Home Covid କୋଭିଡ ମୁକାବିଲା ପାଇଁ ଆମ୍ବୁଲାନ୍ସ ଯୋଗାଣ

କୋଭିଡ ମୁକାବିଲା ପାଇଁ ଆମ୍ବୁଲାନ୍ସ ଯୋଗାଣ

ଭୁବନେଶ୍ୱର : କୋଭିଡ ମୁକାବିଲା ପାଇଁ ରାଜଧାନୀ ସମେତ ଖୋରଧା ଜିଲ୍ଲାରେ ଅଧିକରୁ ଅଧିକ ଆମ୍ବୁଲାନ୍ସ ସହିତ ଅନ୍ୟାନ୍ୟ ଗାଡିମୋଟର ଆବଶ୍ୟକ ହେଉଥିବାବେଳେ ଏହାକୁ ମେଣ୍ଟାଇବାପାଇଁ ପରିବହନ ବିଭାଗ ଏବେ ଆଗକୁ ଆସିଛି । ସରକାରଙ୍କୁ ବରାଦ ମୁତାବକ ଆମ୍ବୁଲାନ୍ସ ସହିତ ବିଭିନ୍ନ ପ୍ରକାର ଯାନବାହାନ ଡାକ୍ତରଖାନା, ପୁଲିସ୍‍ ପ୍ରଶାସନକୁ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଆଞ୍ଚଳିକ ପରିବହନ ଦପ୍ତର ପକ୍ଷରୁ ମୋଟ୍‍ ୮୬ଟି ଆମ୍ବୁଲାନ୍ସ ଯୋଗାଇଦିଆଯାଛି । ଏଥି ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲକୁ ୬୪ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବାବେଳେ ଖୋରଧା ଜିଲ୍ଲାକୁ ୨୦ଟି ଆମ୍ବୁଲାନ୍ସ ଦିଆଯାଛି । ଆଉ ଦୁଇଟି ଆମ୍ବୁଲାନ୍ସ ବାଲୁଗାଁ ଠାରେ ମୁତୟନ ହୋଇଛି । ଏଥିରୁ ଗୋଟିଏ କେବଳ ସ୍ୱତନ୍ତ୍ର ଭାବେ ଅକ୍ସିଜେନ୍‍ ସିଲିଣ୍ଡର ବୋହିବା ପାଇଁ ରଖାଯାଇଛି ।

କୋଭିଡ ଆକ୍ରାନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାପାଇଁ ଅଧିକ ସଂଖ୍ୟାରେ ଆମ୍ବୁଲାନ୍ସ ଆବଶ୍ୟକ ପଡିବାରୁ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବହନ ବିଭାଗକୁ ଅନୁରୋଧ କରାଯାଇଥିଲା । ତଦନୁଯାୟୀ ଆଞ୍ଚଳିକ ପରିବହନ ଦପ୍ତର ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ସେହିଭଳି ପୁଲିସ୍‍ ପ୍ରଶାସନର ବରାଦ ଅନୁଯାୟୀ ମଧ୍ୟ ଗାଡି ଯୋଗାଇ ଦିଆଯାଇଛି ।

ପୁଲିସ୍‍ ପାଟ୍ରୋଲିଂ ପାଇଁ କମିଶନରେଟ ପୁଲିସ୍‍କୁ ୨୨ଟି ଗାଡି ଦିଆଯାଇଥିବାବେଳେ ଖୋରଧା ଏସ୍‍ପିଙ୍କୁ ୨୦ଟି ବୋଲୋରୋ ଦିଆଯାଇଛି । ଏହି ସମସ୍ତ ଗାଡି କୋଭିଡ କାର୍ଯ୍ୟରେ ନିୟୋଜିତ ହେବେ । ବିଶେଷକରି  ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ସମୟରେ ଗାଡିଗୁଡିକ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ । ସେହିଭଳି କୋଭିଡରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ  ବୋହିବାପାଇଁ ପ୍ରଶାସନକୁ ପ୍ରାୟ ୧୦ଟି ଗାଡି ଯୋଗାଇ ଦିଆଯାଇଛି । ପୂର୍ବରୁ ଏଥିପାଇଁ ଅଧିକ ଗାଡି ଆବଶ୍ୟକ ଥିବାବେଳେ ମୃତ୍ୟୁସଂଖ୍ୟାକୁ ଦୃଷ୍ଟିରେ ରଖି ତାହାକୁ ହ୍ରାସ କରାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ବିଏମ୍‍ସି ଇଲାକାରୁ ଆଜି ୧୦୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦ହଜାରକୁ ଟପିଯାଇଛି । ପ୍ରତିଦିନ ହାରାହାରି ଭାବେ ହଜାରେ ଉପରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏମାନଙ୍କ ମଧ୍ୟରୁ କେତେକଙ୍କୁ ଆବଶ୍ୟକସ୍ଥଳେ ଡାକ୍ତରଖାନାରେ ଭର୍ତ୍ତିପାଇଁ ଅଧିକ ସଂଖ୍ୟାରେ ଆମ୍ବୁଲାନ୍ସ ଦରକାର ହେଉଛି । ସେହିଭଳି ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍କୁ କଡାକଡି କରିବାପାଇଁ ପୁଲିସ୍‍ ପ୍ରଶାସନ ବି ଅଧିକ ସଂଖ୍ୟାରେ ଗାଡି ଆବଶ୍ୟକ କରୁଛନ୍ତି । ତେବେ ପରିବହନ ବିଭାଗ ପକ୍ଷରୁ ଠିକଣା ସମୟରେ ଗାଡି ଯୋଗାଣ କୋଭିଡ ମୁକାବିଲାକୁ ସହଜ କରିଦେଇଛି । (ତଥ୍ୟ)