Home Health କ୍ୟାପିଟାଲ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ କେବେ ?

କ୍ୟାପିଟାଲ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ କେବେ ?

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପାଇଁ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରିବାକୁ ପ୍ରାୟ ୫ବର୍ଷ ହେବ କୁହାଯାଉଥିଲେ ମଧ୍ୟ କେବେ ଓ କେଉଁ ସ୍ଥାନରେ ଏହି ନୂଆ ହସ୍ପିଟାଲ ନିର୍ମିତ ହେବ ସେଥିଘେନି କେହି ନିର୍ଦ୍ଧିଷ୍ଟ ଭାବେ କିଛି କହିପାରୁନଥିଲେ ମଧ୍ୟ ଦ୍ୱିତୀୟ କ୍ୟାମ୍ପସ ନିର୍ମାର ଘେନି ପ୍ରସ୍ତାବ ଥିବା କଥା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହୁଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ପରିସରରେ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଟ୍ୟୁଟ ଅଫ୍‍ ମେଡିକାଲ ସାଇନ୍ସ ଆରମ୍ଭ ହୋଇଛି । ଏଠାରେ କେତେକ ବିଷୟରେ ସ୍ନାତକୋତ୍ତର ଶିକ୍ଷାଦାନର ବ୍ୟବସ୍ଥା ଅଛି । ଏଥିପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ନହେଲେ ମଧ୍ୟ କିଛି ବିଭାଗରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ହୋଇଛନ୍ତି । ତେବେ ସବୁଠାରୁ ବଡ ସମସ୍ୟା ହେଉଛି କ୍ୟାପିଟାଲ ହସ୍ପିଟାଲ ପରିସରରେ ସ୍ଥାନ ଅଭାବ ।

ଅବଶ୍ୟ ପ୍ରାୟ ୫ବର୍ଷ ଧରି ଏହି ଡାକ୍ତରଖାନା ପରିସରରେ କେତେକ ସୌଧ ନିର୍ମାଣ ଚାଲୁ ରହିଛି । ଏହି କୋଠାବାଡିଗୁଡିକର ନିର୍ମାଣକାର୍ଯ୍ୟ ଶେଷ ହେବାପରେ ରୋଗୀ ଚିକିତ୍ସା, ଡାକ୍ତରୀ ପାଠପଢା ଓ ପ୍ରଶାସନ ପାଇଁ ଅଧିକ ସ୍ଥାନ ମିଳିବ ବୋଲି କୁହାଯାଉଛି । ଅନ୍ୟ ପକ୍ଷରେ ଡାକ୍ତରଖାନା ପରିସରରେ ଆଖିବୁଜା ନିର୍ମାଣକାର୍ଯ୍ୟ ଚାଲିଥିବାରୁ ଏଠାରେ ଯାନ ବାହାନ ରଖିବା ଘେନି ଗୁରୁତର ସମସ୍ୟା ଉପୁଜୁଛି । ଫଳରେ ଅନେକ ବ୍ୟକ୍ତି ଛଅ ନମ୍ବର ୟୁନିଟ୍‍ରେ ଥିବା ବିଭିନ୍ନ ସରକାରୀ କ୍ୱାଟର୍ସ ଆଗରେ ଲମ୍ବା ଧାଡିରେ ଗାଡି ପାର୍କିଂ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ସେଥିରୁ ଫାଇଦା ଉଠାଇ ଚୋରମାନେ ମାଲେମାଲ ହେଉଛନ୍ତି ।

କ୍ୟାପିଟାଲ ହସ୍ପିଟାଲକୁ ଏବେ କୌଣସି ରୋଗୀ ନିଜେ ଗାଡିଚଳାଇ ଆସିଲେ ଗାଡି ପାର୍କିଂ କରି ଡାକ୍ତରଙ୍କ ନିକଟକୁ ଆସିଲା ବେଳକୁ ଧାଡି ଯନ୍ତ୍ରଣାରେ ତାଙ୍କ ରୋଗ ଉପଶମ ହେବା ପରିବର୍ତ୍ତେ ବଢିବା ନିଶ୍ଚିତ । କେବଳ ସେତିକି ନୁହେଁ, ଆଉଟଡୋର ଓ ଜରୁରୀକାଳୀନ ସେବା ଯେଉଁ ସ୍ଥାନରେ ଯୋଗାଯାଉଛି ତାହା ସମ୍ମୁଖ ରାସ୍ତାରେ ବେଳେବେଳେ ଆମ୍ବୁଲାନ୍ସ ଯିବା ବି କଷ୍ଟକର ହୋଇପଡୁଛି ।

ଏହି ସମସ୍ୟାକୁ ଆଖିଆଗରେ ରଖି ୟୁନିଟ୍‍ ଛଅ ଅଞ୍ଚଳର ଶତାଧିକ ସରକାରୀ କ୍ୱାଟର୍ସ ଭାଙ୍ଗି ସେଠାରେ ଡାକ୍ତରଖାନାପାଇଁ ନିର୍ମାଣ କାର୍ଯ୍ୟ କରିବାକୁ ବି ପ୍ରସ୍ତାବ ରହିଛି । ତେବେ ରାଜଧାନୀର ଜନସଂଖ୍ୟା ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ପଟିଆ ଅଞ୍ଚଳରେ ହେବବୋଲି ପୂର୍ବରୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ଏଯାବତ୍‍ ଏ ଦିଗରେ କିଛି କାମ ଆଗେଇ ନାହିଁ ।

ବରିଷ୍ଠ ଚିକିତ୍ସକ ଓ ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି ଯେ ଏକ ସ୍ୱତନ୍ତ୍ର କ୍ୟାମ୍ପସ ନିର୍ମାଣ କରାଯାଇ ସେଠାରେ ଏମବିବିଏସ୍‍, ଡେଣ୍ଟାଲ, ସ୍ନତକୋତ୍ତର ଡାକ୍ତରୀ, ନର୍ସିଂ ଓ ଏଏନ୍‍ଏମ୍‍ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବା ଆବଶ୍ୟକ । ଏଥି ସହ ଏହି ନୂଆ କ୍ୟାମ୍ପସରେ ସମସ୍ତ ସୁବିଧା ଥାଇ ଅତ୍ୟାଧୁନିକ ମେଡିକାଲ କଲେଜ ହସ୍ପିଟାଲ ଚଳାଯିବାର ଆବଶ୍ୟକତା ରହିଛି । ଏହା ଫଳରେ କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ କମିପାରିବ ଏବଂ ଘରୋଇ ହସ୍ପିଟାଲକୁ ଦଉଡିବା ପରିବର୍ତ୍ତେ ରୋଗୀମାନେ ନୂଆ ମେଡିକାଲ କଲେଜ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସେବା ପାଇପାରିବେ ।

ବିଶେଷକରି କିଡ୍‍ନୀ, ଲିଭର, ହୃଦ୍‍ରୋଗ, ନ୍ୟରୋସର୍ଜରୀ, କର୍କଟ ଆଦି ବ୍ୟୟବହୁଳ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପର୍ଯ୍ୟାପ୍ତ ସୁବିଧା ନଥିବାରୁ ପ୍ରାୟତଃ ରୋଗୀମାନଙ୍କୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାକୁ ପଠାଇ ଦିଆଯାଉଛି । ରାଜଧାନୀରେ ଜନଂସଖ୍ୟା ବୃଦ୍ଧି ସହ ଆଖପାଖ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟସେବା ପାଇଁ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭରଶୀଳ ରହୁଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ନୂଆ କ୍ୟାମ୍ପସରେ ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ କଲେ ଏହି ସମସ୍ୟାର ସରଳ ଓ ସହଜ ସମାଧାନ ହୋଇପାରିବ । (ତଥ୍ୟ)