ଭୁବନେଶ୍ୱର : ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ସରକାର ୮୯ଟି ବହୁମୁଖୀ କ୍ରୀଡା ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ଉପଯୋଗୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ଅନୁମୋଦନ ମିଳିଛି ।
ରାଜ୍ୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ୮୯ଟି ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ପାଇଁ ୬୯୩କୋଟି ୩୫ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଏହିକାର୍ଯ୍ୟ ୧୮ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।
୫–ଟି କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୁପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ “ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ପରିକଳ୍ପନା କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଆହୁରୀ ଦୃଢ଼ୀଭୂତ ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତିରେ କୁହାଯାଇଛି ।
ନୂଆ ଇନଡୋର ଷ୍ଟାଡ଼ିୟମଗୁଡ଼ିକର ବିଶେଷତ୍ତ୍ୱ ହେଉଛି, ଏଗୁଡ଼ିକ ବହୁମୁଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ଉକ୍ତ ଷ୍ଟାଡିୟମରେ ରହିବ । ଏହି ଆନ୍ତଃଗୃହଗୁଡ଼ିକ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ ।
ଇନଡୋର ଷ୍ଟାଡ଼ିୟମଗୁଡ଼ିକ ଘଣ୍ଟା ପ୍ରତି ୨୦୦ କିମି ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ, ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ଭାବେ ବ୍ୟବହୃତ ହୋଇପାରିବ । ମହାମାରୀ ସମୟରେ ଏନଏସି ଅଞ୍ଚଳରେ ଥିବା ଷ୍ଟାଡ଼ିୟମଗୁଡ଼ିକ ୫୦ଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ ଟ୍ରେନିଂ, ମିଟିଂ ଏବଂ ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର୍ଯ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡ଼ିୟମ୍ ଉପଯୋଗୀ ହୋଇପାରିବ ।