ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରେ ହିଂସା ପରେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବେ ଅଟୋ ଚାଳକ। ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ ୪ ଶହ ଗାଡ଼ି ଜବତ ହୋଇଛି। ଏନେଇ ସୂଚନା ଦେଲେ ଅତିରକ୍ତ ପରିବହନ କମିଶନର। ସେମାନଙ୍କର ପରମିଟ ରଦ୍ଦ ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ଫିଟନେସ୍, ବୀମା, ଟିକସ ଭରି ନ ଥିଲେ ଚାଲାଣ କଟାଯିବ। ଆସନ୍ତା ୨୪ ଓ ୨୬ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ହେବ। ସନ୍ତୋଷଜନକ ଜବାବ ନ ରଖିଲେ ପରମିଟ ରଦ୍ଦ ହେବ।
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ଅନଲାଇନ୍ ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ହିଂସା ଘଟଣାକୁ ନେଇ ଏବେ କଡ଼ା ଆଭିମୁଖ୍ୟ ନେଇଛନ୍ତି ସରକାର । ରାସ୍ତାରୋକ, ଭଙ୍ଗାରୁଜା ଓ ପୋଲିସ ସହ ମୁହାଁମୁହିଁ ଘଟଣାରେ ସମ୍ପୃକ୍ତ ଅଟୋ ଚାଳକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏପରିକି ବିଶୃଙ୍ଖଳାରେ ସାମିଲ ଗାଡ଼ିଗୁଡ଼ିକର ପରମିଟ୍ ବାତିଲ କରିବାକୁ ପରିବହନ ବିଭାଗ ପଦକ୍ଷେପ ଆରମ୍ଭ କରିଛି । ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ। ଯେଉଁ କ୍ଷତି ହୋଇଛି ଏହା ତାଙ୍କ ଠାରୁ ହିଁ ଆଦାୟ ହେବ। ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଦେବା ଦାୟିତ୍ବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।
ସେହିପରି ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ପୁଲିସ ଆକ୍ସନ ମୋଡ଼କୁ ଓହ୍ଲାଇଛି । ଗତକାଲି ଅଟକ ଥିବା ୧୭୩ ଜଣଙ୍କ ମଧ୍ୟରୁ ୧୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ଏହାସହ ଆଉ ୬୦ ଜଣଙ୍କୁ ଭଲ ବ୍ୟବହାର ପାଇଁ ବଣ୍ଡରେ ଛାଡ଼ି ଦିଆଯାଇଛି । ଘଟଣାରେ ୩୫୪ ଟି ଗାଡ଼ି ଜବତ କରିଛି ପୁଲିସ । ଏନେଇ ଖାରବେଳନଗର ଥାନାରେ ଆଜି ୭ଟି ଏଫଆଇଆର୍ ରୁଜୁ ହୋଇଛି ।
ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ ଅଭିଯୋଗରେ ୪ଟି ଏବଂ ପୁଲିସ କର୍ମଚାରୀଙ୍କ ଅଭିଯୋଗରେ ଗୋଟିଏ ଏଫଆଇଆର୍ ରୁଜୁ ହୋଇଛି। ଆଇନକୁ ହାତକୁ ନେଇ ହିଂସା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସିସିଟିଭି ଆଧାରରେ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଚାଲିଛି ଜୋରଦାର ଚଢ଼ାଉ।

