ଭୁବନେଶ୍ୱର : ସଂରକ୍ଷଣ ବ୍ୟବସ୍ଥାରୁ ସ୍ୱଚ୍ଛଳ ବର୍ଗ (କ୍ରିମି ଲେୟାର)ଙ୍କୁ ବାଦ୍ ଦେବାଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ସାତଜଣିଆ ସାମ୍ବିଧାନିକ ପୀଠ ଦେଇଥିବା ରାୟକୁ ସାଧାରଣ ଲୋକେ ପସନ୍ଦ କରୁଥିବାବେଳେ ସଂରକ୍ଷିତବର୍ଗର ଧନୀ ବ୍ୟକ୍ତିମାନେ କିନ୍ତୁ ଆତଙ୍କିତ ହୋଇ ପଡିଛନ୍ତି ।
ପୂର୍ବରୁ ସବରୱାଲ ଓ ନାଗରାଜ ମାମଲାରେ ସୁପ୍ରିମ୍କୋର୍ଟ ଅନୁରୂପ ମତପ୍ରକାଶ କରି ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯିବାବେଳେ ସେମାନଙ୍କ ମଧ୍ୟରୁ ସ୍ୱଚ୍ଛଳ ବର୍ଗଙ୍କୁ ବାଦ୍ ଦେବା ସହିତ ଏଥିଲାଗି ‘କ୍ୱାଣ୍ଟିଫିଏବୁଲ ଡାଟା’ ସଂଗ୍ରହ କରିବାପାଇଁ କହିଥିଲେ । ନବେ ଦଶକରୁ ଦେଶରେ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଏଯାବତ୍ କ୍ୱାଣ୍ଟିଫିଏବୁଲ ଡାଟା ପ୍ରକାଶ କରାଯାଇନଥିବାରୁ ବହୁ କ୍ଷେତ୍ରରେ ପଛୁଆବର୍ଗର ଦରିଦ୍ରତମ ଲୋକଙ୍କୁ ଉପେକ୍ଷା କରି ଧନିକମାନେ ସଂରକ୍ଷଣର ଫାଇଦା ନେଇ ଚାଲିଛନ୍ତି ।
ଏହା ଫଳରେ ଏହି ବର୍ଗର ଧନିକ ଶ୍ରେଣୀର ଲୋକେ ପୀଢି ପରେ ପୀଢି ସଂରକ୍ଷଣ ଫାଇଦା ଉଠାଉଥିବାବେଳେ ଦରିଦ୍ରତମ ଲୋକେ କିନ୍ତୁ ବହୁ କ୍ଷେତ୍ରରେ ଚାତକ ଭଳି ଅନାଇ ରହୁଛନ୍ତି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯେଉଁମାନେ ସଂରକ୍ଷଣର ସୁବିଧା ନେଇ ନିର୍ବାଚନରେ ଜିଣି ସାମ୍ବିଧାନିକ ପଦ ପଦବୀରେ ରହୁଛନ୍ତି ଅଥବା ବିଭିନ୍ନ ସର୍ବଭାରତୀୟ କିମ୍ବା ପ୍ରାଦେଶିକ ସେବାରେ ଉଚ୍ଚ ବେତନର ଚାକିରି ପାଉଛନ୍ତି ସେମାନଙ୍କ ଉତ୍ତରାଧିକାରୀମାନେ ବି ପରବର୍ତ୍ତୀ ସମୟରେ ଏହି ସଂରକ୍ଷଣରୁ ଫାଇଦା ଉଠାଇ ଚାଲିଛନ୍ତି ।
ଏବେ ସୁପ୍ରିମ୍କୋର୍ଟଙ୍କ ଏକ ସାମ୍ବିଧାନିକପୀଠ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିଦେଇଛନ୍ତି ଯେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସ୍ୱଚ୍ଛଳ ବ୍ୟକ୍ତିମାନଙ୍କୁ ବାଦ୍ ଦେଇ ଯେଉଁମାନେ ପ୍ରକୃତରେ ପଛରେ ପଡି ରହିଛନ୍ତି ସେମାନଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବାକଥା । ତେବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ମଧ୍ୟରେ କିଏ ସ୍ୱଚ୍ଛଳ ଓ କିଏ ଅସ୍ୱଚ୍ଛଳ ତାହା ନିର୍ଣ୍ଣୟ କରିବ କିଏ ?
୨୦୨୧ ମସିହାରୁ ହେବାକୁ ଥିବା ଜନଗଣନା କୋଭିଡପାଇଁ ବନ୍ଦ ରହିଛି । ଏହି ଆଳ ଦେଖାଇ ମହିଳା ସଂରକ୍ଷଣ ଆଇନ୍ ଆଧାରରେ ଗତ ନିର୍ବାଚନରେ ମହିଳାମାନଙ୍କ ପାଇଁ ସଂରକ୍ଷିତ ନିର୍ବାଚନମଣ୍ଡଳୀର ବ୍ୟବସ୍ଥା କରାଯାଇନଥିଲା । ୨୦୨୯ ବେଳକୁ ଜନଗଣନା ହୋଇନଥିଲେ ଏ ସୁଯୋଗ ବି ୨୦୩୪ ପର୍ଯ୍ୟନ୍ତ ଘୁଞ୍ଚାଯିବାର ଆଶଙ୍କା ରହିଛି ବୋଲି ବହୁ ମହିଳା ସଂଗଠନ କହୁଛନ୍ତି ।
ସାମାଜିକ ଓ ଆର୍ଥିକ ସମତା ପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ସଂଗଠନଗୁଡିକ ଏ ପରିପ୍ରେକ୍ଷୀରେ କେବଳ ଜାତିଗତ ନୁହେଁ ବ୍ୟକ୍ତି ଓ ପରିବାର ସ୍ତରରେ ଆର୍ଥିକ ଗଣନା ପାଇଁ ମତ ଦେଉଛନ୍ତି । ଏଭଳି ନିର୍ଦ୍ଦିଷ୍ଟ ଗଣନା ନଥିବାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଭତ୍ତାକୁ ବହୁ ସ୍ୱଚ୍ଛଳ ଲୋକ ଜାଲିଆତି କରି ହାତେଇ ନେଉଥିବା ଘେନି ବାରମ୍ବାର ଅଭିଯୋଗ ଆସୁଛି ।
ସରକାରୀ ଚାକିରି କ୍ଷେତ୍ରରେ କିଭଳି ଜାଲିଆତି କରାଯାଇପାରେ ତାହାର ସଦ୍ୟତମ ଉଦାହରଣ ମିଳିଛି ଜଣେ ଶିକ୍ଷାନବୀଶ ଆଇଏଏସ୍ଙ୍କ ପାର୍ଥୀତ୍ୱ ବାତିଲ କରିବା ଘଟଣାରୁ । ଅତୀତରେ ଓଡିଶାରେ କାଳିଆ ଯୋଜନାର ଅର୍ଥ କେତେକ ଅଯୋଗ୍ୟ ବ୍ୟକ୍ତି ହାତେଇ ନେଇ ଧରାପଡିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କୁ ଛାଡି ଦିଆଯାଇଥିଲା । ଏ ପରିପ୍ରେକ୍ଷୀରେ ଅନୁସୂଚିତ ଜାତି ଓ ଜନଜାତିବର୍ଗଙ୍କ ପାଇଁ ସଂରକ୍ଷଣ କ୍ଷେତ୍ରରେ ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ବାଦ୍ ଦେବାପାଇଁ ସୁପ୍ରିମ୍କୋର୍ଟ ଯେଉଁ ଦୀର୍ଘ ରାୟ ଶୁଣାଇଛନ୍ତି ଆମ ଦେଶରେ ତାହା କାର୍ଯ୍ୟକାରୀ ହେବ ନା ସଂସଦରେ ନୂଆ ଆଇନ୍ ଆଣି ତାହାକୁ ବାଟବଣା କରାଯିବ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)