ଭୁବନେଶ୍ୱର : ଅକାଳ ମୃତ୍ୟୁର ଅନ୍ୟତମ କାରଣ ସାଜିଥିବା ତମାଖୁ ଠାରୁ ଲୋକଙ୍କୁ ଦୂରେଇ ରଖିବାପାଇଁ ୨୦୦୩ ମସିହାରେ ଲାଗୁ କରାଯାଇଥିଲା କୋଟପା ଆଇନ୍ । ଏଥିରେ ସମସ୍ତ ପ୍ରକାର ତମାଖୁର ବିଜ୍ଞାପନ, ଉତ୍ପାଦନ, ବିପ୍ପଣନ ଓ ବିକ୍ରୟ ଉପରେ ଅଙ୍କୁଶ ଲଗାଯାଇଥିଲା । ଲୋକେ ଯେଭଳି ତମାଖୁ ସେବନ ନକରିବେ ସେଥିପାଇଁ ଆଇନ୍ରେ ବ୍ୟବସ୍ଥା ଥିଲା ।
ଇତି ମଧ୍ୟରେ ଏହି କେନ୍ଦ୍ରୀୟ ଆଇନ୍କୁ ୨୨ବର୍ଷ ପୂରିଲାଣି । ହେଲେ ଠିକଣା ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଆଇନ୍ଟି ଏବେ ଅଳିଆ ଗଦାରେ । ଏଥିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା ଯେ ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ପରିସର ମଧ୍ୟରେ ତମାଖୁ ବିକ୍ରି ହୋଇପାରିବ ନାହିଁ । ଏହା ବିକ୍ରି କରିବା ଦଣ୍ଡନୀୟ ଅପରାଧ । ହେଲେ ଏହାକୁ କେହି ଖାତିର କରୁନାହାନ୍ତି । ରାଜ୍ୟର ବହୁ ଶିକ୍ଷାନୁଷ୍ଠାନ ପାଚେରୀକୁ ଲାଗି ଗୁଟ୍ଖା, ସିଗାରେଟ ଆଦି ବିକ୍ରି ହେଉଥିବାରୁ ପିଲାଏ ଏହାକୁ ସହଜରେ ପାଇ ସେବନ କରୁଛନ୍ତି ।
୨୦୧୬-୧୭ ମସିହାରେ ସମଗ୍ର ବିଶ୍ୱରେ ତମାଖୁର ଭୟାବହତାକୁ ନେଇ ସର୍ଭେ କରାଯାଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ ତମାଖୁ ସହିତ ଧୂମହୀନ ସିଗାରେଟ ସେବନ କରି ବର୍ଷକୁ ୧୩ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ସେହିଭଳି ୨୦୦୭ ମସିହାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚଳାଇଥିଲେ । ଏଥିରେ ଲୋକଙ୍କୁ ତମାଖୁ ସେବନ ଠାରୁ ଦୂରେଇ ରଖିବାପାଇଁ ସଚେତନ କରାଯାଇଥିଲା । ସେହିବର୍ଷ କେନ୍ଦ୍ର ସରକାର ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ କାରବାର ପାଇଁ ଥିବା ନିୟମରେ କେତେକ ସଂଶୋଧନ ବି କରିଥିଲେ ।
ଓଡିଶା ସରକାର ମଧ୍ୟ ୨୦୧୩ ମସିହାରେ କୋଟ୍ପା-୨୦୦୩ କୁ ଦୃଷ୍ଟିରେ ରଖି ନିଜସ୍ୱ ଆଇନ୍ ଆଣିଥିଲେ । ଏଥିରେ ତମାଖୁ ଉତ୍ପାଦନ, ମହଜୁଦ, ବିକ୍ରୟ, ସେବନ ଆଦି ଉପରେ କଟକଣା ଲଗାଯାଇଥିଲା । ଏପରିକି ସର୍ବସାଧାରଣ ସ୍ଥାନରେ ଧୂମପାନକାରୀଙ୍କ ଠାରୁ ଜୋରିମାନା ଆଦାୟର ବ୍ୟବସ୍ଥା ହୋଇଥିଲା ।
ହେଲେ କୋଟ୍ପା-୨୦୦୩ ଭଳି ରାଜ୍ୟ ସରକାରଙ୍କ ଆଇନ୍ଟି ମଧ୍ୟ ଅଳିଆଗଦାରେ ପଡିଥିବା ଲକ୍ଷ୍ୟ କରାଯାଇଛି । ସରକାର ତମାଖୁ ଉପରେ କଟକଣା ଲଗାଇଲା ପରେ ମଧ୍ୟ ଏହାର ମହଜୁଦ, ବିକ୍ରୟ ଓ ସେବନ ଖୋଲାଖୋଲି ଭାବେ ଚାଲିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସରକାର କଟକଣା ଲଗାଇଥିବାବେଳେ ସରକାରୀକଳ କିନ୍ତୁ ଏ ବାବଦରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟିକସ ଆଦାୟ କରୁଛନ୍ତି । ଗତ ୧୦ବର୍ଷ ମଧ୍ୟରେ ତମାଖୁ ସାମଗ୍ରୀରୁ ପ୍ରାୟ ୧୦୦୦ କୋଟି ଟଙ୍କାର ଟିକସ ଆଦାୟ ହୋଇ ସାରିଲାଣି ।
ଉଭୟ କେନ୍ଦ୍ରୀୟ ଆଇନ୍ ଓ ରାଜ୍ୟ ଆଇନ୍ର ଠିକଣା ପ୍ରତିପାଳନ ହେଉନଥିବାରୁ ରାଜ୍ୟରେ ତମାଖୁର ବ୍ୟବହାର ପୂର୍ବାପେକ୍ଷା ବହୁଗୁଣିତ ହେବାରେ ଲାଗିଛି । ଛୋଟ ଛୋଟ ପିଲାଏ ଗୁଟ୍ଖା, ଖଇନି ଭଳି ମାରାତ୍ମକ ତମାଖୁ ସେବନ କରି ବିଭିନ୍ନ ପ୍ରକାର ରୋଗରେ ପଡୁଛନ୍ତି । ଶିକ୍ଷାନୁଷ୍ଠାନ ନିକଟରେ ତମାଖୁର ସହଜ ଉପଲବ୍ଧତା ଏବେ ଯୁବବର୍ଗଙ୍କୁ ନିଶାଡି କରିବାରେ ଲାଗିଛି । ତେଣୁ ମଝିରେ ମଝିରେ ତମାଖୁ ସଚେତନତା ନାଁରେ ଅର୍ଥ ଶ୍ରାଦ୍ଧ ନକରି ସରକାର କଡାକଡି ଭାବେ ଆଇନ୍ର ପ୍ରତିପାଳନ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)