ଇସ୍ପାତ ଚାହିଦା ବଢି ଚାଲିଥିବାବେଳେ କ୍ରୋମ ଅଭାବ ଏବେ ଇସ୍ପାତ ଶିଳ୍ପ ପାଇଁ ସଙ୍କଟ ସୃଷ୍ଟି କରିଛି । କ୍ରୋମ ପଥରର ଦର ବୃଦ୍ଧି ପାଉଥିବାରୁ ଇସ୍ପାତ ଉତ୍ପାଦନ କରୁଥିବା ଶିଳ୍ପ ସଂସ୍ଥାଗୁଡିକ ଏବେ ଗୁରୁତର ସମସ୍ୟାରେ ପଡିଛନ୍ତି । ଅନୁରୂପ ଅବସ୍ଥା ଫେରୋକ୍ରୋମ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଛି ।
ଦେଶର ୯୯ ପ୍ରତିଶତ କ୍ରୋମାଇଟ ଓଡିଶାରେ ମହଜୁଦ ଥିବାବେଳେ ଷ୍ଟେନଲେସ୍ ପ୍ରସ୍ତୁତି ପାଇଁ ଆବଶ୍ୟକ ପଡୁଥିବା ଫେରୋକ୍ରୋମ ଉତ୍ପାଦନ ଲାଗି କ୍ରୋମାଇଟ୍ ନିହାତି ଜରୁରୀ । ଫେରୋକ୍ରୋମ ଉତ୍ପାଦନକାରୀମାନେ କ୍ରୋମାଇଟ ପାଇଁ ଖଣି କମ୍ପାନୀ ଗୁଡିକ ଉପରେ ନିର୍ଭର କରୁଥିବାବେଳେ କମ୍ ପରିମାଣରେ ଉତ୍ପାଦନ ଯୋଗୁଁ ଏହାର ଦର ଏବେ ୧୫ମାସରେ ସର୍ବାଧିକ ରହିଛି ।
ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ ସଂସ୍ଥା ଓଡିଶା ଖଣି ନିଗମ (ଓଏମ୍ସି) ଓ ଟାଟା ଷ୍ଟିଲ ପ୍ରମୁଖ କ୍ରୋମାଇଟ୍ ଉତ୍ପାଦନକାରୀ ହୋଇଥିବାବେଳେ ପ୍ରବଳ ବର୍ଷା ଓ କରୋନା ମହାମାରୀ ଜନିତ ଶ୍ରମିକ ସଙ୍କଟ ଯୋଗୁଁ କ୍ରୋମାଇଟ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ତିନିଟି କାର୍ଯ୍ୟକ୍ଷମ କ୍ରୋମାଇଟ୍ ଖଣି କର୍ମଦା, ସାରୁବାଲି ଓ ସୁକିନ୍ଦା ଟାଟା ଷ୍ଟିଲ୍ ସପକ୍ଷରେ ନିଲାମ ହୋଇଛି । ତେବେ ଓଏମ୍ସି ଓ ଟାଟା ଷ୍ଟିଲ ହେଉଛନ୍ତି ଓଡିଶାର ମାତ୍ର ଦୁଇଟି ସଂସ୍ଥା ଯିଏକି ବଜାରରେ କ୍ରୋମ ଉପଲବ୍ଧ କରିଥାନ୍ତି ।
ତେବେ କରୋନା ପାଇଁ ଲକ୍ଡାଉନ୍ ଓ ତଦ୍ଜନିତ ଅନ୍ୟାନ୍ୟ କଟକଣା ଏବଂ ଶ୍ରମିକ ସଙ୍କଟ ଯୋଗୁଁ ଖଣି କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି । କ୍ରୋମ ଉତ୍ପାଦନ ହ୍ରାସ ଯୋଗୁଁ ବଜାରରେ ଏହାର ଗୁରୁତର ସଙ୍କଟ ଦେଖାଦେଇଛି । ଲକ୍ଡାଉନ୍ କଟକଣା କୋହଳ ପରେ ଇସ୍ପାତ କାରଖାନାଗୁଡିକ ଧିରେ ଧିରେ ସେମାନଙ୍କର ଉତ୍ପାଦନ ବୃଦ୍ଧି କରୁଥିବାରୁ ଏବେ କ୍ରୋମର ଚାହିଦା ବଢିବାରେ ଲାଗିଛି । ନିକଟରେ ରାଜ୍ୟର ରାଷ୍ଟ୍ରାୟତ ସଂସ୍ଥାପାଇଁ ଅନୁଷ୍ଠିତ ମାସିକ ଇ-ନିଲାମରେ ଦର ଅଧିକ ରହିଥିବାରୁ ଏମାନଙ୍କ ଉପରେ ନିର୍ଭରଶୀଳ ଫେରେକ୍ରୋମ କାରଖାନା ଗୁଡିକ ଉପରେ ଅଧିକ ବୋଝ ପଡିଛି ।
କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ୨୦୩୦-୩୧ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ଥିବାବେଳେ ଓଡିଶା ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇବ । ତେବେ କ୍ରୋମାଇଟ୍ ସହିତ ଲୁହାପଥର ଅଭାବ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜିପାରେ । ଏଭଳି ସ୍ଥିତିରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଶିଳ୍ପସଂସ୍ଥାଗୁଡିକ ଅନୁରୋଧ କରିଛନ୍ତି । ତେବେ ଉତ୍ପାଦନ ବୃଦ୍ଧି ସହିତ ତାହାକୁ ବଜାରରେ ଉପଲବ୍ଧ କରିବାପାଇଁ ରାଜ୍ୟ ସରକାର ନିଶ୍ଚିତ କରିଛନ୍ତି ଯାହା ଫଳରେ କି ଘରୋଇ ଉତ୍ପାଦନକାରୀମାନେ ଲାଭାନ୍ୱିତ ହେବା ସହିତ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ପୂରଣ ହୋଇପାରିବ ।