Home General କ୍ଷତିପୂରଣ ଗଣିବ ଓପିଏସସି

କ୍ଷତିପୂରଣ ଗଣିବ ଓପିଏସସି

ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ ସର୍ଭିସ୍‍ (ଓଜେଏସ୍‍)ରେ ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ଯୋଗୁଁ ଓଡିଶା ହାଇକୋର୍ଟ ପ୍ରତିକୂଳ ଟିପ୍ପଣୀ ସହିତ ଲକ୍ଷେ ଟଙ୍କା କ୍ଷତିପୂରଣ ଦେବାପାଇଁ ଆୟୋଗଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେଥିଘେନି ସୁପ୍ରିମ୍‍କୋର୍ଟକୁ ଯାଇ ଆୟୋଗ ହାରିବାପରେ ଏବେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଉଛି ।

କେବଳ ଓଜେଏସ୍‍ ପରୀକ୍ଷା ନୁହେଁ, ଓଏଏସ୍‍ ପରୀକ୍ଷାରେ ମଧ୍ୟ ଆୟୋଗଙ୍କ ତ୍ରୁଟି ପାଇଁ କ୍ଷତିଗ୍ରସ୍ତ ପରୀକ୍ଷାର୍ଥୀଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରାୟ ଦେଢବର୍ଷ ଧରି ଆୟୋଗ କାର୍ଯ୍ୟକାରୀ କରୁନଥିବାରୁ ଏବେ ଅଦାଲତ ଅବମାନନା ମାମଲାରେ ଛନ୍ଦିହେବାକୁ ଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଜେଏସ୍‍ ପ୍ରବେଶିକା ପରୀକ୍ଷାରେ ପରୀକ୍ଷାଖାତାର ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଧରାପଡିଥିଲା । ଏହି ବ୍ୟାପାରରେ କ୍ଷତିଗ୍ରସ୍ତ ପ୍ରାର୍ଥୀଙ୍କୁ ଆୟୋଗ ଲକ୍ଷେ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ କେତେକ ପ୍ରତିକୂଳ ମନ୍ତବ୍ୟ କରିଥିଲେ । ଏହା ବିରୁଦ୍ଧରେ ଓପିଏସ୍‍ସି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ସେଠାରେ କେବଳ ହାରିନାହାନ୍ତି, ପୁଣି ସୁପ୍ରିମ୍‍କୋର୍ଟଙ୍କ ପ୍ରତିକୂଳ ମନ୍ତବ୍ୟର ବୋଝ ମୁଣ୍ଡାଇଛନ୍ତି ।

ଏହି ଭିତ୍ତିଭୂମିରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଆୟୋଗ ଲକ୍ଷେ ଟଙ୍କା କ୍ଷତିପୂରଣ ଦେବା ବ୍ୟତିତ ଅନ୍ୟ ପନ୍ଥା ଆଉ କିଛି ନାହିଁ ବୋଲି ଆଇନ୍‍ ବିଶାରଦମାନେ କହୁଛନ୍ତି । ପ୍ରଥମରୁ ନିଜର ତ୍ରୁଟି ମାନି ନେଇଥିଲେ ଓପିଏସ୍‍ସି ଭଳି ଏକ ସାମ୍ବିଧାନିକ ସଂସ୍ଥା ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ପ୍ରତିକୂଳ ମନ୍ତବ୍ୟର ସମ୍ମୁଖୀନ ହେବାକୁ ପଡିନଥାନ୍ତା ।

ସେହିଭଳି ଓଡିଶା ସିଭିଲ ସର୍ଭିସ୍‍ ପରୀକ୍ଷାରେ ବେଶ୍‍ ଭଲ ପ୍ରଦର୍ଶନ କରିଥିବା ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ସାକ୍ଷାତକାର ପରୀକ୍ଷାପରେ ନାକଚ କରିଦେଇ ତାଙ୍କଠାରୁ ୩୦୦ ନମ୍ବର ପର୍ଯ୍ୟନ୍ତ କମ୍‍ ରଖିଥିବା ପ୍ରାର୍ଥୀଙ୍କୁ ଯୋଗ୍ୟତା ତାଲିକାରେ ଓପିଏସ୍‍ସି ସାମିଲ କରିଥିଲା । ଏହି ତ୍ରୁଟି ସଂଶୋଧନ କରି ୨୦୧୭ ବ୍ୟାଚ୍‍ର ଉକ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ଓପିଏସ୍‍ସି ମେଧା ତାଲିକାରେ ଉଚିତ୍‍ ସ୍ଥାନରେ ସ୍ଥାନିତ କରି ତାଙ୍କ ନାମ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବାପାଇଁ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଚିଠି ଲେଖିଥିଲେ ମଧ୍ୟ ତାହାକୁ ଉପେକ୍ଷା କରି ଓପିଏସ୍‍ସି ଜିଦ୍‍ରେ ଅଟଳ ରହିବାରୁ ବଞ୍ଚିତ ପ୍ରାର୍ଥୀ ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏହି ମାମଲାର ଦୀର୍ଘ ଶୁଣାଣି କରି ଆବେଦନକାରୀ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ହାଇକୋର୍ଟ ଉପଲବ୍ଧି କରିବାପରେ ତାଙ୍କ ନାମ ମେଧା ତାଲିକାରେ ସ୍ଥାନିତ କରିବା ସହିତ ୨୦୨୪ ଫେବୃୟାରୀମାସ ସୁଦ୍ଧା ତାଙ୍କୁ ଓଏଏସ୍‍ ଚାକିରିରେ ନିଯୁକ୍ତି ଦେବା ଏବଂ ମେଧା ତାଲିକା ଆଧାରରେ ତାଙ୍କର ବରିଷ୍ଠତା ନିର୍ଦ୍ଧାରଣ କରିବା ସଂଗେ ସଂଗେ ନୋସନାଲ ଭିତ୍ତିରେ ବେତନ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏମିତିକି ଉକ୍ତ ପ୍ରାର୍ଥୀଙ୍କ ଠାରୁ କମ୍‍ ନମ୍ବର ରଖିଥିବା ଅନ୍ୟ କୌଣସି ପ୍ରାର୍ଥୀ ଯଦି ଇତି ମଧ୍ୟରେ ପଦୋନ୍ନତି ପାଇଥାନ୍ତି ତେବେ ତାଙ୍କ କଥା ମଧ୍ୟ ତଦନୁଯାୟୀ ବିଚାର କରିବାକୁ ହାଇକୋର୍ଟ କହିଥିଲେ । ଏହାଛଡା ଏହି କ୍ଷତିଗ୍ରସ୍ତ ପ୍ରାର୍ଥୀଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ ଦେବା ସହିତ ୨୦୨୪ ମାର୍ଚ୍ଚ ସୁଦ୍ଧା ହାଇକୋର୍ଟରେ ଅନୁପାଳନ ରିପୋର୍ଟ ଦାଖଲ କରିବାପାଇଁ ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଥିଲେ । ଆଇନ୍‍, ଅର୍ଥ, ସାଧାରଣ ପ୍ରଶାସନ ଓ ରାଜସ୍ୱ ବିଭାଗ ହାଇକୋର୍ଟଙ୍କ ରାୟକୁ ଗ୍ରହଣ କରିଥିବାବେଳେ ଓପିଏସ୍‍ସି ମଧ୍ୟ ସମ୍ପୃକ୍ତ ପ୍ରାର୍ଥୀଙ୍କ ନାମ ରାୟ ମୁତାବକ ବିଳମ୍ବରେ ମେଧା ତାଲିକାରେ ସାମିଲ କରିଥିଲେ । ତଦନୁଯାୟୀ ତାଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ରାଜ୍ୟ ସରକାର ଓପିଏସ୍‍ସିଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ ପ୍ରଦାନ ସହିତ ଅନୁପାଳନ ରିପୋର୍ଟ ଦାଖଲ ଲାଗି କହିଥିଲେ ବି ଏଯାବତ୍‍ ଆୟୋଗ ତାହା ପାଳନ କରିନାହାନ୍ତି । (ତଥ୍ୟ)