ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ମଦ ମାଫିଆ ଓ ଡ୍ରଗ୍ସ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେବୃଆାରୀ ୧୦ ରୁ ୨୯ ତାରିଖ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଭିଯାନର ଆୟୋଜନ କରାଯାଇଥିଲା।
ଏହି ସ୍ୱତନ୍ତ୍ର ଅଭିଯାନରେ ୩୭୫୫ଟି ମାମଲା ରୁଜୁ ହୋଇଥିବା ବେଳେ ୨୯୩୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ୧,୪୪,୮୬୨ ଲିଟର ବେଆଇନ ମଦ, ୧୯୦୦ କେଜି ଗଞ୍ଜେଇ, ୭୮୭ ଗ୍ରାମ ହେରୋଇନ୍, ୨୨୪ ଗାଡି, ୧୫୬ ଲିଟର କଫ ସିରପ, ୭୬ ଲିଟର ନକଲି ବିଦେଶୀ ମଦ, ୫୩୬ ଲିଟର ବିଦେଶୀ ମଦ, ୮୫୭ ଲିଟର ବିୟର, ୧୬୬୦ କେଜି ମହୁଆ ଫୁଲ, ୧୧୭୮ କେଜି ଭାଙ୍ଗ, ୧୭୦୦ ଗ୍ରାମ ଅଫିମ, ୭୯ ଲିଟର ଟିଞ୍ଚର ଜିଞ୍ଜର, ୧୨୩୯ ଲିଟର ଦେଶୀ ମଦ ଜବତ କରାଯାଇଛି। ଏନଡିପିଏସ୍ ଆଇନ ଅନୁଯାୟୀ ୧୧୬ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୨୬ ଜଣଙ୍କୁ ଗିରଫ କରାଯାଇଛି।
ଜବତ ସମସ୍ତ ଜିନିଷର ବଜାର ମୂଲ୍ୟ ପ୍ରାୟ ୨୪.୫ କୋଟି ଟଙ୍କା ହେବ । ଏହି ସ୍ବତନ୍ତ୍ର ଅଭିଯାନରେ ଖୋର୍ଦ୍ଧାର ଜଙ୍କିଆସ୍ଥିତ ଗୋଟିଏ ବାର୍ ଆଣ୍ଡ୍ ରେଷ୍ଟୁରାଣ୍ଟ ଓ ବାଲେଶ୍ୱରର ଗୋଟିଏ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନକୁ ବେଆଇନ କାର୍ଯ୍ୟ ପାଇଁ ସିଲ୍ କରାଯାଇଛି।
ଦେଶୀ ମଦ ଦୋକାନର ଲାଇସେନ୍ସଧାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ମଦ ମାମଲାରେ ଜବତ ହୋଇଥିବା ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ୨୦୨୪ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସୁନିଶ୍ଚିତ କରିବା ପାଇଁ ଅବକାରୀ ବିଭାଗ ମଦ ମାଫିଆଙ୍କ ବିରୋଧରେ ଏଭଳି ଅଭିଯାନ ଜାରି ରଖିବ।