ଭୁବନେଶ୍ୱର : ତମାଖୁ ଠାରୁ ପିଲାମାନଙ୍କୁ ଦୂରେଇ ରଖିବାପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା କୋଟ୍ପା ଆଇନ୍କୁ କେହି ଗୁରୁତ୍ୱ ଦେଉନାହାନ୍ତି । ରାଜ୍ୟର ବିଭନ୍ନ ଶିକ୍ଷାନୁଷ୍ଠାନ ଆଖପାଖରେ ଖୁଲମଖୁଲା ସିଗାରେଟ୍ ଓ ତମାଖୁ ଆଦିର ବିକ୍ରିକୁ ଦେଖିଲେ ଏହି କେନ୍ଦ୍ରୀୟ ଆଇନ୍ ଏଠାରେ କିଭଳି ଏକ ପ୍ରକାର ଅକାମୀ ତାହା ଜଳ ଜଳ ହୋଇ ଦିଶୁଛି ।
ସିଗାରେଟ୍ ଓ ଅନ୍ୟ ତମାଖୁ ଜାତୀୟ ସାମଗ୍ରୀର ବିଜ୍ଞାନ, ବ୍ୟବସାୟ, ଉତ୍ପାଦନ, ଯୋଗାଣ ଓ ବିତରଣକୁ ନିଷେଧ କରିବାପାଇଁ କେନ୍ଦ୍ର ସରକାର କୋଟ୍ପା ଆଇନ୍ ୨୦୦୩ କାର୍ଯ୍ୟକାରୀ କରିଛନ୍ତି । ଏହା ଦ୍ୱାରା ତମାଖୁ ବ୍ୟବହାରରୁ ଲୋକଙ୍କୁ ନିବୃତ୍ତ କରାଯିବ । ବିଶେଷକରି ପିଲା ଏବଂ ଯୁବଗୋଷ୍ଠୀଙ୍କୁ ତମାଖୁ ଠାରୁ ଦୂରେଇ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
କୋଟ୍ପା ଆଇନ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡିକର ୧୦୦ ମିଟର ଇଲାକା ମଧ୍ୟରେ ସିଗାରେଟ୍ କିମ୍ବା କୌଣସି ଗୁଟ୍ଖା ସାମଗ୍ରୀ ବିକ୍ରି ହୋଇପାରିବ ନାହିଁ । କେନ୍ଦ୍ର ସରକାର ମଧ୍ୟ ଏହି ଆଇନ୍ର ଧାରା ୬ ଅନୁଯାୟୀ ପ୍ରତ୍ୟେକ ରାଜ୍ୟର ଶିକ୍ଷା ବିଭାଗକୁ ଏହି ମର୍ମରେ ମାର୍ଗଦର୍ଶିକା ପଠାଇଛନ୍ତି । ହେଲେ ଆମ ରାଜ୍ୟର ଶିକ୍ଷାନୁଷ୍ଠାନ ଆଖପାଖରେ ଥିବା ଦୋକାନରେ ଖୁଲମଖୁଲା ଭାବେ ସିଗାରେଟ୍ ଓ ଗୁଟ୍ଖା ଆଦି ବିକ୍ରି ହେଉଛି । ଛାତ୍ରଛାତ୍ରୀମାନେ ସହଜରେ ଏହାକୁ କିଣି ସେବନ କରୁଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି ।
ସେହିଭଳି କୋଟ୍ପା ଆଇନ୍ରେ ଇ-ସିଗାରେଟର ଉତ୍ପାଦନ, ପ୍ରସ୍ତୁତି, ଆମାଦୀନ, ରପ୍ତାନି, ପରିବହନ, ବିକ୍ରି ଓ ମହଜୁଦ ସହିତ ଏହାର ବିଜ୍ଞାପନ ଉପରେ ବି କଟକଣା ରହିଛି । ତେବେ ଓଡିଶା ବଜାରରେ ମାଳ ମାଳ ଇ ସିଗାରେଟ୍ ବିକ୍ରି ହେଉଛି ଏବଂ ଛାତ୍ରଛାତ୍ରୀମାନେ ବହୁଳ ସଂଖ୍ୟାରେ ଏହାକୁ ନେଇ ଟାଣୁଛନ୍ତି । ମଝିରେ ମଝିରେ ଲୋକଦେଖାଣିଆ ଭାବେ ଗୁଟ୍ଖା ଜବତ ହେଉଥିବାବେଳେ କୌଣସି ସ୍ଥାନରେ ସେଭଳି ଇ-ସିଗାରେଟ୍ ଜବତ ହେଉଥିବା ଦେଖିବାକୁ ମିଳୁନାହିଁ ।
ତେବେ କେନ୍ଦ୍ର ସରକାର କୋଟ୍ପା ଆଇନ୍ ଲାଗୁ କରିଥିବାବେଳେ ଓଡିଶା ସରକାର ବି ୨୦୧୩ ମସିହାରୁ ଗୁଟ୍ଖା ଉପରେ କଟକଣା ଲଗାଇଛନ୍ତି । ଗୁଟ୍ଖା ଉତ୍ପାଦନ, ବିକ୍ରି ସମ୍ପୂର୍ଣ୍ଣ ବେଆଇନ୍ । କଡାକଡି ଜୋରିମାନାର ବି ବ୍ୟବସ୍ଥା ଅଛି । ହେଲେ ଆଇନ୍ ଲାଗୁ ହେବା ପରଠାରୁ ଏହାକୁ କେହିପାଳନ କରୁନାହାନ୍ତି । ବରଂ ରାଜ୍ୟ ସରକାର ଏଥିରୁ ବାର୍ଷିକ ପାଉଥିବା ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି । ଗୁଟ୍ଖା ପୂର୍ବାପେକ୍ଷା ଅଧିକ ହାରରେ ବିକ୍ରି ହେଉଛି ।
ଗୁଟ୍ଖା ସେବନ ଯୋଗୁଁ ଯୁବ ବର୍ଗଙ୍କ ମଧ୍ୟରେ ମୁଖଗହ୍ୱର କର୍କଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରୋଗ ବ୍ୟାପୁଥିବାକୁ ସମସ୍ତେ ସ୍ୱୀକାର କରୁଥିବାବେଳେ ଖୋଦ୍ ସରକାର ପ୍ରଣୟନ କରିଥିବା ଆଇନ୍ ଓ ନିୟମକୁ କାହିଁକି କଡାକଡି ଭାବେ କାର୍ଯ୍ୟକାରୀ ହେଉନାହିଁ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ରାଜ୍ୟରେ ଯେଭଳି ଭାବେ ଗୁଟ୍ଖା ଓ ସିଗାରେଟ୍ର ବ୍ୟବହାର ଖୋଲାଖୋଲି ଚାଲିଛି ତାହାକୁ ଆଇନ୍ ଅନୁଯାୟୀ ନିୟନ୍ତ୍ରଣ ନକଲେ ଆଗାମୀ ପୀଢି ପାଇଁ ଏହା ଭୟାବହ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)