ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ସହ ପ୍ରତିଯୋଗିତାମୂଳକ ନିବେଶ ଏବଂ ଘରୋଇ ଅଂଶଗ୍ରହଣକୁ ଉତ୍ସାହିତ କରିବାକୁ ଓଡିଶା ପର୍ଯ୍ୟଟନ ନୀତି-୨୦୨୨ର ସଂଶୋଧନ କରାଯିବ। କେନ୍ଦ୍ର ପର୍ଯ୍ୟଟନ ମାନଦଣ୍ଡ ଆଧାରରେ ଏଣିକି ତିନି ତାରକା ଓ ତଦୁର୍ଦ୍ଧ ହୋଟେଲ କିମ୍ବା ରିସର୍ଟ ପାଇଁ ସର୍ବନିମ୍ନ ନିବେଶ ସୀମା ହ୍ରାସ କରିବାକୁ ଆଜି ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛି।
ସଂଶୋଧିତ ପର୍ଯ୍ୟଟନ ନୀତି-୨୦୨୬ରେ ତିନି ତାରକା ଓ ତଦୁର୍ଦ୍ଧ ହୋଟେଲ କିମ୍ବା ରିସର୍ଟ ପାଇଁ ସର୍ବନିମ୍ନ ନିବେଶ ସୀମା ୫୦ କୋଠରୀରୁ ୧୦ କୋଠରୀକୁ ହ୍ରାସ କରାଯାଇଛି। ଏଥିସହିତ ବର୍ତ୍ତମାନ କାର୍ଯ୍ୟକ୍ଷମ ୟୁନିଟ ଗୁଡିକର ସହଜ ଓ ଦ୍ରୁତ ସମ୍ପ୍ରସାରଣ ପାଇଁ ଯୋଗ୍ୟତା ସୀମା ୫୦ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରାଯାଇଛି। ପର୍ଯ୍ୟଟନ କ୍ଷେତ୍ରରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ପୁଞ୍ଜି ନିବେଶ ସବସିଡି (ସିଆଇଏସ)କୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ୨୦୦ କୋଟି ପର୍ଯ୍ୟନ୍ତ ନିବେଶ ପାଇଁ ୫୦ କୋଟି ପର୍ଯ୍ୟନ୍ତ ସବସିଡି ଏବଂ ୨୦୦ କୋଟି କିମ୍ବା ଉର୍ଦ୍ଧ୍ବ ପ୍ରକଳ୍ପ ପାଇଁ ୧୦୦ କୋଟି ପର୍ଯ୍ୟନ୍ତ ସରକାର ରିହାତି ପ୍ରଦାନ କରିବେ ବୋଲି କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।
ଚିଲିକା, କେବିକେ ଅଞ୍ଚଳ, କନ୍ଧମାଳ ଓ ଗଜପତିର ସ୍ବତନ୍ତ୍ର ଜୋନ ବ୍ୟତିତ ହୀରାକୁଦ, ସାତକୋଶିଆ, ବଲାଙ୍ଗୀର ଓ ବରଗଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ, ସିମିଳିପାଳ, ରତ୍ନଗିରି-ଉଦୟଗିରି-ଲଳିତଗିରି ଏବଂ ଭିତରକନିକା ଭଳି ଉଚ୍ଚ ସମ୍ଭାବ୍ୟ ପର୍ଯ୍ୟଟନସ୍ଥଳୀଗୁଡିକରେ ସ୍ବତନ୍ତ୍ର ଜୋନ ସଂପ୍ରସାରଣକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ସ୍ବତନ୍ତ୍ର ଜୋନରେ ପର୍ଯ୍ୟଟନ ପ୍ରକଳ୍ପ ଏବଂ ମହିଳା, ଅନୁସୂଚିତ ଜାତି ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀଙ୍କୁ ଅଧିକ ରିହାତି ମିଳିବ। ୧୦୦ କୋଟି ପର୍ଯ୍ୟନ୍ତ ନିବେଶ ପାଇଁ ୬୦ କୋଟି ପର୍ଯ୍ୟନ୍ତ ଏବଂ ୨୦୦ କୋଟି କିମ୍ବା ଉର୍ଦ୍ଧ୍ବ ପ୍ରକଳ୍ପକୁ ୧୨୦ କୋଟି ପର୍ଯ୍ୟନ୍ତ ରିହାତି ଦିଆଯିବ। ସେହିଭଳି ବିଭିନ୍ନ ଉଦୀୟମାନ ପର୍ଯ୍ୟଟନ କ୍ଷେତ୍ର ପାଇଁ ଲକ୍ଷ୍ୟଯୁକ୍ତ ସବସିଡି ବ୍ୟବସ୍ଥା କରାଯାଇଛି। ସଂଗ୍ରହାଳୟ ଓ ଏୈତିହ୍ୟ ସମ୍ପତ୍ତି ପାଇଁ ୪୦ ପ୍ରତିଶତ ପର୍ଯ୍ୟନ୍ତ ପୁଂଜି ରିହାତି ଏବଂ ବୈଦ୍ୟୁତିକ ଡଙ୍ଗା, ବୈଦୁତିକ କାରାଭାନ ଏବଂ ହସ୍ତକଳା ବିଷୟବସ୍ତୁ କମ୍ପ୍ଲ୍କେକ୍ସ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ପୁଂଜି ରିହାତି ଦିଆଯିବ।
ରାଜ୍ୟରେ ପ୍ରର୍ଯ୍ୟଟନ ଚାହିଦାକୁ ବୃଦ୍ଧି କରିବା ପାଇଁ ଡେଷ୍ଟିନେସନ ଓ୍ବେଡିଂ, ଲଗଜରୀ କ୍ୟାମ୍ପିଂ ଭଳି ପର୍ଯ୍ୟଟନ କ୍ଷେତ୍ର ପାଇଁ ମଧ୍ୟ ପ୍ରୋତ୍ସାହନ ଦେବେ ସରକାର। ଏହାବ୍ୟତିତ ପର୍ଯ୍ୟଟନ ବିଭାଗ ଦ୍ବାରା ଅଧିସୂଚିତ ପର୍ଯ୍ୟଟନସ୍ଥଳୀ, ଓଡିଶା ମଧ୍ୟରେ ଏବଂ ରାଜ୍ୟ ବାହାରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଓ କୋଲକାତା ଏହି ପାଞ୍ଚଟି ମେଟ୍ରୋ ସହର ସହ ଆଗ୍ରା, ବାରାଣାସୀ, ଗୋଆ, କୋଟି ଏବଂ ଜୟପୁରରେ ପ୍ରାମାଣିତ ଓଡିଶା ଖାଦ୍ୟର ପ୍ରୋତ୍ସାହନ ପାଇଁ ଏକ ସମର୍ପିତ ପୁଂଜିନିବେଶ ଏବଂ ଖର୍ଚ୍ଚ ସହାୟତା ପ୍ରଦାନ କରାଯିବ। ଓଡିଆ ଖାଦ୍ୟର ପରିଚୟକୁ ସୁଦୃଢ କରିବା ଲକ୍ଷ୍ୟରେ ଏହି ସହାୟତା ଦିଆଯିବ। ଏଥିସହିତ ପର୍ଯ୍ୟଟନ ସେବା ପ୍ରଦାନକାରୀ ଏବଂ ହୋମଷ୍ଟେ ମାଲିକଙ୍କୁ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟନ ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରୋତ୍ସାହନ ଦେବାକୁ କ୍ୟାବିନେଟ ଅନୁମୋଦନ କରିଛି। ପର୍ଯ୍ୟଟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ପର୍ଯ୍ୟଟନ ପରାମର୍ଶଦାତା ପରିଷଦ ଗଠନ କରାଯିବ। ୨୦୩୬ ସୁଦ୍ଧା ରାଜ୍ୟରେ ୧୫ହଜାର ତାରକାବର୍ଗ ହୋଟେଲ କୋଠରୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶ ୨୦୧୫ ଆଧାରରେ ରାଜ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶ ୨୦୧୬ ଏବଂ ଓଡିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମ ୨୦୨୦ରେ ସଂଶୋଧନକୁ କ୍ୟାବିନେଟ ମଂଜୁରୀ ଦେଇଛି। ତଦନୁଯାୟୀ ଖାଦ୍ୟ ସୁରକ୍ଷା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ଇ-କେଓ୍ବାଇସି ଯାଞ୍ଜ, ନାବାଳକଙ୍କ ନାମରେ ସ୍ବତନ୍ତ୍ର ରାସନ କାର୍ଡ ଜାରି ନକରିବା, ନିଷ୍କ୍ରିୟ ଓ ଅଯୋଗ୍ୟ ରାସନ କାର୍ଡକୁ ରଦ୍ଦ କରାଯିବ। ଏହାଦ୍ବାରା ଅଯୋଗ୍ୟ ପରିବାର ଚିହ୍ନଟ କରିବା ସହ ରିହାତି ଖାଦ୍ୟଶସ୍ୟର ଜାଲିଆତି ପରି ଦୀର୍ଘକାଳୀନ ସମସ୍ୟାର ସମାଧାନ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଓଡିଶା ସାଧାରଣ ବଣ୍ଟନ ବ୍ୟବସ୍ଥା ଆଇନ ୨୦୧୬ର ଧାରା ୨୭(କ)ରେ ମଧ୍ୟ ସଂଶୋଧନକୁ କ୍ୟାବିନେଟ ମଂଜୁରୀ ଦେଇଛି। ଏହି ସଂଶୋଧନ ଅନୁଯାୟୀ ରାସନକାର୍ଡଧାରୀ ଘରର ମୁଖ୍ୟ କିମ୍ବା କାର୍ଡଧାରୀ ଘରର ଅଧିକୃତ ସଦସ୍ୟଙ୍କୁ କାର୍ଡରେ ଥିବା ଯେକୌଣସି ସଦସ୍ୟଙ୍କ ମୃତ୍ୟୁ ଜନିତ ତଥ୍ୟକୁ ଲୁଚାଇ ନରଖି ଯୋଗାଣ ଅଧିକାରୀ କିମ୍ବା ନିକଟସ୍ଥ ଡିଲରଙ୍କୁ ଜଣାଇବା ବାଧ୍ୟତାମୂଳକ। ଏଥିରେ ବ୍ୟତିକ୍ରମ କରି ତଥ୍ୟ ଗୋପନ ରଖି ପିଡିଏସ ସାମଗ୍ରୀ ଗ୍ରହଣ କଲେ କାର୍ଡରେ ଥିବ ବ୍ୟକ୍ତିଙ୍କ ମୃତ୍ୟୁ ତାରିଖ ଠାରୁ ତାଙ୍କ ନାଁରେ ଗ୍ରହଣ କରାଯାଇଥିବା ସମସ୍ତ ସାମଗ୍ରୀର ମୂଲ୍ୟ ସମ୍ପୃକ୍ତ ପରିବାରଠାରୁ ଦେଢଗୁଣ ହାରରେ ଆଦାୟ କରାଯିବ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ପ୍ରସ୍ତୁତ ରାଜ୍ୟ ଖାଦ୍ୟ ସରୁକ୍ଷା ଆଇନ-୨୦୨୦ରେ ଅନ୍ତୋଦ୍ବୟ ଯୋଜନା ଏବଂ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ସ୍ବତଃ ଯୋଗ ହେବା ଏବଂ ବାଦ ପଡିବା ମାନଦଣ୍ଡରେ ସଂଶୋଧନକୁ ଆଜି କ୍ୟାବିନେଟ ମଂଜୁରୀ ଦେଇଛି। ଗ୍ରାମାଞ୍ଚଳରେ ୧୦ହଜାର ଏବଂ ସହରାଞ୍ଚଳରେ ୧୫ ହଜାରରୁ ଅଧିକ ମାସିକ ଆୟ କରୁଥିଲେ ସ୍ବତଃ ବାଦ ମାନଦଣ୍ଡରେ ଅନ୍ତର୍ଭୁକ୍ତ ହେଉଥିଲେ। ଏବେ ଏହି ମାନଦଣ୍ଡକୁ ଗ୍ରାମାଞ୍ଚଳରେ ୧୫ହଜାର ଏବଂ ସହରାଞ୍ଚଳରେ ୨୦ହଜାରକୁ ବୃଦ୍ଧି କରାଯାଇଛି।

