Home General କ୍ୟାଣ୍ଟିନ୍‍ ଖୋଲିବାକୁ ଅନୁମତି

କ୍ୟାଣ୍ଟିନ୍‍ ଖୋଲିବାକୁ ଅନୁମତି

ଭୁବନେଶ୍ୱର: ଲୋକସେବା ଭବନରେ କ୍ୟାଣ୍ଟିନଗୁଡ଼ିକ ଖୋଲିବା ପାଇଁ ଅନୁମତି ମିଳିଛି । କୋଭିଡ୍‍ କଟକଣା ମଧ୍ୟରେ କ୍ୟାଣ୍ଟିନ୍‍ ଖୋଲିବା ସହିତ ସୁରକ୍ଷାକର୍ମୀ ମୁତୟନ ପାଇଁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତବର୍ଷ ମାର୍ଚ୍ଚ ମାସରୁ କୋଭିଡ୍‍ କଟକଣା ଲାଗୁ ହେବାପରେ ଲୋକସେବା ଭବନ ପରିସରରେ ଥିବା କ୍ୟାଣ୍ଟିନଗୁଡ଼ିକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଥିଲେ । ସେତେବେଳେ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଲୋକସେବା ଭବନକୁ ଆସୁଥିଲେ ।

କରୋନା ପ୍ରକୋପ କମିବା ପରେ ଏବେ ଶତପ୍ରତିଶତ କର୍ମଚାରୀ ଲୋକସେବା ଭବନକୁ ଆସୁଥିବା ବେଳେ କ୍ୟାଣ୍ଟିନଗୁଡ଼ିକ କିନ୍ତୁ ଖୋଲୁନଥିଲା । ଫଳରେ କର୍ମଚାରୀମାନେ ଚା’ ଜଳଖିଆ ଖାଇବା ପାଇଁ ଲୋକସେବା ଭବନ ବାହାରକୁ ଯିବାକୁ ବାଧ୍ୟ ହେଉଥିଲେ ।

ଅନ୍ୟପକ୍ଷରେ ମାସ ମାସ ଧରି କ୍ୟାଣ୍ଟିନଗୁଡ଼ିକ ବନ୍ଦ ରହିବାରୁ ଏହାକୁ ଚଳାଉଥିବା ଲୋକେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ଅନ୍ୟ ବ୍ୟବସାୟ ଧରିଥିଲେ । ଏପରିକି କିଛି କ୍ୟାଣ୍ଟିନ୍‍ ମାଲିକ ରାଜଧାନୀରେ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।

ତେବେ ଗତ କିଛିଦିନ ଧରି କ୍ୟାଣ୍ଟିନ୍‍ ଖୋଲିବା ଲାଗି କର୍ମଚାରୀମାନେ ଦାବି କରିଆସୁଥିଲେ । କର୍ମଚାରୀମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ କ୍ୟାଣ୍ଟିନ୍‍ଗୁଡ଼ିକୁ କୋଭିଡ୍‍ କଟକଣା ମଧ୍ୟରେ ଖୋଲିବା ଲାଗି ଅନୁମତି ଦିଆଯାଇଛି । ଯଦି କୌଣସି କ୍ୟାଣ୍ଟିନ୍‍ କୋଭିଡ୍‍ ନିୟମ ମାନିବେ ନାହିଁ ତେବେ ତୁରନ୍ତ ତାକୁ ବନ୍ଦ କରାଯିବା ସହିତ କ୍ୟାଣ୍ଟିନ୍‍ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।