ଭୁବନେଶ୍ୱର : ରାଜ୍ୟରେ ନକଲି ଔଷଧ ଜବତ ଓ କାରବାର ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ କଟକରେ ବହୁ ପରିମାଣରେ ଫାବିପିରାଭର ବଟିକା ଜବତ ହେବାପରେ ଏହାର ଗୁଣମାନ ନେଇ ସନ୍ଦେହ ଉପୁଜିଥିଲା । ପରେ ଏହାକୁ ପରୀକ୍ଷାପାଇଁ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା । ତେବେ ପରୀକ୍ଷାରୁ କରୋନା ରୋଗୀଙ୍କ ଦିଆଯାଉଥିବା ଏହି ଔଷଧ ନକଲି ବୋଲି ଆଜି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ସ୍ପଷ୍ଟ କରିଛନ୍ତି ।
କଟକରୁ ଫାବିପିରାଭର ଜବତ ପରେ ଏବେ ସମଗ୍ର ରାଜ୍ୟରେ କରୋନା ସମୟରେ ବ୍ୟବହୃତ ହେଉଥିବା ଔଷଧ ଉପରେ ଜୋରଦାର ଚଢାଉ ଜାରି ରହିଛି । ଅତି ଆଉ ୯ ପ୍ରକାରର ଔଷଧ ଫାବିପିରାଭର ଭଳି ନକଲି ବୋଲି ଆଶଙ୍କା ପ୍ରକାଶ କରାଯିବାପରେ ଏହାର ନମୂନା ପରୀକ୍ଷାଗାରକୁ ପଠାଯାଇଛି ।
ସମଗ୍ର ରାଜ୍ୟରେ ଚାଲିଥିବା ଔଷଧ ଗୋଦାମ ଓ ଦୋକାନ ଉପରେ ଚଢଉରେ ଡ୍ରଗ୍ସ ଇନ୍ସପେକ୍ଟରମାନେ ସାମିଲ ହୋଇଥିବାବେଳେ ଏବେ ରାଜ୍ୟ କ୍ରାଇବ୍ରାଞ୍ଚ ସେମାନଙ୍କୁ ସହାୟତା କରିବ ।
ତେବେ ରାଜ୍ୟକୁ ଏହି ଔଷଧ ହିମାଚଳପ୍ରଦେଶରୁ ଆସିଥିବାବେଳେ ଏହା ଉତ୍ତରପ୍ରଦେଶ ବାଟ ଦେଇ ଆସିଥିବା ଜଣାଯାଇଛି । ସେହିସବୁ ରାଜ୍ୟରୁ ଗୁଇନ୍ଦା ସୂଚନା ପାଇଲାପରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ ଆରମ୍ଭ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏବେ ଏହି ଘଟଣାରେ ଉଭୟ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଯାଇ ତଦନ୍ତ କରିବ ବୋଲି ସୂଚନା ମିଳିଛି ।