ଭୁବନେଶ୍ୱର : ବାଲି, ମୋରମ ଠାରୁ ଆରମ୍ଭକରି ଲୁହାପଥର, ବକ୍ସାଇଟ୍ ପର୍ଯ୍ୟନ୍ତ ବିଭିନ୍ନ କିସମର ଖଣିଜ ଓ ଲଘୁଖଣିଜ ସାମଗ୍ରୀର ଚୋରା କାରବାର ଏତେ ମାତ୍ରାରେ ବଢିଯାଇଛି ଯେ ଏହାକୁ ନିୟନ୍ତ୍ରଣ କରିବାପାଇଁ ଯାଉଥିବା ଅଧିକାରୀମାନେ ବାରମ୍ବାର ମାଫିଆଙ୍କ ଆକ୍ରମଣର ଶିକାର ହେଉଛନ୍ତି । ପ୍ରାୟ ଚାରି ଦଶନ୍ଧି ଧରି ଲଗାତାର ଭାବରେ ରାଜ୍ୟରେ ଖଣିଜ ସାମଗ୍ରୀର ଚୋରା କାରବାର ଖୋଲାଖୋଲି ଭାବେ ଚାଲୁଥିଲେ ମଧ୍ୟ ଏହାର ନିୟନ୍ତ୍ରଣ କରାଯାଇ ନଥିବାରୁ ମାଫିଆମାନେ ଏତେ ଶକ୍ତିଶାଳୀ ହୋଇଛନ୍ତି ଯେ ସେମାନେ ପୁଲିସ୍ ଓ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ଖାତିର କରୁନାହାନ୍ତି ।
ବାଲି, ମୋରମ, ପଥର, ଚିପସ୍ ଆଦିର ନିୟନ୍ତ୍ରଣ ପୂର୍ବରୁ ରାଜସ୍ୱ ବିଭାଗ ହାତରେ ଥିଲା । ବାଲିଘାଟ ଠାରୁ ଆରମ୍ଭକରି ମୋରମ ଖଣି ପର୍ଯ୍ୟନ୍ତ ତହସିଲ ମାଧ୍ୟମରେ ନିଲାମ କରାଯାଉଥିଲା । ସେତେବେଳେ ବି ବହୁ କ୍ଷେତ୍ରରେ ମାଫିଆଙ୍କ ନାଲିଆଖି ଯୋଗୁଁ ନିଲାମ ହୋଇପାରୁନଥିଲା । ଯେଉଁଠି ବି ନିଲାମ ହେଉଥିଲା ସେଥିରୁ ଅଧିକାଂଶ ସ୍ଥାନରେ ଅତ୍ୟଧିକ ପରିମାଣର ଲଘୁ ଖଣିଜ ସାମଗ୍ରୀ ଖୋଲା ଉତ୍ତୋଳନ ହେଉଥିଲା ।
ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ଲଘୁ ଖଣିଜ ସାମଗ୍ରୀ କାରବାରକୁ ଖଣି ବିଭାଗ ନିୟନ୍ତ୍ରଣକୁ ଆଣିଥିଲେ । ତେବେ ତହସିଲ, ବ୍ଲକ ଓ ପଞ୍ଚାୟତ ସ୍ତରରେ ଖଣି ବିଭାଗର ଅଧିକାରୀ ନଥିବାରୁ ଜିଲ୍ଲା ଖଣି ଅଧିକାରୀ ବାଲି, ମୋରମ ସମେତ ଅନ୍ୟ ଲଘୁ ଖଣିଜ ସାମଗ୍ରୀର ଚୋରା କାରବାର ନିୟନ୍ତ୍ରଣ କରିବାରେ ବ୍ୟର୍ଥ ହେଉଥିଲେ । କେତେକ ସ୍ଥାନରେ ମାଫିଆମାନେ ଟ୍ରାକ୍ଟର, ଟ୍ରକ, ଜେସିବି ଆଦି ଚଢାଇ ଅଧିକାରୀମାନଙ୍କୁ ମାରିଦେବାପାଇଁ ମଧ୍ୟ ଉଦ୍ୟମ କରିବାର ବହୁ ନଜିର ରହିଛି ।
ଏମିତିକି ପୁରୀ ଶ୍ରୀମନ୍ଦିର ନାମରେ ଖୋରଧା ଜିଲ୍ଲାରେ ଥିବା ଜମିରୁ ବେଧଡକ ପଥର କାଟି ଲୋକେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଚୋରା ବେପାରୀ ମାଲେମାଲ ହୋଇଥିବାବେଳେ ଶ୍ରୀମନ୍ଦିର ଜମିରେ ଥିବା ବେଆଇନ୍ ପଥର ଖଣିରେ ଭର୍ତ୍ତି ହେଉଥିବା ଜଳରେ ବୁଡି ଲୋକେ ମରିବା ଏବଂ ଏଥିଯୋଗୁଁ ପରିବେଶ ବିଗୁଡୁଥିବା ଅଭିଯୋଗରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଉପରେ ମୋଟା ଅଙ୍କର କ୍ଷତିପୂରଣ ଲଦିବାର ନଜିର ମଧ୍ୟ ରହିଛି ।
ଚୋରା ଲୁହାପଥା, ବକ୍ସାଇଟ୍, ମାଙ୍ଗାନିଜ୍, କୋଇଲା ଆଦିର ଚୋରା ଚାଲାଣ ଓଡିଶାରେ ବର୍ଷ ବର୍ଷ ଧରି ଏକ ନିତିଦିନିଆ ଲୁଟି ଘଟଣାରେ ପରିଣତ ହୋଇଛି । ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ ଏମ ବି ଶାହା କମିଶନଙ୍କ ରିପୋର୍ଟରୁ ଏହାର ସାମାନ୍ୟ ସୂଚନା ମିଳେ । ସେତେବେଳେ ଜଷ୍ଟିସ ଶାହା କମିଶନ ବେଆଇନ୍ ଖଣିଜ କାରବାର ଅଭିଯୋଗରେ ବିଭିନ୍ନ ସଂସ୍ଥାଠାରୁ ମାତ୍ର ୬୯ହଜାର କୋଟି ଟଙ୍କା କ୍ଷତି ପୂରଣ ଆଦାୟ କରିବାଲାଗି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାର ଏକ ଚତୁର୍ଥାଂଶ ବି ୧୦ବର୍ଷ ଭିତରେ ଆଦାୟ ହୋଇପାରିନାହିଁ ।
ଏମିତିକି ଚୋରା ଲୁହାପଥର ଗୁଣ୍ଡ ବୋଝେଇ ଏକ ଜାହାଜ ପାରାଦୀପ୍ ବନ୍ଦର ଉପକୂଳରେ ବୁଡି ରହିଛି । ଏହି ମାମଲାର ବି ତଦନ୍ତ ହୋଇଥିଲା । ତେବେ ଏହି ବିଦେଶୀ ଜାହାଜରେ କେଉଁ ସଂସ୍ଥା କେତେ ଲୁହାଗୁଣ୍ଡ ଚାଲାଣ କରୁଥିଲେ ତାଙ୍କୁ ଧରି କୌଣସି କାର୍ଯ୍ୟାନୁଷ୍ଠାନ ଦର୍ଘବର୍ଷ ହେଲା ହୋଇପାରୁ ନାହିଁ । ପଶ୍ଚିମବଙ୍ଗର ବାଲି ମାଫିଆମାନେ ଭୋଗରାଇ ଅଞ୍ଚଳରେ ସୁବର୍ଣ୍ଣରେଖା ଶଯ୍ୟାରୁ ଦିନ ରାତି ଚୋରା ବାଲି ଚାଲାଣ କରୁଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ ।
ସେହିଭଳି ନଦୀ ଶଯ୍ୟାରୁ ବାଲି ଉଠାଇବାପାଇଁ ଜେସିବି ଆଦିର ବ୍ୟବହାର ଉପରେ କଟକଣା ଥିବାବେଳେ କଟରୁ ଆଳି ପର୍ଯ୍ୟନ୍ତ ଚାରିଆଡେ ଏହା ଖୋଲାଖୋଲି ଭାବେ ଚାଲିବା ଫଳରେ ନଦୀ ଓ ଏହାର ଉପକୂଳବାସୀଙ୍କ ନିରାପତ୍ତା ଉପରେ ବିପଦ ସୃଷ୍ଟି ହେଉଥିବା ବାରମ୍ବାର ପରିବେଶପ୍ରେମୀମାନେ ଅଭିଯୋଗ କରି ଆସୁଛନ୍ତି ।(ତଥ୍ୟ)