ ହୋଇଛନ୍ତି । ଏଭଳି ଘଟଣା ଓଡ଼ିଶା ହାଇକୋର୍ଟଙ୍କ ନଜରକୁ ଅଣାଯିବା ପରେ ଆଇନ୍ଶୃଙ୍ଖଳା ଆଳ ପ୍ରଶାସନ ଦେଖାଇଥିଲେ ମଧ୍ୟ ଅଦାଲତ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଜଗତସିଂହପୁର ଜିଲ୍ଲାରେ ଏବେ ବି ଇସ୍ପାତ କାରଖାନା ବିରୋଧରେ ଜନଆନ୍ଦୋଳନ ଲାଗି ରହିଛି । ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଖଣି ଖନନ ଓ ଶିଳ୍ପାୟନ ନାମରେ ବ୍ୟାପକ ଖଣିଜ ସାମଗ୍ରୀର ଚୋରା କାରବାର ଲାଗିରହିଛି । ଢେଙ୍କାନାଳଠାରୁ କୋରାପୁଟ ପର୍ଯ୍ୟନ୍ତ ବି ଅନୁରୂପ ସମସ୍ୟା ଅଛି । ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଖଣି ଖାଦାନ ବିରୋଧରେ ପରିବେଶ ପ୍ରେମୀମାନେ ବର୍ଷବର୍ଷ ଧରି ସ୍ୱର ଉତ୍ତୋଳନ କରିଆସୁଛନ୍ତି । ଏମିତିକି ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧମାନେ ଖଣି ଖନନ ବିରୋଧରେ ଆନ୍ଦୋଳନ କରି ସଫଳ ହେବା ପରେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶା ସରକାରଙ୍କ ନିଜସ୍ୱ ଆୟର ମୁଖ୍ୟ ସ୍ରୋତ ଖଣି ଓ ଅବକାରୀ ରାଜସ୍ୱ । ରାଜ୍ୟର ବିକାଶ ପାଇଁ ଅଧିକ ରାଜସ୍ୱ ଆବଶ୍ୟକ ପଡୁଥିବାରୁ ସରକାର ଅବକାରୀ ଓ ଖଣିଜ କାରବାରକୁ କମାଇ ପାରୁ ନାହାନ୍ତି ବୋଲି କୁହାଯାଉଛି । ଶିଳ୍ପ ଓ ସହରୀକରଣ ଯୋଗୁ ରାଜ୍ୟର ସମସ୍ତ ପ୍ରମୁଖ ନଦୀର ଜଳ ପ୍ରଦୂଷିତ ହେବାରେ ଲାଗିଛି । ଏହାଛଡ଼ା ନଦୀଗୁଡ଼ିକର ଜଳଧାରଣ କ୍ଷମତା କମିଯାଉଥିବା ବେଳେ ଖଣି ଓ କାରଖାନା ପାଇଁ ଆବଶ୍ୟକ ହେଉଥିବା ପ୍ରଚୁର ପରିମାଣର ପାଣି କେଉଁଠୁ ମିଳିବ ତାହା ଏବେ ପ୍ରଶ୍ନବାଚୀ । ଅଧିକ ଖଣି ଖନନକୁ ଆଖି ଆଗରେ ରଖି ଓଡ଼ିଶାରେ ଏକାଧିକ ବନ୍ଦର ପ୍ରତିଷ୍ଠା ଲାଗି ଯେଉଁ ପ୍ରସ୍ତାବ ରହିଛି ତାହାକୁ ମଧ୍ୟ ପୁରୀ ଜିଲ୍ଳାର ଅସ୍ତରଙ୍ଗ ସମେତ ରାଜ୍ୟର ଅନେକ ଅଞ୍ଚଳରେ ବିରୋଧ କରାଯାଉଛି । ତେବେ ପରିବେଶ ସୁରକ୍ଷା ଓ ବିକାଶ ମଧ୍ୟରେ ସମନ୍ୱୟ ରକ୍ଷା କରି ସରକାର କାମ କରୁଛନ୍ତି ବୋଲି ନେତାମାନେ ଟିପ୍ପଣୀ ଦେଉଛନ୍ତି । (ତଥ୍ୟ)