Home Agriculture କ୍ଷୀରରେ ମିଶୁଛି ଚିନି ଓ ଲୁଣ

କ୍ଷୀରରେ ମିଶୁଛି ଚିନି ଓ ଲୁଣ

ଭୁବନେଶ୍ୱର : ଓମଫେଡ୍‍ ଯୋଗାଉଥିବା କ୍ଷୀରରେ ଆବଶ୍ୟକତା ଅନୁସାରେ ଦୁଗ୍ଧ ଗୁଣ୍ଡ, ଚିନି, ଖାଇବାଲୁଣ ଆଦି ମିଶ୍ରଣ କରାଯାଉଛି । ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ଯୋଗାଣ ହେଉଥିବା ଓମଫେଡ୍‍ କ୍ଷୀରରେ ମିଶ୍ରଣ ହେଉଥିବା ସାମଗ୍ରୀ ସଂକ୍ରାନ୍ତରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଚଳିତ ଆର୍ଥିକ ବର୍ଷରେ ଓମଫେଡ୍‍ ଦୈନିକ ହାରାହାରି ୪.୧୨ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରୁଛି ।

ସେହି ଦୁଗ୍ଧକୁ ପ୍ରକ୍ରିୟାକରଣ କରାଯାଇ ଚାରି ପ୍ରକାରର ଦୁଗ୍ଧ ସହିତ ଘିଅ, ସାଧାଦହି, ମିଠାଦହି, ଛେନା, ଘୋଳଦହି, ଛେନାପୋଡ, ଖୁଆ, ଲଦି, ପେଡା, ରସଗୋଲା ଆଦି ପ୍ରସ୍ତୁତ କରାଯାଉଛି । ତେବେ ଏଫ୍‍ଏସଏସଏଆଇ ଦ୍ୱାରା ଧାର୍ଯ୍ୟ ନିୟମ ଅନୁଯାୟୀ ଆବଶ୍ୟକତା ଅନୁସାରେ କ୍ଷୀରରେ ଦୁଗ୍ଦ ପାଉଡର, ଚିନି, ଖାଇବା ଲୁଣ ଇତ୍ୟାଦି ମିଶା ଯାଉଛି ।

ମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଦୁଗ୍ଧଚାଷୀଙ୍କର କ୍ଷୀର ଦର ବୃଦ୍ଧି ଦାବି ପରିପ୍ରେକ୍ଷିରେ ଓମଫେଡ୍‍ ଅର୍ନ୍ତଗତ ଦୁଗ୍ଧ ପ୍ରଦାନକାରୀ ସଭ୍ୟ ସଭ୍ୟାମାନଙ୍କ ଠାରୁ ସଂଗୃହୀତ ଦୁଗ୍ଧର ଦର ବୃଦ୍ଧି ପାଇଁ ସରକାରୀ ସ୍ତରରେ ବିଚାର ଆଲୋଚନା ଚାଲିଛି । ଦୁଗ୍ଧଚାଷୀ ଯେଉଁମାନେ କି ଓମଫେଡ୍‍ ସହିତ ଅନୁବନ୍ଧିତ ସେମାନଙ୍କର ସମସ୍ତ ବଳକା ଦୁଗ୍ଧକୁ ଓମଫେଡ୍‍ କ୍ରୟ କରୁଛି ।

ସେହିଭଳି ବେକାର ଯୁବକ ଯୁବତୀମାନଙ୍କୁ ଗୋପାଳନ ଜରିଆରେ ରୋଜଗାରକ୍ଷମ କରିବାପାଇଁ ସରକାରଙ୍କ ଦ୍ୱାରା କିଷାନ କ୍ରେଡିଟ୍‍ କାର୍ଡ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କଦ୍ୱାରା ସହଜ କିସ୍ତିରେ ଋଣ ପ୍ରଦାନ କରାଯାଉଥିବା ମନ୍ତ୍ରୀ କହିଛନ୍ତି । (ତଥ୍ୟ)