Home News in Odia ଖଣିଜ ପରିବହନ ବିବାଦର ସମାଧାନ

ଖଣିଜ ପରିବହନ ବିବାଦର ସମାଧାନ

ଭୁବନେଶ୍ୱର : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଖଣିଜ ପଦାର୍ଥ ପରିବହନକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାରେ ସମାଧାନର ବାଟ ବାହାର କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପରାମର୍ଶ ଦେଇଥିଲେ ।

ଏହି କ୍ରମରେ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଓ ଟ୍ରକ୍ ମାଲିକ ସଙ୍ଘର ନେତାମାନେ ଯୋଗଦେଇ ବିବାଦର ସମାଧାନ କରିଛନ୍ତି ।

ଏହି ବୈଠକରେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ଯାଜପୁରର ଅତିରିକ୍ତ ଏସପି, କାଳିଆପାଣି ଆଇଆଇସି ଓ ରାଜ୍ୟ ପରିବହନ ପ୍ରାଧିକରଣର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାସହ ରାଜ୍ୟ ଟ୍ରକ ଫେଡେରସନର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀଙ୍କ ସମେତ ଯାଜପୁର, କଳିଙ୍ଗନଗର, ଚଣ୍ଡିଖୋଲର ଟ୍ରକ ମାଲିକ ସଙ୍ଘ ନେତାମାନେ ସାମିଲ ହୋଇଥିଲେ ।

ବିବାଦର ସମାଧାନ ପାଇଁ ସବୁ ପକ୍ଷଙ୍କ ମତାମତ ଆଧାରରେ ସମାଧାନର ବାଟ ବାହାରିଛି। ବାକି କିଛି ଦାବି ଉପରେ ପଦକ୍ଷେପ ପାଇଁ ଏହାକୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ବିବାଦର ସମାଧାନ ସହ କଳିଙ୍ଗନଗରରେଖଣିଜ ପରିବହନ ସ୍ୱାଭାବିକ କରିବାକୁ ସହମତି ପ୍ରକାଶ ପାଇଛି।