ଭୁବନେଶ୍ୱର : ସମଗ୍ର ଦେଶରେ ୫୬୪ଟି ଜିଲ୍ଲାରେ ପାରମ୍ପରିକ କୃଷି ବିକାଶ ଯୋଜନା (ପିକେଭିୱାଇ)ରେ ଜୈବିକ ଚାଷ ହେଉଥିବାବେଳେ ଓଡିଶାର ୨୦ଟି ଜିଲ୍ଲା ଏଥିରେ ସାମିଲ ରହିଛି । ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ସମଗ୍ର ଦେଶରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ।
୨୦୧୫-୧୬ ମସିହାରୁ କେନ୍ଦ୍ର ସରକାର ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ଏହି ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଉତ୍ତର-ପୂର୍ବ ରାଜ୍ୟଗୁଡିକ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି ଯୋଜନାରେ ଜୈବିକ କୃଷି ପାଇଁ ଚାଷୀମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ବିଶେଷକରି ଉତ୍ପାଦନ ଠାରୁ ପ୍ରକ୍ରିୟାକରଣ, ସାର୍ଟିଫିକେଟ ପ୍ରଦାନ, ବଜାର ବ୍ୟବସ୍ଥା ଏବଂ ଅମଳ ପରବର୍ତ୍ତୀ ସୁବିଧା ଯୋଗାଇ ଦିଆଯାଉଛି । ଚାଷୀମାନଙ୍କୁ ତାଲିମ ପ୍ରଦାନ ଏବଂ ଦକ୍ଷତା ବିକାଶ ଏହି ଯୋଜନାର ଅନ୍ୟତମ ଅଂଶ ।
ପାରମ୍ପରିକ କୃଷି ବିକାଶ ଯୋଜନାରେ ତିନି ବର୍ଷ ପାଇଁ ଏକର ପିଛା ୫୦ହଜାର ଟଙ୍କା ରାଜ୍ୟଗୁଡିକୁ ଯୋଗାଇ ଦିଆଯାଉଛି । ଏହି ଅର୍ଥରେ ଜୈବିକ ଚାଷକୁ ପ୍ରୋତ୍ସାହନ ପାଇଁ ତାଲିମ, ଦକ୍ଷତା ବିକାଶ, ଡାଟା ମ୍ୟାନେଜମେଣ୍ଟ, ପିଜିଏସ୍ ପ୍ରମାଣପତ୍ର, ଭାଲ୍ୟୁ ଆଡିଟନ, ବଜାର ବ୍ୟବସ୍ଥା ସହିତ ପ୍ରଚାର ପ୍ରସାର କରାଯିବ । ଏହାବାଦ୍ ଚାଷୀମାନଙ୍କ ହେକ୍ଟର ପ୍ରତି ୩୧ହଜାର ଟଙ୍କା କରି ଯୋଗାଇ ଦିଆଯାଉଛି । ଏହି ଅର୍ଥ ତିନି ବର୍ଷପାଇଁ ପ୍ରଦାନ କରାଯାଉଥିବାବେଳେ ଏହାକୁ ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଉଛି ।
ସେହିଭଳି ମିଶନ ଅର୍ଗାନିକ ଭାଲ୍ୟୁ ଚେନ୍ ଡେଭଲପମେଣ୍ଟେ ଫର ନର୍ଥ ଇଷ୍ଟର୍ଣ୍ଣ ଷ୍ଟେଟ୍ (ଏମ୍ଓଭିସିଡିଏନ୍ଇଆର) ଯୋଜନାରେ ହେକ୍ଟର ପ୍ରତି ୪୬,୫୭୫ ଟଙ୍କାର କରି ତିନିବର୍ଷ ପାଇଁ ପ୍ରଦାନ କରାଯାଉଛି । ଏହି ଅର୍ଥରେ କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ) ସୃଷ୍ଟି, ଜୈବିକ ଚାଷ ପାଇଁ ଚାଷୀଙ୍କୁ ସହାୟତା, ଗୁଣାତ୍ମକ ବିହନ, ଚାରା ରୋପଣ ସାମଗ୍ରୀ, ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା ରହିଛି । ଏହି ସହାୟତା ବାଦ୍ ହେକ୍ଟର ୩୨,୫୦୦ ଟଙ୍କାକରି ତିନିବର୍ଷ ପାଇଁ ଚାଷୀଙ୍କୁ ଜୈବିକ ଚାଷ ପାଇଁ ସହାୟତା ଦିଅ।।ଯାଉଛି । ଏଥିରେ ଚାଷୀଙ୍କୁ ଖାତାକୁ ଡିବିଟି ଜରିଆରେ ୧୫ହଜାର ଟଙ୍କା ପଠାଯାଉଥିବାବେଳେ ୧୭,୫୦୦ ଟଙ୍କାର ଚାରା ଆଦି ଯୋଗାଇ ଦିଆଯାଉଛି । ଏହି ସାମଗ୍ରୀ ଷ୍ଟେଟ୍ ଲିଡ୍ ଏଜେନ୍ସି (ଏସଏଲଏ) ଜରିଆରେ ପ୍ରଦାନ କରାଯାଉଛି ।
କୃଷି ରାଜ୍ୟ ସରକାରଙ୍କ ବିଷୟ ହୋଇଥିବାରୁ କେଉଁ କେଉଁ ଜିଲ୍ଲାରେ ପିକେଭିୱାଇ କାର୍ଯ୍ୟକାରୀ ହେବ ତାହାର ନିଷ୍ପତ୍ତି ସମ୍ପୃକ୍ତ ଜିଲ୍ଲାଗୁଡିକ ନେଇଥାନ୍ତି । ବର୍ତ୍ତମାନ ସୁଦ୍ଧା ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୬୪ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଥିବାବେଳେ ଉତ୍ତରପ୍ରଦେଶର ସର୍ବାଧିକ ୭୦ଟି ଜିଲ୍ଲାରେ ଏହା ଚଳାଯାଉଛି । ସେହିଭଳି ମଧ୍ୟପ୍ରଦେଶର ୫୧ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଥିବାବେଳେ ଆନ୍ଧ୍ରପ୍ରଦେଶର ୧୩, ଛତିଶଗଡର ୩୧, ଝାଡଖଣ୍ଡର ୫ ଓ ପଶ୍ଚିମବଙ୍ଗର ୭ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଥିବା ଜଣାଯାଇଛି । (ତଥ୍ୟ)