ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡାକ୍ତର ଅଭାବ ନେଇ ବାରମ୍ବାର ଅଭିଯୋଗ ଆସୁଥିବାବେଳେ ଖୋଦ୍ ରାଜଧାନୀରେ ଥିବା କ୍ୟାପିଟାଲ ହସ୍ପିଟାଲରେ ବି ଡାକ୍ତରଙ୍କ ସଙ୍କଟ ପରିଲକ୍ଷିତ ହୋଇଛି । କେବଳ ଡାକ୍ତର ନୁହଁନ୍ତି ଏଠାରେ ଆବଶ୍ୟକ ସଂଖ୍ୟକ ନର୍ସିଂ କର୍ମଚାରୀ ନଥିବାରୁ ସ୍ୱାସ୍ଥ୍ୟସେବା ଯୋଗାଣରେ ବାଧା ଉପୁଜୁଥିବା କୁହାଯାଉଛି ।
କ୍ୟାପିଟାଲ ହସ୍ପିଟାଲ ଉପରେ ଏବେ ଆଖପାଖ ଜିଲ୍ଲାର ରୋଗୀମାନେ ନିର୍ଭର କରୁଛନ୍ତି । ବିଶେଷକରି ପୁରୀ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରୁ ରୋଗୀମାନେ ରେଫର ହୋଇ ଏଠାକୁ ଆସୁଛନ୍ତି । ଡାକ୍ତରଖାନାକୁ ଦୈନିକ ହାରାହାରି ୪ଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ଯେତିକି ସଂଖ୍ୟକ ଡାକ୍ତର ଓ ନର୍ସିଂ କର୍ମଚାରୀ ଅଛନ୍ତି କର୍ତ୍ତୃପକ୍ଷ ସେମାନଙ୍କୁ ନେଇ କାମ ଚଳାଉଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ନୂଆକରି ଖୋଲିଥିବା ପିଜି ଅନୁଷ୍ଠାନ ପାଇଁ ବିଭିନ୍ନ ବର୍ଗର ୧୨୮ ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଥିବାବେଳେ କାର୍ଯ୍ୟରତ ଅଛନ୍ତି ୧୨୦ଜଣ ଡାକ୍ତର । ସେହିଭଳି କ୍ୟାପିଟାଲ ହସ୍ପିଟାଲରେ ୧୮୦ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀରେ ୧୩୯ଜଣ କାର୍ଯ୍ୟରତ ରହିଛନ୍ତି ।
ସବୁଠାରୁ ବଡକଥା ହେଲା ଏଠାରେ ଡାକ୍ତରଙ୍କ ସଂଖ୍ୟା କମ୍ ରହିଥିବାବେଳେ ସେମାନଙ୍କୁ କିନ୍ତୁ ଡାକ୍ତରଖାନାରେ ରୋଗୀସେବା ବ୍ୟତିତ ଆବଶ୍ୟକସ୍ଥଳେ ରକ୍ତ ଦାନ ଶିବିର, ବିଧାନସଭା ଅଧିବେଶନ ଦାୟିତ୍ୱ, ବିଶିଷ୍ଟ ଓ ଅତି ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କ ସେବାରେ ମୁତୟନ ହୋଇଥାନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ୨୧୪ଟି ମଞ୍ଜୁରୀପ୍ରାପ୍ତ ନର୍ସିଂ ଅଫିସର ପଦବୀରେ ୧୬୨ ଜଣ ନର୍ସିଂ ଅଫିସର କାର୍ଯ୍ୟ କରୁଛନ୍ତି । ଖାଲିଥିବା ପଦବୀଗୁଡିକୁ ନିୟମିତ ଚୟନ, ବିଭାଗୀୟ ପଦୋନ୍ନତି, ଡେପୁଟେସନ ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ର୍ରକ୍ରିୟା ମାଧ୍ୟରେ ପୂରଣା କରିବାପାଇଁ ପଦକ୍ଷେପ ନେଉଥିବାବେଳେ ୧୦ଜଣ ଡାକ୍ତର ଓ ୨୦ଜଣ ନର୍ସିଂ ଅଫିସର ଡେପୁଟେସନରେ ଆସି ଏଠାରେ କାର୍ଯ୍ୟରତ ଅଛନ୍ତି ।
ଉଭୟ ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କ ଅଭାବ ଯୋଗୁଁ ଚିକିତ୍ସାଧିନ ରୋଗୀମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଠିକାରେ କାର୍ଯ୍ୟରତ ନବାଗତ ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟରେ ରୋଗୀମାନଙ୍କୁ ଠିକଣା ଭାବେ ସେବା ଯୋଗାଇ ପାରୁନଥିବାର ଅଭିଯୋଗ ବି ଆସୁଛି । ଖୋଦ୍ ରାଜ୍ୟ ରାଜଧାନୀରେ ଏଭଳି ଡାକ୍ତର ଓ ନର୍ସିଂ କର୍ମଚାରୀ ସଙ୍କଟ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆଇନା ପାଲଟିଛି ବୋଲି ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।
କେବଳ ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କ ସଙ୍କଟ ନୁହେଁ, ଘରୋଇ ସଂସ୍ଥାଦ୍ୱାରା ପରିଚାଳିତ ନିଦାନ କେନ୍ଦ୍ରରେ ମଧ୍ୟ ରୋଗୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ରକ୍ତ ପରୀକ୍ଷା କରି ରିପୋର୍ଟ ପାଇବାକୁ ରୋଗୀମାନଙ୍କୁ ଦିନଟିଏ ଲାଗିଯାଉଛି । ଫଳରେ ଯେଉଁମାନେ ଡାକ୍ତରଖାନାକୁ ଚିକିତ୍ସାପାଇଁ ଆସୁଛନ୍ତି ସେମାନେ ପ୍ରଥମେ ଡାକ୍ତରଙ୍କୁ ସାକ୍ଷାତକରି ପରାମର୍ଶ ନେବା ଓ ନିଦାନ ରିପୋର୍ଟ ପୁଣିଥରେ ଡାକ୍ତରଙ୍କୁ ଦେଖାଇବାପାଇଁ ଅତି କମ୍ରେ ଦୁଇ ଦିନ ସମୟ ଲାଗିଯାଉଛି । ତେଣୁ ଅନେକ ରୋଗୀ ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି ଏକ୍ସ-ରେ ପର୍ଯ୍ୟନ୍ତ ଘରୋଇ ସଂସ୍ଥାରେ କରିବାକୁ ଉଚିତ୍ ମଣୁଛନ୍ତି । ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ତୁରନ୍ତ ନିଦାନ ବ୍ୟବସ୍ଥାରେ ସୁଧାର ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)

