ଭୁବନେଶ୍ୱର : କୋଟିଆ ଅଞ୍ଚଳରେ ଥିବା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଉନ୍ନତି ନିମନ୍ତେ ଗତ ୫ ବର୍ଷରେ ୧କୋଟି ୯୨ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି । ଆଇଟିଡିଏ କୋରାପୁଟ ଏହି ଅର୍ଥରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ।
ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜରେ ୨୦୧୧ରେ ହୋଇଥିବା ଜନଗଣନା ଅନୁଯାୟୀ ଏଠାରେ ୯୭୯ଟି ଜନଜାତି ପରିବାରର ୪୪୪୩ ଜଣ ବ୍ୟକ୍ତି ବସବାସ କରୁଥିଲେ । ଏହି ଅଞ୍ଚଳର ବିକାଶ ଲାଗି ସରକାର ମଞ୍ଜୁର କରିଥିବା ୧କୋଟି ୯୨ଲକ୍ଷ ଟଙ୍କା ଅର୍ଥରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କୋଟିଆ ସେବାଶ୍ରମର ଉନ୍ନତିକରଣ, ରୋଷେଇ ଘର ନିର୍ମାଣ, କର୍ମଚାରୀଙ୍କ ପାଇଁ ଷ୍ଟାଫ୍ କ୍ୱାର୍ଟର, ଛାତ୍ରାବାସର ମରାମତି, ପାନୀୟ ଜଳ ଯୋଗାଣ, ୧୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ଆଦି ରହିଛି । ସେହିଭଳି ଶ୍ରୀ ପଟ୍ଟନାୟକ କୋଟିଆ ସଂକ୍ରାନ୍ତରେ ପଚାରିଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ କୋଟିଆ ଗ୍ରାମପୁଞ୍ଜରେ ୨୧୭୦ଟି ଜମି ପଟ୍ଟା ପ୍ରଦାନ କରାଯାଇଛି । ଏହି ପଟ୍ଟାଧାରୀମାନଙ୍କୁ ସରକାର ୪୦୬୨ ଏକର ଜମି ଯୋଗାଇ ଦେଇଛନ୍ତି ।
ସେହିଭଳି ସୁପ୍ରିମ୍କୋର୍ଟଙ୍କ ସ୍ଥିତାବସ୍ଥା ଆଦେଶର ଉଲ୍ଲଙ୍ଘନ ହୋଇଥିବାରୁ ଆନ୍ଧ୍ର ସରକାରଙ୍କ ବିରୁଦ୍ଧରେ ଓଡ଼ିଶା ସରକାର ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ଓ ତାହା ବିଚାରାଧୀନ ରହିଛି । ଆନ୍ଧ୍ରପ୍ରଦେଶ ସରକାର ଦାଖଲ କରିଥିବା ଜବାବ୍ର ଉପଯୁକ୍ତ ପ୍ରତିଜବାବ୍ ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହ ବିଚାର ଆଲୋଚନା କରି ଦେବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ସରକାର ନିର୍ଦ୍ଦେଶ ଦେଇଥିବା ରାଜସ୍ୱ ମନ୍ତ୍ରୀ ଦର୍ଶାଇଛନ୍ତି ।