Home News in Odia କ୍ରସ ଭୋଟିଂ ସମ୍ଭାବନା ବଢିଲା

କ୍ରସ ଭୋଟିଂ ସମ୍ଭାବନା ବଢିଲା

ଭୁବନେଶ୍ୱର : ଏଥର ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ରୋକିବା ଓଡ଼ିଶାର ସବୁ ଦଳ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି । କ୍ରସ ଭୋଟିଂ ଆଧାରରେ ବିଭିନ୍ନ ଦଳର ସମର୍ôଥତ ପ୍ରାର୍ଥୀମାନେ ଜିଣିବା ପାଇଁ ଆଶା ରଖିଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ।

ବିଧାନସଭାରେ ବିଭିନ୍ନ ଦଳର ଯେତିକି ସଂଖ୍ୟକ ବିଧାୟକ ଅଛନ୍ତି ସେହି ଆଧାରରେ ବିନା କ୍ରସ ଭୋଟିଂରେ ବିଜେପି ଦୁଇଟି ଓ ବିଜେଡି ଗୋଟିଏ ଆସନ ହାସଲ କରିବା କଥା । ତେବେ ଚତୁର୍ଥ ଆସନ ଲାଗି କୌଣସି ଦଳ ହାତରେ ସଂଖ୍ୟା ଗରିଷ୍ଠତା ନାହିଁ । ଇତିମଧ୍ୟରେ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେଡିର ଘୋଷିତ ପ୍ରାର୍ଥୀଙ୍କୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ନେଉଥିବା ପରିପ୍ରେକ୍ଷୀରେ ଜଣେ ପୂର୍ବତନ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଆଗକୁ କିଏ ବିଜେଡିରୁ ବହିଷ୍କୃତ ହେବେ ସେଥିଘେନି କଳ୍ପନାଜଳ୍ପନା ଚାଲିଛି । ରାଜ୍ୟସଭା ନିର୍ବାଚନ ଘୋଷଣା ପୂର୍ବରୁ ବିଜେଡି ତା’ର ଦୁଇଜଣ ବିଧାୟକଙ୍କୁ ମଧ୍ୟ ନିଲମ୍ବନ କରିସାରିଛି ।

ଅନ୍ୟପକ୍ଷରେ ବିଧାନସଭାର କଂଗ୍ରେସର ୧୪ଜଣ ବିଧାୟକ ଥିବା ପରିପ୍ରେକ୍ଷୀରେ କ୍ରସ ଭୋଟିଂକୁ ଏଡ଼ାଇବା ଲାଗି କଂଗ୍ରେସ ନିଜର ପ୍ରାର୍ଥୀଦେବ ବୋଲି ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ଘୋଷଣା କରିଥିଲେ । ଏବେ ସେ ଏହି ଘୋଷଣାରୁ ଓହରିଯାଇ ବିଜେଡି ପକ୍ଷରୁ ଘୋଷିତ ଜଣେ ନିର୍ଦ୍ଦଳୀୟ ବ୍ୟକ୍ତିଙ୍କୁ ଖୋଲା ସମର୍ଥନ ଜଣାଇଛନ୍ତି । ଏ ପରିପ୍ରେକ୍ଷୀରେ ଚତୁର୍ଥ ଆସନ ଲାଗି ବିଜେଡି ପ୍ରଫେସର ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରିଥିବା ପରିପ୍ରେକ୍ଷୀରେ ତୁରନ୍ତ ପ୍ରଦେଶ କଂଗ୍ରେସ ସଭାପତି ସ୍ୱାଗତ ଜଣାଇଛନ୍ତି ଏବଂ ଡା. ହୋତା ମିଳିତ ପ୍ରାର୍ଥୀ ବୋଲି ମଧ୍ୟ ବକ୍ତବ୍ୟ ଦେଇଛନ୍ତି ।

ବିଜେପି କେତେବେଳେ ତିନୋଟି ଆସନରୁ ଲଢ଼ିବ ବୋଲି କହୁଛି ତ ଆଉ କେତେବେଳେ ଚାରୋଟିଯାକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୂଚନା ଦେଉଛି । ଦଳର ପ୍ରଥମ ଦୁଇଜଣ ପ୍ରାର୍ଥୀଙ୍କ ପରେ ଯେଉଁ ବଳକା ଭୋଟ ରହୁଛି ସେ ସମସ୍ତ ତୃତୀୟ ପ୍ରାର୍ଥୀଙ୍କ ସପକ୍ଷରେ ଯଦି ଆସିଯାଏ ତେବେ କଂଗ୍ରେସ ଓ ବିଜେଡିରୁ ବିଜେପି ସମର୍ôଥତ ପ୍ରାର୍ଥୀ କିଛି ଭୋଟ ହାତେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ବିଜେପିର ନିଶ୍ଚିତ ଥିବା ପ୍ରଥମ ଦୁଇଟି ଆସନ ପାଇଁ କାହାକୁ ପ୍ରାର୍ଥୀ କରାଯିବ ଏବଂ ଏହାପରେ ତୃତୀୟ ଓ ଚତୁର୍ଥ ଆସନ କ୍ଷେତ୍ରରେ ଦଳର ରଣନୀତି କ’ଣ ହେବ ତାହା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମୟରେ ନିଷ୍ପତ୍ତି ହୋଇପାରେ ବୋଲି କୁୁହାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ବିଜେପିର ୭୯ଜଣ ସଦସ୍ୟ ଥିବାବେଳେ ଆଉ ୩ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ ଦେଉଛନ୍ତି । ବିଧାନସଭାରେ ବିଜେଡିର ୫୦ଜଣ ନିର୍ବାଚିତ ବିଧାୟକ ଥିବାବେଳେ ସେମାନଙ୍କ ଭିତରୁ ଦୁଇଜଣଙ୍କୁ ନିଲମ୍ବନ କରାଯାଇଛି । କଂଗ୍ରେସ ହାତରେ ୧୪ଜଣ ବିଧାୟକ ଥିବାବେଳେ ସିପିଏମ୍‍ର ଅନ୍ୟଜଣେ ବିଧାୟକ ଦଳର ନିଷ୍ପତ୍ତି ମୁତାବକ ଭୋଟ ଦେବେ ବୋଲି କହୁଛନ୍ତି ।

ଏବେ ରାଜ୍ୟ ରାଜନୀତିରେ ସନ୍ଦେହର ଘନକୁହୁଡ଼ି ଛାଇ ହୋଇ ରହିଛି । ବିଜେଡିରୁ ନିଲମ୍ବିତ ହୋଇଥିବା ଦୁଇଜଣ ବିଧାୟକ କାହାକୁ ଭୋଟ ଦେବେ ସେ ସଂକ୍ରାନ୍ତରେ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଅନ୍ୟତମ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ରାଜ୍ୟସଭା ମତଦାନରୁ ବିରତ ରହିବେ ବୋଲି କହିଛନ୍ତି । ସେହିପରି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ କଥା । କଂଗ୍ରେସ ଛାଡ଼ିଥିବା ମହମ୍ମଦ ମୋକିମଙ୍କ ଝିଅ କଂଗ୍ରେସ ବିଧାୟକ ଅଛନ୍ତି । ତାଙ୍କ ଭୋଟ କୁଆଡ଼େ ଯିବ ତାହା ବି ପ୍ରଶ୍ନବାଚୀ । ବିଜେପି, ବିଜେଡି ଓ କଂଗ୍ରେସର ସବୁ ବିଧାୟକ ଯେ ନିଜ ଦଳର ନିଷ୍ପତ୍ତି ମୁତାବକ ଭୋଟ ଦେବେ ଏ ଗ୍ୟାରେଣ୍ଟି ମଧ୍ୟ ଏବେ କେହି ଦେଇପାରୁନାହାନ୍ତି । କାରଣ ଏହି ନିର୍ବାଚନରେ କ୍ରସ ଭୋଟିଂ ହେବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି । (ତଥ୍ୟ)