Home Administration କ୍ରିଷନ କୁମାରଙ୍କୁ ରାୟଗଡା ଜିଲ୍ଲା ଦାୟିତ୍ୱ

କ୍ରିଷନ କୁମାରଙ୍କୁ ରାୟଗଡା ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍‍ ଅଫିସର କ୍ରିଷନ କୁମାରଙ୍କୁ କେନ୍ଦ୍ର ସରକାର ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଥିବା ରାୟଗଡା ଜିଲ୍ଲା ପାଇଁ କେନ୍ଦ୍ରୀୟ ପ୍ରଭାରୀ ଅଫିସର ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ କୁମାର ଏବେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ।

ଶ୍ରୀ କୁମାରଙ୍କ ନିଯୁକ୍ତି ନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ତାଲିକାରେ ବିଭିନ୍ନ ରାଜ୍ୟର ଆଙ୍କାକ୍ଷୀ ଜିଲ୍ଲାପାଇଁ ୧୦ଜଣ ବରିଷ୍ଠ ଆଇଏଏସ୍‍ ଅଧିକାରୀଙ୍କ ନାମ ପ୍ରକାଶ ପାଇଛି ।

ଉଲ୍ଲେଖନୀୟ ଯେ ପ୍ରତ୍ୟେକ ଆଙ୍କାକ୍ଷୀ ଜିଲ୍ଲା ଦାୟିତ୍ୱରେ କେନ୍ଦ୍ର ସରକାରରେ ଯୁଗ୍ମ କିମ୍ବା ଅତିରିକ୍ତ ଶାସନ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରଭାରୀ ଅଫିସର ଭାବେ ନିଯୁକ୍ତି ଦିଆଯାଇଥାଏ । ସମ୍ପୃକ୍ତ ଅଧିକାରୀ ଉକ୍ତ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଚଳାଯାଉଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥାନ୍ତି । ଏଥିପାଇଁ ଏହି ପ୍ରଭାରୀ ଅଫିସରମାନେ ସମ୍ପୃକ୍ତ ଜିଲ୍ଲାକୁ ଗସ୍ତ କରିବା ସହିତ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ବୈଠକ କରିଥାନ୍ତି ।

କେନ୍ଦ୍ର ସରକାରଙ୍କ ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଓଡିଶାର ୧୦ଟି ପଛୁଆ ଜିଲ୍ଲା ରହିଛି । ଏହି ସବୁ ଜିଲ୍ଲାପାଇଁ କେନ୍ଦ୍ର ସରକାର ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିବାବେଳେ ବର୍ତ୍ତମାନ ଶ୍ରୀ କୁମାରଙ୍କୁ ରାୟଗଡା ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଉଲ୍ଲେଖ କରାଯାଇପାରେ ଯେ ୨୦୦୨ ବ୍ୟାଚ୍‍ର ଓଡିଶା କ୍ୟାଡରର ଅଫିସର ଶ୍ରୀ କୁମାର ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ପୂର୍ତ୍ତ ସଚିବ ଓ ଶ୍ରୀମନ୍ଦିର ପ୍ରଶାସକ ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରୁଥିବାବେଳେ ଶ୍ରୀ କୁମାର ଗତବର୍ଷ କେନ୍ଦ୍ରକୁ ଡେପୁଟେସନରେ ଯାଇଛନ୍ତି ।