ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ସରୁ ନସରୁଣୁ ବିଦ୍ୟାର୍ଥୀମାନଙ୍କୁ ଫୁର୍ସତ୍ ନଦେଇ ଏବେ ନିଜ କେନ୍ଦ୍ରକୁ ଟାଣିବା ପାଇଁ ବହୁ କୋଚିଂ ସଂସ୍ଥା ପ୍ରତିଯୋଗିତା ଚଳାଇଛନ୍ତି । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମ୍ପର୍କୀୟମାନଙ୍କୁ ଏମାନେ ଫୋନ୍ଯୋଗେ ଘନ ଘନ ଯୋଗାଯୋଗ କରିବା ସହ ସ୍ଥଳ ବିଶେଷରେ ଘରେ ବି ପହଞ୍ଚି ଯାଉଛନ୍ତି ।
ଇତିମଧ୍ୟରେ ଓଡ଼ିଶା ବୋର୍ଡ, ସିବିଏସ୍ଇ ଓ ଆଇସିଏସ୍ଇର ବୋର୍ଡ ପରୀକ୍ଷାମାନ ଶେଷ ହୋଇଛି । କିଛିଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବା ପରେ କୃତୀ ଛାତ୍ରଛାତ୍ରୀମାନେ ଉଚ୍ଚତର ଶିକ୍ଷା ପାଇଁ ନାମାଙ୍କନ କରିବା କଥା । କିନ୍ତୁ ଫଳାଫଳ ପ୍ରକାଶ ତ ଦୂରର କଥା ଖାତାଦେଖା ଆରମ୍ଭ ହୋଇ ନଥିବାବେଳେ ଏବେ ଭବିଷ୍ୟତ ପାଇଁ ବହୁ ସୁନେଲି ସ୍ୱପ୍ନ ଦେଖାଇବା ସହ ଋଣ ଯୋଗାଡ଼ କରାଇ ଛାତ୍ରଛାତ୍ରୀଙ୍କ ନାମାଙ୍କନ ଆରମ୍ଭ କରିଦେଲେଣି ।
ଅନେକ କୋଚିଂ ସେଣ୍ଟରଙ୍କର ନିଜସ୍ୱ ସ୍ୱୀକୃତିପ୍ରାପ୍ତ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ ନାହିଁ । ତେବେ ଏମାନେ ଯୁକ୍ତ ଦୁଇ ବିଜ୍ଞାନ ସହିତ ମେଡିକାଲ, ଇଞ୍ଜିନିୟରିଂ, ଆଇଟିଆଇ, କୋଚିଂ ଦେବା କାମ ଆରମ୍ଭ କରିଦେଲେଣି । ଏମାନଙ୍କ ସଂସ୍ଥାରେ ପଢୁଥିବା ପିଲା ମଝିରେ ମଝିରେ ପ୍ରାକ୍ଟିକାଲ୍ ପାଇଁ ଅନ୍ୟ ଅନୁଷ୍ଠାନକୁ ଯାଇଥାନ୍ତି ଏବଂ ଏହି କୋଚିଂ ସେଣ୍ଟରମାନେ ସେମାନଙ୍କ ନାମ କୌଣସି ପ୍ରକାରେ ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଲେଖାଇ ପରୀକ୍ଷା ଦେବାର ବନ୍ଦୋବସ୍ତ ମଧ୍ୟ କରାନ୍ତି । ଏହି ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ଗୋଟିଏ ସମୟରେ ଦୁଇଟି ଅନୁଷ୍ଠାନରେ ସମ୍ଭବ ହୋଇପାରୁଛି ।
ଏମିତିକି ଯେଉଁମାନେ ମେଡିକାଲ, ଇଞ୍ଜିନିୟରିଂ ଓ ଆଇଆଇଟି ଆଦି ପାଇଁ ପ୍ରତିଯୋଗିତା ପରୀକ୍ଷା ଦେଇ ଭଲ ର୍ୟାଙ୍କ ପାଉନାହାଁନ୍ତି ସେମାନଙ୍କୁ ବି ମିଠା ମିଠା ପ୍ରତିଶ୍ରୁତି ଦେଇ ବର୍ଷ ବର୍ଷ ଧରି ଉଚ୍ଚ ଶ୍ରେଣୀରେ ନାମ ନ ଲେଖାଇ କୋଚିଂ ସେଣ୍ଟରରେ ପ୍ରବେଶିକା ପରୀକ୍ଷା ପାଇଁ ପୁଣି ପ୍ରସ୍ତୁତ ହେବାର ନିଶା ସୃଷ୍ଟି କରାଯାଉଛି । ଏଥିରେ ବହୁ କୋଚିଂ ସେଣ୍ଟର ଲକ୍ଷ ଲକ୍ଷ ଟଙ୍କା ଜଣେ ଜଣେ ଛାତ୍ରଛାତ୍ରୀଙ୍କ ଠାରୁ ମୁନାଫା ଉଠାଇଛନ୍ତି । କାହା କୋଚିଂ ସଂସ୍ଥାର କେତେ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି ସେ ସଂକ୍ରାନ୍ତରେ ଫଟୋ ଚିତ୍ର ସହ ପ୍ରଚାରପତ୍ର ବାଣ୍ଟି ପିଲାଙ୍କୁ ନିଜ ଆଡକୁ ଟଣା ଯାଉଛି ।
ପଞ୍ଚମ, ଷଷ୍ଠ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ବି ଡାକ୍ତର, ଇଞ୍ଜିନିୟର, ଆଇଟି ବିଶେଷଜ୍ଞ ଆଦି କରାଇ ଦେବାର ସ୍ୱପ୍ନ କେତେକ ସଂସ୍ଥା ସେମାନଙ୍କ ଅଭିଭାବକମାନଙ୍କୁ ଦେଖାଇ କୋଚିଂ ସେଣ୍ଟରକୁ ଟାଣୁଛନ୍ତି । ମନସ୍ତତ୍ୱବିତ୍ ଓ ପୁରୁଖା ଶିକ୍ଷକ ଶିକ୍ଷୟିତ୍ରୀମାନେ କହୁଛନ୍ତି ଯେ ଏହାଦ୍ୱାରା କୋମଳମତି ପିଲାମାନଙ୍କ ଉପରେ ମାନସିକ ଚାପ ବୃଦ୍ଧି ପାଇ ସେମାନଙ୍କ ମାନସିକ ଅବସାଦ ବଢିବା ସଙ୍ଗେ ସଙ୍ଗେ ତଦ୍ଜନିତ ରୋଗ ବି ସୃଷ୍ଟି ହେଉଛି । ଏହି ସମସ୍ୟାରୁ ମୁକୁଳିବା ପାଇଁ ପରବର୍ତ୍ତୀ ସମୟରେ ଅନେକ ଅଭିଭାବକ ଡାକ୍ତରଖାନାରେ ମାସ ମାସ ଧରି ପିଲାମାନଙ୍କୁ ଭର୍ତ୍ତି କରି ଲକ୍ଷ ଲକ୍ଷ ଟଙ୍କା ଚିକିତ୍ସା ବାବଦରେ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି । ବହୁ କ୍ଷେତ୍ରରେ ପାଠ୍ୟକ୍ରମ ସଂକ୍ରାନ୍ତରେ ପିଲାମାନଙ୍କ ମୂଳଦୁଆକୁ ସୁଦୃଢ ନକରି ସମ୍ଭାବ୍ୟ ପ୍ରଶ୍ନୋତ୍ତରର ସେଟ୍ମାନ ଘୋଷାଇ ପିଲାମାନଙ୍କୁ ପ୍ରସ୍ତୁତ କରାଯିବା ଫଳରେ ସେମାନଙ୍କ ମେଧା ଶକ୍ତିର ଠିକଣା ବିକାଶ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହେଉଛି ।
ମନୋବିଜ୍ଞାନୀମାନେ କହୁଛନ୍ତି ଯେ ପିଲାଟିର ଯେଉଁ କ୍ଷେତ୍ରରେ ଆଗ୍ରହ ରହିଛି ଓ ଯେଉଁ ବିଦ୍ୟାରେ ସେ ନିଜକୁ ସହଜ ମଣୁଛି ତାକୁ ସେହି ପାଠ ନପଢାଇ ଅଭିଭାବକମାନେ ସେମାନଙ୍କ ମନର ଇଚ୍ଛା ପିଲାମାନଙ୍କ ଉପରେ ଲଦିଦେବା ଫଳରେ ଦିଅଁ ଗଢୁ ଗଢୁ ବାନ୍ଦର ଭଳି ବିଚିତ୍ର ଅବସ୍ଥା ଅନେକ କ୍ଷେତ୍ରରେ ସୃଷ୍ଟି ହେଉଛି । କେବଳ ସେତିକି ନୁହେଁ, ଓଡ଼ିଆ ମାଧ୍ୟମ ଶିକ୍ଷାକୁ ଗୌଣ କରିବା ପାଇଁ ଇଂରାଜୀ ମାଧ୍ୟମ ଶିକ୍ଷା ଉପରେ ଏବେ ବହୁ ଅଭିଭାବକ ଗୁରୁତ୍ୱ ଦେଉଥିବାରୁ ପାଠ ଦୋକାନ ମାନଙ୍କର ବେପାର ବି ଢେର ବଢୁଛି । ଏଭଳି ସ୍ଥିତିରେ ଜାତୀୟ ଓ ରାଜ୍ୟ ସ୍ତରରେ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯାଇ ପିଲାମାନଙ୍କୁ ଚାପମୁକ୍ତ କରାଇବା ଲାଗି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । (ତଥ୍ୟ)