ଭୁବନେଶ୍ୱର : ଅଦିନିଆ ବର୍ଷାରେ ଉଜୁଡି ଯାଇଥିବା ଧାନ ଫସଲର କ୍ଷତିପୂରଣ ରାଶି ଦେବାପାଇଁ ବୀମା କମ୍ପାନୀମାନେ ଯେଉଁସବୁ ସର୍ତ୍ତ ଲଗାଇଲେଣି ସେଥିରେ କ୍ଷତିପୂରଣ ପାଇବା ନେଇ ଚାଷୀମାନେ ସନ୍ଦେହରେ ରହିଲେଣି । ବୀମା କମ୍ପାନୀମାନଙ୍କ ବିଭିନ୍ନ ସର୍ତ୍ତ ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇଦେଲେଣି ।
ରାଜ୍ୟ ସରକାର ଚାଷୀଙ୍କ ଫସଲର ବୀମା ପ୍ରିମିୟମ ଦେଇଛନ୍ତି । ଚାଷୀମାନେ କେବଳ ଏ ବାବଦରେ ୧ଟଙ୍କା ପ୍ରଦାନ କରିଛନ୍ତି । ହେଲେ କ୍ଷତିପୂରଣ ରାଶି ପାଇବାକୁ ହେଲେ କ’ଣ କରିବାକୁ ପଡିବ ତାହା ଅନେକ ଚାଷୀ ଜାଣିନାହାନ୍ତି । ଏବେ ଅଦିନିଆ ବର୍ଷାରେ ଧାନଫସଲ ଉଜୁଡି ଯିବାପରେ ବୀମା କମ୍ପାନୀର ଅଧିକାରୀମାନେ ଆସି ଚାଷୀଙ୍କୁ ଏକ ପ୍ରକାର ପାଠ ପଢାଇବାରେ ଲାଗିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ବୀମା କମ୍ପାନୀର ସର୍ତ୍ତ ହେଉଛି କେବଳ କଟା ହୋଇ ବିଲରେ ପଡିଥିବା ଧାନ ଅଦିନିଆ ବର୍ଷାରେ ନଷ୍ଟ ହେଲେ ତାହାର କ୍ଷତିପୂରଣ ମିଳିବ । ଯଦି ଏହି ଧାନକୁ ଚାଷୀମାନେ ବିଲରୁ ଅନ୍ୟ ସ୍ଥାନକୁ ବୋହି ନେଇଥିବେ କିମ୍ବା ପାଣିରୁ ଛାଣିଥିବେ ତେବେ କ୍ଷତିପୂରଣ ରାଶି ମିଳିବ ନାହିଁ । ସେହିଭଳି ପାଚିଲା ଧାନ କ୍ଷେତରେ ପାଣି ପଶି ତାହା ନଷ୍ଟ ହୋଇଗଲେ ମଧ୍ୟ କ୍ଷତିପୂରଣ ମିଳିବନାହିଁ । ଏପରିକି ପାଚିଲାଧାନ କଟାନହୋଇ ପାଣିରେ ବୁଡି ଗଜା ହେଲେ ତାହାର କ୍ଷତିପୂରଣ ବି କମ୍ପାନୀ ଦେବନାହିଁ ।
ଯେଉଁମାନଙ୍କର ଧାନ କଟାହୋଇ ବିଲରେ ପଡିଥିଲା ଓ ଅଦିନିଆ ବର୍ଷାରେ ଓଦା ହୋଇଥିଲା ବର୍ଷାଛାଡିବା ପରେ ପରେ ଚାଷୀମାନେ ତୁରନ୍ତ ତାହାକୁ ଶୁଖିଲା ସ୍ଥାନକୁ ବୋହି ଆଣିଛନ୍ତି । ସେହିଭଳି ପାଣିରେ ବୁଡିଥିବା ଧାନଗଛକୁ ମଧ୍ୟ ଚାଷୀମାନେ କାଟି ଉଚ୍ଚା ସ୍ଥାନକୁ ଆଣିଥିଲେ । ଏବେ ଏହିସବୁ ନଷ୍ଟ ଧାନର କ୍ଷତିପୂରଣ ରାଶି ମିଳିବନାହିଁ ବୋଲି ବୀମା କମ୍ପାନୀ କର୍ତ୍ତୃପକ୍ଷ ସଫା ସଫା ଶୁଣାଇ ଦେଲେଣି । ଏହାକୁ ନେଇ ଆଜି ପୁରୀ ଜିଲ୍ଲାରେ ଚାଷୀ ଓ ବୀମା କମ୍ପାନୀ ଅଧିକାରୀ ମୁହାଁମୁହିଁ ହୋଇଥିବାର ସୂଚନା ମିଳିଛି ।
ସେହିଭଳି ଫସଲ କ୍ଷତିର ୭୨ଘଣ୍ଟା ମଧ୍ୟରେ ବୀମା କମ୍ପାନୀକୁ ଖବର ଦେବାପାଇଁ ସରକାର ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି । ହେଲେ ବର୍ଷା ଛାଡିବାପରେ ଯେଉଁ ଚାଷୀମାନେ ଧାନଗଛକୁ ଶୁଖିଲା ସ୍ଥାନକୁ ନେଇ ଆସିଛନ୍ତି ସେମାନେ ଏବେ କ’ଣ କରିବେ ଜାଣିପାରୁ ନାହାନ୍ତି । ସେହଭଳି ବୀମା କମ୍ପାନୀକୁ ଅବଗତ ପାଇଁ ଯେଉଁ ଶୁଳ୍କମୁକ୍ତ ଟେଲିଫୋନ୍ ନମ୍ବରଟି ଦିଆଯାଇଛି ତାହା ଅନେକ ସମୟରେ ଧରୁନାହିଁ । ଗୋଟିଏ ସମୟରେ ହଜାର ହଜାର କ୍ଷତିଗ୍ରସ୍ତ ଚାଷୀ ଫୋନ୍ କରୁଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଅନ୍ୟ ପକ୍ଷରେ ରକ୍ଷକ ଆପ୍ରେ ଜଣାଇବାପାଇଁ ବି କୁହାଯାଇଛି । ହେଲେ ନଷ୍ଟ ହୋଇଯାଉଥିବା ଧାନକୁ ଖରାରେ ଶୁଖାଇ ଅମଳରେ ଚାଷୀ ବ୍ୟସ୍ତ ଥିବାରୁ ଆପ୍ ଖୋଲି ଅଭିଯୋଗ କରିବା ଗାଁ ଗହଳର ଅନେକ ଚାଷୀଙ୍କ ପକ୍ଷେ ସମ୍ଭବପର ହେଉନାହିଁ ।
ଚାଷୀମାନେ ବୀମା ପ୍ରିମିୟମ ବାବଦରେ ୧ଟଙ୍କା ଦେଉଥିବା ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ଦେଇଛନ୍ତି । ଏ ବାବଦରେ କମ୍ପାନୀମାନେ ଶହ ଶହକୋଟି ଟଙ୍କା ନେଇଛନ୍ତି । ତେଣୁ ଫସଲ କ୍ଷତିଗ୍ରସ୍ତ ହେଲାପରେ କମ୍ପାନୀ ନିଜ ପକ୍ଷରୁ ଆସି କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚିବା ଉଚିତ୍ ବୋଲି ଚାଷୀମାନେ ମତ ଦେଉଛନ୍ତି । ତେବେ ସୂଚନା ପାଇ ବୀମା କମ୍ପାନୀ ଅଧିକାରୀମାନେ ଆସି ଯେଉଁସବୁ ସର୍ତ୍ତ ଦର୍ଶାଉଛନ୍ତି ତାହାଦ୍ୱାରା ରାଜ୍ୟର ୯୯ ପ୍ରତିଶତ କ୍ଷତିଗ୍ରସ୍ତ ଚାଷୀ ବୀମା କ୍ଷତିପୂରଣ ପାଇବା ସମ୍ଭବପର ନୁହେଁ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)