ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରରେ ଚଳାଚଳ କରୁଥିବା ୫୨୦ଟି ଆମ ବସ୍ ନିୟମିତ ଭାବେ କ୍ଷତିରେ ଚାଲୁଛି । ଏହିସବୁ ବସ୍ଗୁଡିକରୁ ଯେତିକି ଆୟ ହେଉଛି ବ୍ୟୟ ପରିମାଣ ତାହାଠାରୁ ଯଥେଷ୍ଟ ଅଧିକ ରହିଛି । ତେଣୁ ବିଜ୍ଞାପନରୁ କିଛି ଆୟ କରି କ୍ଷତି ଭରଣା ପାଇଁ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି ।
ରାଜ୍ୟର ସହରାଞ୍ଚଳ ଯଥା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁରରେ ୧୦୬ ରୁଟ୍ରେ ୫୨୦ଟି ଆମ ବସ୍ ଚଳାଚଳ କରୁଛି । ତେବେ ଏହିସବୁ ଆମ ବସ୍ ଲଗାତାର ଭାବେ କ୍ଷତିରେ ଚାଲୁଛି । ୨୦୨୦-୨୧ ବର୍ଷରେ ଏହିସବୁ ବସ୍ଗୁଡିକରୁ ୧୯କୋଟି ୭୮ ଲକ୍ଷ ଟଙ୍କା ଆଦାୟ ହୋଇଥିବାବେଳେ ମୋଟ୍ ବ୍ୟୟ ପରିମାଣ ଥିଲା ୪୧ କୋଟି ୬୬ଲକ୍ଷ ଟଙ୍କା । ଏହିବର୍ଷ କ୍ଷତି ପରିମାଣ ପାଖାପାଖି ୨୨କୋଟି ଟଙ୍କା ଥିବାବେଳେ ଏହା ପ୍ରାୟ ୫୨.୨ ପ୍ରତିଶତ ଥିଲା ।
୨୦୨୧-୨୨ ବର୍ଷରେ ମୋଟ୍ ଆୟ ପରିମାଣ ପୂର୍ବବର୍ଷ ତୁଳନାରେ ଦୁଇଗୁଣା ହୋଇଥିବାବେଳେ କ୍ଷତି ପରିମାଣ ୩୯ ପ୍ରତିଶତରୁ ଅଧିକ ଥିଲା । ୨୦୨୨-୨୩ ବର୍ଷରେ ଆମ ବସ୍ର ଆୟ ପରିମାଣ ୯୨ କୋଟି ଟଙ୍କାକୁ ଟପିଥିବାବେଳେ ଖର୍ଚ୍ଚ ପରିମାଣ ୧୩୬ କୋଟି ଟଙ୍କାକୁ ଟପିଯାଇଥିଲା । ତେବେ ହାରାହାରି କ୍ଷତି ପରିମାଣ ୩୨.୩ ପ୍ରତିଶତ ରହିଥିଲା ।
୨୦୨୩-୨୪ ବର୍ଷରେ ଆମ ବସ୍ ଚଳାଚଳରୁ କର୍ତ୍ତୃପକ୍ଷଙ୍କର ଆୟ ପରିମାଣ ୧୪୧ କୋଟି ଟଙ୍କାକୁ ଟପିଥିବାବେଳେ ବ୍ୟୟ ପରିମାଣ ୨୧୩ କୋଟି ଟଙ୍କା ଅତିକ୍ରମ କରିଥିଲା । ଫଳରେ ଆୟର ପରିମାଣ ଆଖିଦୃଶିଆ ବୃଦ୍ଧି ପାଇଥିଲେ ମଧ୍ୟ ସଂସ୍ଥାର କ୍ଷତି ପରିମାଣ ହାରାହାରି ଭାବେ ୩୩ ପ୍ରତିଶତରୁ ଅଧିକ ରହିଛି । ଏହିବର୍ଷ ୭୨କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଥିଲା । ୨୦୨୪-୨୫ ବର୍ଷରେ ଆମ ବସ୍ ପରିବହନରୁ ଆୟ ପରିମାଣ ୧୨୦କୋଟି ୩୧ଲକ୍ଷ ଟଙ୍କା ଥିବାବେଳେ ବ୍ୟୟ ପରିମାଣ ୧୯୦ କୋଟି ଟଙ୍କାକୁ ଟପିଥିଲା । ହାରାହାରି କ୍ଷତି ପରିମାଣ ପ୍ରାୟ ୩୭ ପ୍ରତିଶତ ଥିବାବେଳେ ଏହିବର୍ଷର ଚୂଡାନ୍ତ ଅଡିଟ୍ ରିପୋର୍ଟ ହସ୍ତଗତ ହୋଇନାହିଁ ।
ତେବେ ସହରାଞ୍ଚଳରେ ବସ୍ ଚଳାଚଳରୁ ସଂସ୍ଥା ଯେତିକି ଆୟ କରୁଛି ତାହାର ଗୋଟିଏ ବଡ ଅଂଶ ବିଜ୍ଞାପନରୁ ଆସୁଛି । ୨୦୨୦-୨୧ ବର୍ଷରେ ଏହି ସୂତ୍ରରୁ ଆୟ ପରିମାଣ ପାଖାପାଖି ୬ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୨୬ କୋଟି ଟଙ୍କାକୁ ଟପିଯାଇଥିଲା । ଗତ ଆର୍ଥିକ ବର୍ଷରେ ଚୂଡାନ୍ତ ଅଡିଟ୍ ରିପୋର୍ଟ ଆସିନଥିଲେ ମଧ୍ୟ ଏହି ସୂତ୍ରରୁ ୨୨କୋଟି ଟଙ୍କାରୁ ଅଧିକ ଆୟ ହୋଇଛି । ତେବେ ବସ୍ ଚଳାଚଳରୁ ବିପୁଳ ପରିମାଣର କ୍ଷତି ହେଉଥିବାରୁ ବିଜ୍ଞାପନ ଆୟରୁ ଏହି କ୍ଷତିର କିଛି ଭରଣା କରିବାପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।
ତେବେ ଆମ ବସ୍ ଯୋଗୁଁ ସହରାଞ୍ଚଳ ବିଶେଷକରି ରାଜଧାନୀରେ ଏକାଧିକ ଦୁର୍ଘଟଣା ପରିଲକ୍ଷିତ ହେଉଛି । ଗତବର୍ଷ ଜୁନ୍ ମାସ ଠାରୁ ବର୍ତ୍ତମାନ ସୁଦ୍ଧା ୧୯ଟି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୬ଜଣ ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣା ମଧ୍ୟରୁ ୧୩ଟି ବଡ ଦୁର୍ଘଟଣା ରେକର୍ଡ ହୋଇଛି । ତେବେ ବାରମ୍ବାର ଦୁର୍ଘଟଣା ପରେ ଆମ ବସ୍ ପରିଚାଳନା ଦାୟିତ୍ୱ ନେଇଥିବା କ୍ରୁଟ୍ ସଂସ୍ଥା କେତେକ ପଦକ୍ଷେପ ଗ୍ରହଣ କରିଛି । ପ୍ରତ୍ୟେକ ବସ୍ରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବା ସହିତ ଅଗ୍ନିନିରାପତ୍ତା, କ୍ୟାମେରା, ଜରୁରୀକାଳୀନ ପ୍ରସ୍ଥାନ ପଥ, ଫାଷ୍ଟଏଡ୍ କିଟ୍ ଆଦି ରଖାଯାଉଛି । ଏଥି ସହିତ ଗାଡିଚାଳକମାନଙ୍କୁ ନିୟମିତ ଭାବେ ତାଲିମ ଦେବାର ବ୍ୟବସ୍ଥା କରାଯାଉଛି ।(ତଥ୍ୟ)