ଭୁବନେଶ୍ୱର : ସରକାରୀ ଖାତାରେ ରାଜ୍ୟରେ କୋଭିଡରେ ୯୧୨୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କୋଭିଡ ମୃତ୍ୟୁ ସାର୍ଟିଫିକେଟ ପାଇଁ କିନ୍ତୁ ବର୍ତ୍ତମାନ ସୁଦ୍ଧା ୨୭ହଜାରରୁ ଅଧିକ ଆବେଦନ ପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧୭ତାରିଖ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରେ ମୋଟ୍ ୯୧୨୮ଜଣ ମୃତ୍ୟୁବରଣ କରିଛନ୍ତି । ଥି ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୧୭୫୧ ଜଣ ଥିବାବେଳେ କଟକରୁ ୯୦୭, ସୁନ୍ଦରଡରୁ ୬୮୨, ଗଞ୍ଜାମରେ ୫୧୨, ପୁରୀରେ ୪୮୮, ଅନୁଗୁଳୁରେ ୪୧୮, ବାଲେଶ୍ୱରରେ ୩୬୦ ଜଣ ରହିଥିଲେ । ସବୁଠାରୁ କମ୍ ମାତ୍ର ୪୮ଜ ମାଲକାନଗିରି ଜିଲ୍ଲାରେ ମୃତ୍ୟୁବରଣ କରିଥିଲେ । ଦେବଗଡରେ ଏହି ସଂଖ୍ୟା ୫୩ ରହିଥିଲା ।
ତେବେ କୋଭିଡ ମୃତ୍ୟୁ ସାର୍ଟିଫିକେଟ ପାଇବାପାଇଁ ସରକାରଙ୍କ ନିକଟରେ ୨୭,୫୮୫ ଟି ଆବେଦନ ପଡିଥିଲା । ଥି ମଧ୍ୟରୁ ଖୋରଧା ଜିଲ୍ଲରୁ ସର୍ବାଧିକ ୬୭୨୨ଟି ଆବେଦନ ପଡିଥିବାବେଳେ କଟକରେ ୩୮୭୬, ସୁନ୍ଦରଗଡରେ ୨୦୧୩, ଗଞ୍ଜାମରେ ୧୯୬୭ ଓ ସମ୍ବଲପୁରରୁ ୧୫୬୦ଟି ଆବେଦନ ପଡିଥିଲା ।
କୋଭିଡ ମୃତ୍ୟୁ ସାର୍ଟିଫିକେଟ ପାଇଁ ପଡିଥିବା ଏହି ଆବଦେନ ମଧ୍ୟରୁ ୨୪,୭୧୭ଟି ମଞ୍ଜୁରୀ ମିଳିଥିବାବେଳେ ୧୩୧୧ଟି ବାଜ୍ୟାପ୍ତ କରାଯାଇଥିଲା । ସେହିଭଳି ୧୮୬ଟି ଆବେଦନ ଏବେ ବି ନିଷ୍ପତ୍ତି ଅପେକ୍ଷାରେ ଥିବାବେଳେ ୧୮୧୯ଟି ଫେରସ୍ତ ହୋଇଛି । ଏହିସବୁ ଆବେଦନପତ୍ରଗୁଡିକର ପୁର୍ନବିଚାର ଜିଲ୍ଲାସ୍ତରୀୟ ଅଭିଯୋଗ ସମାଧାନ କମିଟିରେ ହେବ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି । (ତଥ୍ୟ)