Home Education କ୍ୟାମ୍ପସର ନାମ ରହୁ ସତ୍ୟବାଦୀ ବିହାର

କ୍ୟାମ୍ପସର ନାମ ରହୁ ସତ୍ୟବାଦୀ ବିହାର

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଗୁରୁଦିବସ ଅବସରରେ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଲୋକାର୍ପିତ ହେବାକୁ ଯାଉଛି । ଏହି ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‍ ନାମ ‘ସତ୍ୟବାଦୀ ବିହାର’ ରଖିବା ପାଇଁ ଦଳମତ ନିର୍ବିଶେଷରେ ମତପ୍ରକାଶ ପାଉଥିବାବେଳେ ଏଯାବତ୍‍ ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା ହୋଇନାହିଁ ।

୨୦୧୮ ମସିହାରେ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ । ଜମି ଅଧିଗ୍ରହଣ ଓ ଅନ୍ୟ କେତେକ ସମସ୍ୟା ଲାଗି ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିବାରେ ବିଳମ୍ବ ହେବାରୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାପାଇଁ ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ଆଇଏଏସ୍‍ ଅଫିସରଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏଏସ୍‍ଡି ଭାବେ ନିଯୁକ୍ତ କରିଥିଲେ । ଜମି ଅଧିଗ୍ରହଣ ସହ ବିଶ୍ୱବିଦ୍ୟାଳୟର ବିଭିନ୍ନ ସୌଧ ପାଇଁ ନକ୍ସା ତିଆରି ହୋଇ ତାହାର ପ୍ରଶାସନିକ ଅନୁମୋଦନ ନିଆଯିବା ପରେ ଏଥିଲାଗି ବଜେଟ୍‍ରେ ଅର୍ଥ ବ୍ୟବସ୍ଥା ହୋଇଥିଲା ।

ପୂର୍ବ ଘୋଷଣା ମୁତାବକ ୨୦୨୩-୨୪ ଶିକ୍ଷାବର୍ଷରୁ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପାଠପଢା ଆରମ୍ଭ ହେବାକୁ ଯାଉଛି । ଇତିମଧ୍ୟରେ ଶାନ୍ତିନିକେତନରେ ବରିଷ୍ଠ ଓଡ଼ିଆ ପ୍ରଫେସର ପ୍ରଫେସର ଡ. ସବିତା ପ୍ରଧାନଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତ କରାଯାଇଛି । ଏଥିସହ ବିଶ୍ୱବିଦ୍ୟାଳୟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଗୁଡିକ ଶୀଘ୍ର ପୂରଣ ପାଇଁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ପ୍ରକାଶ ।

ଚଳିତବର୍ଷ ଶେଷ ପୂର୍ବରୁ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆପାତତଃ ଶେଷ ହେବବୋଲି କୁହାଯାଉଛି । ଉଚ୍ଚଶିକ୍ଷା ବିଭାଗ, ନିର୍ମାଣ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନ ଏଥିଲାଗି ବିଶେଷ ତତ୍ପରତା ପ୍ରକାଶ କରୁଛନ୍ତି । ତେବେ ନୂତନ ଶୌଧ ଉଦ୍‍ଘାଟନ ପୂର୍ବରୁ ସାକ୍ଷୀଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି କଲେଜ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପାଠପଢା କାମ ଚାଲିବ ଏବଂ ପର୍ଯ୍ୟଟକ ନିଗମର ଅନ୍ୟଏକ ସୌଧରେ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ଦପ୍ତର କାର୍ଯ୍ୟ କରିବ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଲାଗି ଭାଷାଭିତ୍ତିକ ଚାରିଟି ବିଷୟରେ ଛାତ୍ରଛାତ୍ରୀଙ୍କ ନାମାଙ୍କନ କରାଯାଉଛି । ଏଥିଲାଗି ପୂର୍ବରୁ ଖୋଲା ବିଜ୍ଞାପନ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ବିଷୟ ଗୁଡ଼ିକରେ ପାଠ ପଢାଇବା ପାଇଁ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦିଆଯାଇପାରିନାହିଁ ।

ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ଘେନି ନୂଆ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ୟୁଜିସି ପକ୍ଷରୁ ସୁପ୍ରିମ୍‍କୋର୍ଟରେ ମାମଲା ଚାଲିଥିବା ପରିପ୍ରେକ୍ଷୀରେ ରାଜ୍ୟ ଲୋକସଭା ଆୟୋଗ ଦ୍ୱାରା ଶିକ୍ଷକ ନିଯୁକ୍ତି ହୋଇପାରୁନାହିଁ । ସୁପ୍ରିମ୍‍କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡିକ ପୁରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି ।

ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଯେଉଁ ଛାତ୍ରଛାତ୍ରୀମାନେ ଏବର୍ଷ ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବେ ସେମାନଙ୍କ ପାଠପଢାରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନହୁଏ ତାହାକୁ ଆଖି ଆଗରେ ରଖି ବିଭିନ୍ନ ବିଷୟର ଅବସରପ୍ରାପ୍ତ ପ୍ରଫେସରମାନଙ୍କୁ ଏଠାରେ ଅତିଥି ଶିକ୍ଷକ ଭାବେ ନିୟୋଜନ କରାଯିବ । ଏହାଛଡା ଅଧ୍ୟାପନା ଓ ଗବେଷଣା କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ଆଉ କିଛି ବ୍ୟକ୍ତିଙ୍କୁ ମଧ୍ୟ ଠିକା ଅଧ୍ୟାପକ ଭାବେ ନିଯୁକ୍ତି ଦେବାପାଇଁ ବିଚାରବିମର୍ଷ ଚାଲିଛି । ଏହାଛଡ଼ା ଅନ୍ୟ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରୁ ବରିଷ୍ଠ ଶିକ୍ଷକମାନଙ୍କୁ ବି ଏଠାକୁ ଡେପୁଟେସନରେ ଆଣିବା ପାଇଁ ଆଲୋଚନା ହେଉଛି ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ତାଙ୍କ ସତୀର୍ଥ ପଞ୍ଚସଖାଙ୍କ କର୍ମଭୂମି ଥିଲା ସତ୍ୟବାଦୀ ବନବିଦ୍ୟାଳୟ । ଏଠାରେ ପାଠପଢା ସହିତ ଜାତୀୟ ଚେତନାର ମଞ୍ଜି ବୁଣାଯାଉଥିଲା । ଗୋପବନ୍ଧୁ ସତ୍ୟବାଦୀରୁ ‘ସତ୍ୟବାଦୀ’ ପତ୍ରିକା ଆରମ୍ଭ କରିଥିଲେ ଏବଂ ପରେ ‘ସମାଜ’ ସତ୍ୟବାଦୀ ପ୍ରେସ୍‍ରୁ ଛପା ହେଉଛି । ସତ୍ୟବାଦୀ ନନ୍ଦଙ୍କ ଠାରୁ ସତ୍ୟବାଦୀ ମିଶ୍ରଙ୍କ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱ ଉତ୍କଳମଣିଙ୍କ ନିକଟ ବଳୟରେ ଥିଲେ ।

ପରବର୍ତ୍ତୀ ସମୟରେ ସାକ୍ଷୀଗୋପାଳକୁ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ବୋଲି କୁହାଯାଉଛି । ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିବିହାର ପରିସରରେ ଚାଲୁଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାର ପରିସରରେ ଚାଲୁଛି । ରାଜ୍ୟର ଅନ୍ୟସବୁ ସରକାରୀ ବିଶ୍ୱବିଦ୍ୟାଳୟ ପରିସରର ନାମକରଣ ଥିବାବେଳେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନବନିର୍ମିତ ପରିସରକୁ ସତ୍ୟବାଦୀ ବିହାର ନାମରେ ନାମିତ କରିବା ପାଇଁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । (ତଥ୍ୟ)