Home News in Odia କ୍ରୀଡା ପୁରସ୍କାର ମିଳିବା ନେଇ ସନ୍ଦେହ

କ୍ରୀଡା ପୁରସ୍କାର ମିଳିବା ନେଇ ସନ୍ଦେହ

ଭୁବନେଶ୍ୱର : ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ଏବେ ଠାରୁ ପ୍ରତିବର୍ଷ ଅଗଷ୍ଟ ୨୯ତାରିଖରେ ଜାତୀୟ କ୍ରୀଡାଦିବସ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ବୋଲି ଯେଉଁ ଘୋଷଣା କରାଯାଇଛି ତାହା ଚଳିତବର୍ଷ ନିର୍ଦ୍ଧାରିତ ଦିନରେ ଦିଆଯାଇ ପାରିବ କି ନାହିଁ ସେଥିଘେନି ସନ୍ଦେହ ଉପୁଜିଛି ।

ରାଜ୍ୟ ସରକାରଙ୍କ ସଦ୍ୟତମ ଘୋଷଣା ମୁତାବକ ୮ଟି ବିଭାଗରେ ରାଜ୍ୟ କ୍ରୀଡା ସମ୍ମାନ ପ୍ରଦାନ କରାଯିବ । କ୍ରୀଡା କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ପାଇଁ ଯେଉଁ ସମ୍ମାନ ପ୍ରଦାନ କରାଯିବ ସେଥିରେ ସମ୍ମାନିତ ହେବାକୁ ଥିବା କ୍ରୀଡା ପ୍ରତିଭାଙ୍କୁ ୩ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ମଳିବ । ଏହାଛଡା ପ୍ରତିବର୍ଷର ଜଣେ ଶ୍ରେଷ୍ଠ ଖେଳାଳି କିମ୍ବା କ୍ରୀଡାବିତ୍‍ଙ୍କୁ ୨ଲକ୍ଷ ଟଙ୍କାର ପୁରସ୍କାର ଦେବାପାଇଁ ବ୍ୟବସ୍ଥା ରଖାଯାଇଛି । କ୍ରୀଡା ପ୍ରଶିକ୍ଷକ, କ୍ରୀଡା ପ୍ରୋତ୍ସାହନକାରୀ, କ୍ରୀଡା ସାମ୍ବାଦିକ, ଭିନ୍ନକ୍ଷମବର୍ଗର କ୍ରୀଡାବିତ୍‍, କନିଷ୍ଠ ବର୍ଗର ଉଦୀୟମାନ ଖେଳାଳି ଏବଂ କ୍ରୀଡା କ୍ଷେତ୍ରରେ କାମ କରୁଥିବା ବୈଷୟିକ ଅଧିକାରୀଙ୍କୁ ମଧ୍ୟ ପ୍ରତିବର୍ଷ ୧ଲକ୍ଷ ଟଙ୍କା କରି ପୁରସ୍କାର ରାଜ୍ୟ କ୍ରୀଡା ସମ୍ମାନ ଆକାରରେ ପ୍ରଦାନ କରାଯିବ ।

କେଉଁ କେଉଁମାନେ ଏହି ୮ଟି ବର୍ଗର ସମ୍ମାନ ପାଇବାପାଇଁ ହକଦାର ତାହା କ୍ରୀଡା ଓ ଯୁବସେବା ବିଭାଗର ଚଳିତମାସ ୧୯ତାରିଖରେ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଆଠଟି ବର୍ଗର ଏହି ସମ୍ମାନ ପ୍ରଦାନ ପାଇଁ କ୍ରୀଡା ଓ ଯୁବସେବା ବ୍ୟାପାର ବିଭାଗ ପକ୍ଷରୁ ମନୋନୟନପତ୍ର ଗ୍ରହଣ ଲାଗି ବ୍ୟାପକ ପ୍ରଚାର କରାଯିବ । ଏହାଛଡା ବିଭାଗ ଚାହିଁଲେ ନିଜଆଡୁ ମଧ୍ୟ କାହାକୁ ପୁରସ୍କାର ଦେଇପାରିବେ ।

ରାଜ୍ୟ କ୍ରୀଡା ସମ୍ମାନ ଲାଗି ସରକାରୀ ବିଜ୍ଞପ୍ତି ମୁତାବକ ଯେତେସବୁ ଆବେଦନ ଆସିବ ତାହାର ତନଖି କରିବାପାଇଁ ବିଭାଗର ସଚିବ ଏକ ୫ଜଣିଆ କମିଟି ଗଠନ କରିବେ । ଏହି କମିଟିରେ ବରିଷ୍ଠ ଅଧିକାରୀ, କୋଚ୍‍, ବିଭାଗର ନିର୍ଦ୍ଦେଶକ ଆଦି ସଦସ୍ୟ ରହିବେ । ଆବେଦନପତ୍ରଗୁଡିକର ଯାଞ୍ଚ ପରେ ଆଉ ଏକ ୮ଜଣିଆ କମିଟି ସମ୍ମାନ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଚୟନ କରିବେ । ଏହି କମିଟିରେ ବିଭାଗର ଶାସନ ସଚିବ ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ଆବାହକ ରହିବେ । ଏହାଛଡା ରାଜ୍ୟର କୌଣସି ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ କ୍ରୀଡାବିତ୍‍, ଅର୍ଜୁନ ପୁରସ୍କାର ବିଜେତା, ରାଜ୍ୟ କ୍ରୀଡା ପୁରସ୍କାର ବିଜେତା, ରାଜ୍ୟ କ୍ରୀଡା ସାମ୍ବାଦିକ ପୁରସ୍କାର ବିଜେତା, କ୍ରୀଡା ପ୍ରଶାସକ ଏବଂ ଅଲମ୍ପିକ ସଂଘ ପ୍ରତିନିଧିମାନେ ଚୟନ କମିଟିର ସଦସ୍ୟ ରହିବେ ।

ରାଜ୍ୟ କ୍ରୀଡା ସମ୍ମାନ ପ୍ରଦାନ ପାଇଁ ୨୯ ଅଗଷ୍ଟକୁ ଦିନଧାର୍ଯ୍ୟ କରାଯାଇଥିବାବେଳେ ଏବେ ଆଉ ମାତ୍ର ୫ସପ୍ତାହ ସମୟ ବାକି ରହିଛି । ଏତେ କମ୍‍ ସମୟ ମଧ୍ୟରେ ବ୍ୟାପକ ପ୍ରଚାର ମାଧ୍ୟମରେ ରାଜ୍ୟ କ୍ରୀଡା ସମ୍ମାନ ଲାଗି ଆବେଦନପତ୍ର ଆହ୍ୱାନ କରିବା ଏବଂ ଆବେଦନପତ୍ର ଦାଖଲର ଶେଷଦିନ ପରେ ଘୋଷିତ କମିଟି ମାଧ୍ୟମରେ ସେଗୁଡିକର ତନଖି କରିବା ଏବଂ ତା’ପରେ ଚୟନ କମିଟି ଗଠନ କରି ରାଜ୍ୟ କ୍ରୀଡା ସମ୍ମାନ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଉପରେ ମୋହର ମାରିବା ୫ସପ୍ତାହ ସମୟ ମଧ୍ୟରେ ସମ୍ଭବପର ହୋଇନପାରେ ବୋଲି ଅଭିଜ୍ଞ କ୍ରୀଡାବିତ୍‍ ଓ କ୍ରୀଡା ପ୍ରଶାସକମାନେ ମତବ୍ୟକ୍ତ କରୁଛନ୍ତି ।

ଓଡିଶାରେ ବିଜେଡି ସରକାରଙ୍କ ଅମଳରେ ରାଜ୍ୟ କ୍ରୀଡା ପୁରସ୍କାରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଥିଲା । ଏବେ ଓଡିଶା ସରକାର ରାଜ୍ୟ କ୍ରୀଡା ସମ୍ମାନ ଘେନି ଏକ ମାର୍ଗନିର୍ଦ୍ଦେଶିକା ବିଜ୍ଞପ୍ତି ମାଧ୍ୟମରେ ଜାରି କରିବାପରେ ଏହି ସମ୍ମାନରୁ ବିଜୁ ପଟ୍ଟନାୟକଙ୍କ ନାମ ହଟାଇ ଦିଆଯାଇଛି ବୋଲି ବିରୋଧିଦଳ ପକ୍ଷରୁ ଆପତ୍ତି ଉଠୁଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କିନ୍ତୁ ଏଭଳି ଆପତ୍ତିକୁ ନିରାଧାର ଦର୍ଶାଇଛନ୍ତି । ଏହି ପୁରସ୍କାରରୁ ବିଜୁ ପଟ୍ଟନାୟକଙ୍କ ନାମ ହଟାଇବା ଲାଗି ଓଡିଶା ସରକାର ଏଯାବତ୍‍ କୌଣସି ନୀତିଗତ ନିଷ୍ପତ୍ତି ନେଇନଥିବା ସେ କହିଛନ୍ତି । (ତଥ୍ୟ)