ଭୁବନେଶ୍ୱର : ବଜାରରେ ଗୋଖାଦ୍ୟ ଦର ହୁ ହୁ ହୋଇ ବଢୁଥିବାବେଳେ ସେହି ଅନୁପାତରେ ଦୁଗ୍ଧ ଦର ବଢୁନଥିବାରୁ ଦୁଗ୍ଧଚାଷୀମାନେ ଏବେ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି । ତେଣୁ ଗାଁ ଗହଳରେ ଥିବା ଦୁଗ୍ଧଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୁଗ୍ଧ ଦର ବୃଦ୍ଧି ପାଇଁ ଓଡିଶା ଦୁଗ୍ଧ ଚାଷୀ ମହାସଂଘ ପକ୍ଷରୁ ଦାବି କରାଯାଇଛି ।
ସଂଘର ସଭାପତି ରବି ବେହେରା କହିଛନ୍ତି ଯେ ଦୀର୍ଘଦିନ ହେଲା ଓମଫେଡ୍ ଦୁଗ୍ଧଦର ବୃଦ୍ଧି କରୁନାହିଁ । ଚାଷୀଙ୍କ ଠାରୁ ଲିଟର ପିଛା ୩୫ ରୁ ୪୦ ଟଙ୍କା ମଧ୍ୟରେ କିଣି ଲୋକଙ୍କୁ ୫୨ ଟଙ୍କାରେ ବିକ୍ରି କରୁଛି । ତେବେ ଶ୍ରୀ ବେହେରା କହିଛନ୍ତି ଯେ ସଂଖ୍ୟାଧିକ ଚାଷୀଙ୍କ ଦୁଗ୍ଧ ଦର ଲିଟର ପ୍ରତି ୩୫ ଟଙ୍କାରୁ କମ୍ ରହୁଥିବାରୁ ଚାଷୀମାନେ ଏବେ ଘରୋଇ କମ୍ପାନୀ ମୁହାଁ ହୋଇଛନ୍ତି । ଓମଫେଡ୍ ଯେତିକି ଦରରେ ଦୁଗ୍ଧ କିଣୁଛି ଘରୋଇ କମ୍ପାନୀମାନେ ତାହାଠାରୁ ଲିଟର ପ୍ରତି ପ୍ରାୟ ୨ଟଙ୍କା ଅଧିକ ଦରରେ କିଣି ଚାଷୀଙ୍କୁ ନିଜ ଆଡକୁ ଟାଣୁଛନ୍ତି । କେତେକ ଘରୋଇ ଦୁଗ୍ଧ ବେପାରୀ ଲିଟର ପ୍ରତି ସରକାରୀ ଦର ଠାରୁ ୪/୫ ଟଙ୍କା ଅଧିକ ଦେଉଛନ୍ତି ।
ଶ୍ରୀ ବେହେରା କହିଛନ୍ତି ଯେ ଦୁଗ୍ଧଚାଷୀମାନଙ୍କ ଲାଗି ସବୁଠାରୁ ବଡ ସମସ୍ୟା ହୋଇ ଗୋଖାଦ୍ୟର ଦର ହୁ ହୁ ହୋଇ ବୃଦ୍ଧି ପାଇବା । ସରକାରୀ ଗୋଖାଦ୍ୟ କାରଖାନା ବନ୍ଦହୋଇ ଯିବାପରେ କିଛି ଅଣଓଡିଆ ବ୍ୟବସାୟୀ ଏବେ ଓଡିଶାର ଗୋଖାଦ୍ୟ ବଜାରକୁ ଅକ୍ତିଆରକୁ ନେବା ସହିତ ମନଇଚ୍ଛା ଦର ବୃଦ୍ଧି କରୁଛନ୍ତି । ବଜାରରେ ଏବେ ଗୋଟିଏ କିଲୋ ଦାନାକୁ ପାଖାପାଖି ୩୦ଟଙ୍କା ହେଲାଣି । ତେଣୁ ଚଢା ଦରରେ ଦାନା କିଣି କମ୍ ଦରରେ ଓମଫେଡ୍କୁ କ୍ଷୀର ବିକ୍ରି କରିବା ଅପେକ୍ଷା ଚାଷୀମାନେ ଘରୋଇ କମ୍ପାନୀ ମୁହାଁ ହେଉଛନ୍ତି । ଏଥିଯୋଗୁଁ ଏବେ ରାଜ୍ୟରେ ଥିବା ୩୭୬୪ଟି ଦୁଗ୍ଧ ସମବାୟ ସମିତି ମଧ୍ୟରୁ ଅଧିକାଂଶ ଋଗଣ ହୋଇଗଲାଣି ।
ସେହିଭଳି ଗୋପାଳନ ଲାଗି କଞ୍ଚାଘାସ ଅତ୍ୟନ୍ତ ଜରୁରୀ ଥିବାବେଳେ ଚାରଣ ଭୂମି ହ୍ରାସ ଯୋଗୁଁ ଗାଈ ଗୋରୁଙ୍କୁ ଆଉ ପୂର୍ବଭଳି ସବୁଜ ଘାସ ମିଳୁନାହିଁ । ଘାସ ପାଇଁ ଦୁଗ୍ଧ ସମବାୟ ସମିତିଗୁଡିକ ମଧ୍ୟ ସେଭଳି କୌଣସି ପଦକ୍ଷେପ ନେଉ ନାହାନ୍ତି । ରାଜ୍ୟରେ ଥିବା ନଈପଠାଗୁଡିକ ଗାଈ ଗୋରୁଙ୍କ ଚାରଣ ଭୂମି ଥିବାବେଳେ ସେଠାରେ ଏବେ ମାଳ ମାଳ ଇଟାଭାଟି ଗଢି ଉଠୁଛି ।
ଦୁଗ୍ଧ ଚାଷୀଙ୍କ ଏଭଳି ଅବସ୍ଥା ଯୋଗୁଁ ଅଶୀ ଦଶକରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଓମ୍ଫେଡ୍ ଧିରେ ଧିରେ ଦେବାଳିଆ ହୋଇଯାଉଥିବା ଶ୍ରୀ ବେହେରା କହିଛନ୍ତି । ସେ କହିଛନ୍ତି ଅମୁଲ ଭଳି ଦୁଗ୍ଧ ସମବାୟ ସଂସ୍ଥା ବର୍ଷକୁ ୩୬ହଜାର କୋଟି ଟଙ୍କାର ବ୍ୟବସାୟ ସହିତ ତାହାର ଉତ୍ପାଦନକୁ ବିଦେଶରେ ପହଞ୍ଚାଇ ପାରିଥିବାବେଳେ ଓମଫେଡ୍ ପକ୍ଷରୁ ଖୋଦ ରାଜଧାନୀରେ ବହୁ ଆଡମ୍ବରରେ ଖୋଲା ଯାଇଥିବା ପାର୍ଲର କିନ୍ତୁ ଚାଲିପାରୁ ନାହିଁ । ଓମଫେଡ୍ ଅନୁମତିପ୍ରାପ୍ତ କାଉଣ୍ଟର ଏବେ କେବଳ ଚାହା ଦୋକାନରେ ସୀମିତ ରହିଗଲାଣି ।
ଏଭଳି ସ୍ଥିତିରେ ଗାଁ ଗହଳର ଅର୍ଥନୀତିର ପ୍ରମୁଖ ମେରୁଦଣ୍ଡ ସାଜିଥିବା ଦୁଗ୍ଧଚାଷ ପ୍ରତି ସରକାର ଦୃଷ୍ଟି ଦେବା ସହିତ ଏଥିପାଇଁ ହେଉଥିବା ଖର୍ଚ୍ଚକୁ ଆକଳନ କରି ଦୁଗ୍ଧ ଦର ବୃଦ୍ଧି କରିବା ଆବଶ୍ୟକ । ଏହା ନହେଲେ ଆଗାମୀ ଦିନରେ ସରକାରୀ ସଂସ୍ଥା ଓମଫେଡ୍ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯିବା ସହିତ ଦୁଗ୍ଧ ଚାଷୀଙ୍କ ଭାଗ୍ୟ ଘରୋଇ ସଂସ୍ଥା ହାତକୁ ଚାଲିଯିବ ବୋଲି ଶ୍ରୀ ବେହେରା କହିଛନ୍ତି । (ତଥ୍ୟ)