ଭୁବନେଶ୍ୱର : କୋଇଲା ରୟାଲିଟି ବୃଦ୍ଧି ପାଇଁ ଓଡିଶା ସରକାର ଦୀର୍ଘ ଦିନରୁ କରିଆସୁଥିବା ଦାବିକୁ ଶେଷରେ କେନ୍ଦ୍ର ସରକାର ପ୍ରତ୍ୟାଖାନ କରିଦେଇଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଯୋଶୀ କହିଛନ୍ତି ଯେ କୋଇଲା ରୟାଲିଟି ବୃଦ୍ଧି ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ । ତେବେ କୋଇଲା ଓ ଲିଗନାଇଟ୍ ରୟାଲିଟିରେ ସଂଶୋଧନ ପାଇଁ ୨୦୧୪ ଜୁଲାଇ ୨୧ତାରିଖରେ ଏକ ଅନୁଧ୍ୟାନ ଗୋଷ୍ଠି ଗଠନ ହୋଇଥିଲା । ଏହି ଗୋଷ୍ଠି କୋଇଲା ଉତ୍ପାଦନ କରୁଥିବା ରାଜ୍ୟମାନଙ୍କ ମନ୍ତବ୍ୟରୁ ଅନୁମାନ କରିଛି ଯେ ସେମାନେ କୋଇଲା ରୟାଲିଟି ଦର ୧୪ ପ୍ରତିଶତରୁ ୨୦ ପ୍ରତିଶତ ସପକ୍ଷରେ ଅଛନ୍ତି । ତେବେ କୋଇଲା ବ୍ୟବହାର କରୁଥିବା ରାଜ୍ୟମାନେ ରୟାଲିଟି ଦର ୧୪ ପ୍ରତିଶତରୁ ୫-୬ ପ୍ରତିଶତକୁ ହ୍ରାସ ସପକ୍ଷରେ ମତ ଦେଇଛନ୍ତି ।
ସମସ୍ତ ଦିଗରୁ ବିଚାର କରି ଏହି ଅନୁଧ୍ୟାନ ଗୋଷ୍ଠି କୋଇଲା ରୟାଲିଟିକୁ ଅପରିବର୍ତ୍ତିତ ରଖିବା ସହିତ ଜିଲ୍ଲା ଖଣିଜ ଫାଉଣ୍ଡେସନର ୩୦% ଏବଂ ଜାତୀୟ ଖଣିଜ ଅନ୍ୱେଷଣ ଟ୍ରଷ୍ଟ (ଏନଏମଇଟି) ର ୨% ଆଧାରରେ ମୋଟ ରୟାଲିଟି ୧୮.୪୮ ପ୍ରତିଶତ ହେଉଛି ବୋଲି ଦର୍ଶାଇଛନ୍ତି । ଏହି ଗୋଷ୍ଠିର ସୁପାରିଶ୍କୁ କେନ୍ଦ୍ର ସରକାର ଗ୍ରହଣ କରିଥିବା ନେଇ କୋଇଲା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରଶ୍ନର ପଚାରିଥିଲେ ଯେ ରୟାଲିଟି ସଂଶୋଧନରେ ବିଳମ୍ବ ଯୋଗୁଁ ଓଡିଶା ଭଳି କୋଇଲା ଉତ୍ତୋଳନକାରୀ ରାଜ୍ୟ କ୍ଷତିଗ୍ରସ୍ତ ହେବ ଏବଂ ଖଣିଜ ରାଜସ୍ୱ ଆଦାୟରୁ ବଞ୍ଚିତ ହେବ ନାହିଁ କି ? ଉତ୍ତରରେ କେନ୍ଦ୍ର କୋଇଲା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ରାଜସ୍ୱ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ । ସେମାନେ ଏବେ ୧୪% ପ୍ରତିଶତ ହାରରେ ରୟାଲିଟି ପାଇବେ । ଯେତେବେଳେ କୋଇଲା ଦର ବୃଦ୍ଧିପାଇବ ସେତେବେଳେ ରାଜ୍ୟମାନେ ଛାଏଁ ଛାଏଁ ଅଧିକ ପରିମାଣରେ ରୟାଲିଟି ପାଇବେ । ମନ୍ତ୍ରୀ କହିଛନ୍ତି ଯେ ଘରୋଇ କୋଇଲା ଉତ୍ତୋଳନ ବୃଦ୍ଧି ପାଉଥିବାରୁ ରାଜ୍ୟମାନେ ରୟାଲିଟି ବାବଦରେ ଅଧିକ ଅର୍ଥ ପାଉଛନ୍ତି । ପୂର୍ବରୁ କୋଇଲା ମନ୍ତ୍ରୀ ଶ୍ରୀ ଯୋଶୀ ସଂସଦରେ କହିଥିଲେ ଯେ ଖଣିଜ ରୟାଲିଟି ନିୟମିତ ବ୍ୟବଧାନରେ ସଂଶୋଧିତ ହେଉଥିବାବେଳେ ଶେଷ ଥର ପାଇଁ ଏହା ୨୦୧୪ରେ ହୋଇଥିଲା ।
ଏମଏମଡିଆର ଆଇନ୍ ୧୯୫୭ ଅନୁଯାୟୀ ପ୍ରତ୍ୟେକ ଖଣି ଲିଜ୍ଧାରୀ ଧାର୍ଯ୍ୟ ଦର ଅନୁଯାୟୀ ରୟାଲିଟି ପ୍ରଦାନ କରିବେ । ଅଧିକାରୀମାନେ କହିଛନ୍ତି ଯେ ଏମଏମଡିଆର ଆଇନ୍ର ଧାରା ୯(୩) ଅନୁଯାୟୀ କେନ୍ଦ୍ର ସରକାର ରୟାଲିଟି ଦର ନେଇ ବିଜ୍ଞପ୍ତି ଜାରି କରିବେ । ଏହାକୁ ଆଦାୟ କରିବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ବର୍ତ୍ତମାନ ପଶ୍ଚିମବଙ୍ଗକୁ ବାଦ୍ ଦେଲେ ଅନ୍ୟ ସମସ୍ତଙ୍କ ପାଇଁ କୋଇଲା ରୟାଲିଟି ୧୪ ପ୍ରତିଶତ ରହିଛି । ୨୦୧୨ ମଇ ୧୦ ତାରିଖରେ ଶେଷଥର ପାଇଁ କୋଇଲା ରୟାଲିଟି ସଂଶୋଧନ ହୋଇଥିଲା । ତେବେ ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ବିଜେଡି ସରକାର କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବିକରି ଆସୁଛନ୍ତି । ତେବେ ଦୀର୍ଘ ଦିନର ଅପେକ୍ଷା ପରେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାଖାନ କରି ଦେଇଛନ୍ତି । (ତଥ୍ୟ)